ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ନିକଟ ଅଳିଆ ଗଦା ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜଧାନୀବାସୀ। ଗୋଟିଏ ପଟେ ଦୀପାବଳୀରେ ସହରର ବାୟୁ ଓ ଶବ୍ଦ ପ୍ରଦୂଷିତ ହୋଇଛି, ଆଉ ଅନ୍ୟପଟେ ଅଳିଆ ଦୁର୍ଗନ୍ଧ ଏବେ ଅଧା ସହରବାସୀଙ୍କ ନାକ ରୁନ୍ଧି ପକାଉଛି। ଦିନରେ ସୂର୍ଯ୍ୟ କିରଣ ପଡ଼ୁଥିବାରୁ ଦୁର୍ଗନ୍ଧର ମାତ୍ରା ସେତେଟା ଜଣାପଡ଼ୁ ନାହିଁ, ମାତ୍ର ସନ୍ଧ୍ୟା ହେବା କ୍ଷଣି ଏହି ଅଳିଆ ଗଦା ନିକଟରେ ବସବାସ କରୁଥିବା ଲୋକଙ୍କ ଜୀବନ ଦୟନୀୟ ହୋଇପଡ଼ୁଛି। ଭିଏସ୍‌ଏସ୍‌ ନଗର, ମଞ୍ଚେଶ୍ବର, ବାଣୀବିହାର, ସହିଦନଗର, ରସୁଲଗଡ଼, ପଳାସୁଣି ଅଞ୍ଚଳରେ ଏବେ ମଧ୍ୟ ଦୁର୍ଗନ୍ଧ ମାତ୍ରା ଏତେ ରହୁଛି ଯେ ରାସ୍ତାରେ ଯିବା ଆସିବା କଷ୍ଟକର ହୋଇପଡ଼ୁଛି। ଦୁର୍ଗନ୍ଧରେ ଅଞ୍ଚଳବାସୀ ଅଣନିଶ୍ବାସୀ ହୋଇପଡ଼ୁଥିବା ଅଭିଯୋଗ କରିଛନ୍ତି।

Advertisment

୧୦ ଦିନ ଧରି ବିରୋଧ, ଆନ୍ଦୋଳନ ପରେ ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ଏବେ ଅଳିଆ ଗଦା ତଥା ଟିଟିଏସ୍‌ ନିକଟରେ ଡେରା ପକାଇଛନ୍ତି। ସକାଳେ ଓ ସନ୍ଧ୍ୟାରେ ସେଠାରେ ପହଞ୍ଚି ନୂତନ ଭାବେ ଲଗାଯାଉଥିବା ୮ଟି ଟେରେକ୍ସ ମେସିନ୍‌ର ତଦାରଖ କରୁଛନ୍ତି। ଆଜି ସକାଳୁ ମଧ୍ୟ ସେ ସେଠାରେ ପହଞ୍ଚି ମେସିନ୍‌ କିଭଳି କାର୍ଯ୍ୟ କରୁଛି ତାହାର ଅନୁଧ୍ୟାନ କରିଛନ୍ତି। ପ୍ରାରମ୍ଭିକ ଭାବେ ପରୀକ୍ଷଣ କରାଯାଉଥିବା ମେସିନ୍‌ଗୁଡ଼ିକ ଅଳିଆ ଗଦା ପାଖକୁ ଯାଇ ବିଭିନ୍ନ ଦିଗରୁ ଅଳିଆ ଆଣି ତାହାକୁ ପ୍ରକ୍ରିୟାକରଣ କରୁଛି। ଅଳିଆ ପ୍ରକ୍ରିୟାକରଣ କରାଯିବା ପରେ ସେଥିରୁ ଦୁର୍ଗନ୍ଧ ବାହାରୁ ନ ଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏମିତିକି ବି‌ଏମ୍‌ସି କମିସନର ଶ୍ରୀ କୁଲାଙ୍ଗେ ଆଜି ପ୍ରକ୍ରିୟାକରଣ ହୋଇଥିବା ଅଳିଆକୁ ହାତରେ ଧରି ଯାଞ୍ଚ କରୁଥିବା ଦେଖିବାକୁ ମିଳୁଛି। ଏହି ମେସିନ୍‌ କାର୍ଯ୍ୟକ୍ଷମ ଦ୍ବାରା ଘଣ୍ଟାକୁ ୫୦ ଟନ୍‌ର ବର୍ଜ୍ୟ ପ୍ରକ୍ରିୟାକରଣ ହୋଇପାରିବ।

ଅନ୍ୟପକ୍ଷରେ ଧିରିକୁଟ ବସ୍ତି ସମେତ ଆଖପାଖ ଅଞ୍ଚଳରେ ଚର୍ମରୋଗ ମାଡ଼ି ଚାଲିଛି। ଘରେ ଘରେ ଲୋକଙ୍କ ଗୋଡ଼ ଫଳିବା ସହ କଳା ପଡ଼ି ଗଲାଣି। ମହିଳାଙ୍କ ହାତ ମଧ୍ୟ ଫଳିଯିବା ସହ ଫୁଲିଯାଇଛି। ଯେଉଁଥିପାଇଁ ପ୍ରତିଦିନ ନିକଟସ୍ଥ ଗାଡ଼କଣ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଧାଡ଼ି ଲାଗୁଛି। ଗୋଡ଼ ଫଳିବା, କୁଣ୍ଡାଇ ହେବା, କଳା ଦାଗ ପଡ଼ିଯିବା ଭଳି ସମସ୍ୟା ନେଇ ଲୋକେ ‌ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିଲେ ମଧ୍ୟ ସେଠାରେ ସେମାନଙ୍କୁ ପର୍ଯ୍ୟାପ୍ତ ଔଷଧ ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ଚର୍ମରୋଗ ମାରାତ୍ମକ ରୂପ ନେଇଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ପାଦ ଏପର୍ଯ୍ୟନ୍ତ ଅଞ୍ଚଳରେ ପଡ଼ିନାହିଁ। ଔଷଧ ବାଣ୍ଟିବା ତ ଦୂରର କଥା, ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବାକୁ ସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀ କିମ୍ବା ଡାକ୍ତର ଆସି ନ ଥିବା ବସ୍ତିବାସିନ୍ଦାମା‌ନେ କହିଛନ୍ତି। ଚର୍ମରୋଗ ସମେତ ଦୁର୍ଗନ୍ଧଜନିତ ଆହୁରି ଅନେକ ସ୍ବାସ୍ଥ୍ୟ ସମସ୍ୟା ସେଠାରେ ଭୟଙ୍କର ରୂପ ଧାରଣ କରିଥିଲେ ହେଁ ସେ କଥା ବୁଝିବା ତା’ର କାମ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ ଭାବୁଛି ବୋଲି ଅଭିଯୋଗ ହେଉଛି।