ସ୍ବାସ୍ଥ୍ୟ ବିଭାଗ ଅଧୀନକୁ ଯିବ ମ୍ୟୁନିସିପାଲିଟି ହସ୍ପିଟାଲ, ମୁଖ୍ୟ ଚିକିତ୍ସା‌ ଅଧିକାରୀଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ପଛ ପାର୍ଶ୍ବରେ ଥିବା ମହାନଗର ନିଗମ ହସ୍ପିଟାଲ (ମ୍ୟୁନିସିପାଲିଟି ହସ୍ପିଟାଲ ନାମରେ ପରିଚିତ) ଖୁବ୍‌ ଶୀଘ୍ର ସ୍ବାସ୍ଥ୍ୟ ବିଭାଗ ଅଧୀନକୁ ଯିବ। ଆଜି ଏନେଇ ସ୍ବା‌ସ୍ଥ୍ୟ ବିଭାଗ ପକ୍ଷରୁ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଏବେ ଏହି ହସ୍ପିଟାଲ ବିଏମ୍‌ସି ଦ୍ବାରା ପରିଚାଳିତ ହେଉଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବୈଷୟିକ ଜ୍ଞାନ ନଥିବାରୁ ହସ୍ପିଟାଲର ବିଶେଷ ଉନ୍ନତି ହୋଇପାରିନି। ଏପରିକି ଅଧିକାଂଶ ବିଭାଗରେ ଠିକା ଡାକ୍ତର ନିଯୁକ୍ତି ପାଇଥିବା ବେଳେ ରୋଗୀଙ୍କୁ ଗୁଣାତ୍ମକ ଚିକିତ୍ସା ମିଳୁନି। ହସ୍ପିଟାଲରେ ବିଭିନ୍ନ ସେବା ଯୋଗାଇବାରେ ଅର୍ଥ ବାଧକ ସାଜୁଛି। ତେଣୁ ମ୍ୟୁନିସିପାଲିଟି ହସ୍ପିଟାଲକୁ ସ୍ବାସ୍ଥ୍ୟ ବିଭାଗ ହାତକୁ ଟେକିଦେବାକୁ ନିଷ୍ପତ୍ତି ହୋଇଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, କ୍ୟାପିଟାଲ ହସ୍ପିଟାଲ ଉପରେ ଅଧିକ ଚାପ ପଡ଼ୁଥିବାରୁ ମ୍ୟୁନିସିପାଲଟି ହସ୍ପିଟାଲକୁ ଉନ୍ନତୀକରଣ କରାଯିବ। ଏହା ଏବେ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ହସ୍ପିଟାଲରେ ଗଣା ହେଉଥିବା ବେଳେ ଏହାକୁ ଏକ ଜିଲ୍ଲାସ୍ତରୀୟ ହସ୍ପିଟାଲରେ ପରିଣତ କରାଯିବ। ପ୍ରଥମ ପଦକ୍ଷେପସ୍ବରୂପ ଏହାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନକୁ ଅଣାଯିବ।

ସମ୍ବନ୍ଧିତ ଖବର