ମରମ ତଳେ ଆଜି ବି ଉଜ୍ଜୀବିତ ସଂଗୀତ ସୁଧାକର, ଓଡ଼ିଶା ପାଇଁ ଛାଡ଼ିଥିଲେ ମାୟାନଗରୀ ମୋହ

ସଂଗୀତ ସୁଧାକରଙ୍କ ୯୮ତମ ଜୟନ୍ତୀ

ଭୁବନେଶ୍ବର: କିଏ ତାଙ୍କୁ କୁହେ, ଉତ୍କଳର ଗନ୍ଧର୍ବ ତ କିଏ କୁହେ ସଂଗୀତ ଜଗତର ଉଦିଆ ଚାନ୍ଦ। ତେବେ ସେ ଥିଲେ ଭାବ ଓ ସ୍ବରର ଅଲୌକିକ ସଙ୍ଗମ। ‘ଜଗବନ୍ଧୁ ପରି ଜଣେ ସାମନ୍ତ…ଭଳି ଭଜନ ଗାଇ ସେ ଭକ୍ତିରେ ତଲ୍ଲୀନ କରିଦେଇପାରନ୍ତି, ପୁଣି ‘ମୋ ପାଇଁ ଜଳେ ସିଏ ମୋତେ ବି ଜଳାଏ.. ଗାଇ ରୋମାଣ୍ଟିକ ଭାବୋଚ୍ଛ୍ବାସରେ ମସଗୁଲ୍ କରିପାରନ୍ତି। ଓଡ଼ିଶୀ, ପାରମ୍ପରିକ, ଚମ୍ପୂ, ଛାନ୍ଦ, ଜଣାଣ, ଭଜନ, ପଲ୍ଲୀଗୀତ ଓ ଚଳଚ୍ଚିତ୍ର ସଂଗୀତରେ ନୂଆ ମୋଡ଼ ଆଣିଦେଇଥିବା ସେଇ ସଂଗୀତ ସାମ୍ରାଜ୍ୟର ଅଧୀଶ୍ବର ହେଉଛନ୍ତି ସଂଗୀତ ସୁଧାକର ବାଳକୃଷ୍ଣ ଦାଶ। ଜିଇଁଥିଲେ ଆଜି ସେ ୯୮ଟି ବସନ୍ତକୁ ଅତିକ୍ରମ କରିଥାଆନ୍ତେ, ମାତ୍ର ସଶରୀରେ ନଥାଇ ବି ସେ ଛାଡ଼ି ଦେଇ ଯାଇଥିବା ସଂଗୀତର ମଳୟରେ ଆଜି ବି ପୁଲକିତ ହୁଅନ୍ତି ଅନେକ ସଂଗୀତ ରସିକ।

ପଲ୍ଲୀଗୀତଠୁ ନେଇ ଓଡ଼ିଶୀ ଓ ହିନ୍ଦୁସ୍ଥାନୀ ସଂଗୀତ ଯାଏ ତାଙ୍କ ସଂଗୀତ ସାମ୍ରାଜ୍ୟ ପରିବ୍ୟାପ୍ତ ଥିଲା। ବାଳକାଟି ବସନ୍ତପେଡ଼ି ଗ୍ରାମରେ ୧୯୨୩ ମସିହା ସାବିତ୍ରୀ ଅମାବାସ୍ୟାରେ ଜନ୍ମିଥିବା ସେତେବେଳର ସେଇ କୁନି ପିଲାଟି ଯେ ସଂଗୀତ ଜଗତର ଉଦିଆ ଚାନ୍ଦ ହୋଇ ଓଡ଼ିଶାର ପୁରପଲ୍ଲୀରେ ସଂଗୀତର ଚମକ ବୁଣିବ ତାହା ପିଲାବେଳୁ ବାରି ହୋଇ ପଡ଼ିଥିଲା। ଗୀତ ଓ ସଂଗୀତର କୌଣସି ବିଭାଗକୁ ସେ ବାଦ୍ ଦେଇନଥିଲେ। ଅନ୍ନପୂର୍ଣ୍ଣା ଓ ଜନତା ରଙ୍ଗମଞ୍ଚରେ ପେଶାଦାର କଣ୍ଠଶିଳ୍ପୀ ଭାବେ ନାଟକରେ ଗୀତ ଗାଉଥିଲେ। ପୁଣି ଓଡ଼ିଆ କଥାଚିତ୍ର ଯେତେବେଳେ ଜଣେ ସୁଯୋଗ୍ୟ ସଂଗୀତ ନିର୍ଦେଶକଙ୍କୁ ଖୋଜୁଥିଲା ସେତେବେଳେ ରୁପେଲି ପରଦା ଜଗତ ପାଇଯାଇଥିଲା ବାଳକୃଷ୍ଣଙ୍କୁ। ଏମିତି ସମୟ ଆସିଲା, ଯେତେବଳେ ଲଗାତାର ଭାବେ ପ୍ରତିଟି ଚଳଚ୍ଚିତ୍ରରେ ସେ ଗୀତ ଓ ସଂଗୀତ ପ୍ରସ୍ତୁତ କଲେ। ବିଶିଷ୍ଟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ଉକ୍ତି ମୁତାବକ ତାଙ୍କ ଯାଦୁକରୀ କଣ୍ଠ ଓ ସଂଗୀତର ଗନ୍ଧ ମାୟା ନଗରୀ ବି ପାଇ ଯାଇଥିଲା। ମାତ୍ର ମୁମ୍ବାଇକୁ ଯିବାର ସୁଯୋଗ ଥାଇ ମଧ୍ୟ ସେ ଓଡ଼ିଶା ମାଟିର ମୋହକୁ ଛାଡ଼ି ପାରିନଥିଲେ। ସଂଗୀତ ସୁଧାକର ଏବେ ଅତୀତ। କିନ୍ତୁ ଏବେ ବି ଅନେକଙ୍କ ମରମ ତଳେ ସଂଗୀତର ସେଇ ସ୍ବର୍ଣ୍ଣିମ ଅତୀତ ଉଜ୍ଜୀବିତ।

ଓଡ଼ିଆ ସଂଗୀତରେ ଲାଳିତ୍ୟ, ମାଧୁର୍ଯ୍ୟ, କାରୁଣ୍ୟ ଓ କଳ୍ପଲୋକର କଳା ଫୁଟାଇ ସଂଗୀତ ଜଗତକୁ ସେ ଭେଟି ଦେଇଥିଲେ କାଳଜୟୀ ସଂଗୀତ। ଗୀତର ଭାଷା ଓ ଭାବକୁ ନେଇ ସଂଗୀତ ସଂରଚନା କରିବାରେ ମାହିର୍ ଥିଲେ ସଂଗୀତ ସୁଧାକର। ଅନେକ ଚିରସ୍ମରଣୀୟ କବିଙ୍କ ପ୍ରାଚୀନ କାଳଜୟୀ ରଚନାକୁ ସ୍ବର ଦେଇ ସେ ସେସବୁକୁ ଆହୁରି ଜୀବନ୍ତ କରିଥିଲେ। ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ.., ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ.., ସର୍ବେଷାଂ ନୋ ଜନନୀ ଭାରତ.. ଭଳି ଗୀତରେ ତାଙ୍କ ସଂଗୀତର ସଙ୍ଗମ ଏସବୁକୁ ଏଯାଏ କାଳଜୟୀ କରି ରଖିଛି।

ସମ୍ବନ୍ଧିତ ଖବର