ଭୁବନେଶ୍ବର: ଗୁରୁବାର ରାତିରେ କ୍ୟାପିଟାଲ୍ ଥାନା ସମ୍ମୁଖରେ ଘଟିଥିବା ପୁଲିସ ମିତ୍ର ପି ରାମାରାଓଙ୍କ ମୃତ୍ୟୁ ଅଧିକ ରହସ୍ୟମୟ ହେବାରେ ଲାଗିଛି। ଗୋଟିଏ ପଟେ ତାଙ୍କ ପରିବାର ଲୋକେ ହତ୍ୟା ବୋଲି କହୁଥିବା ବ‌େଳେ ପୁଲିସ ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କହୁଛି। ବେପରୁଆ ଗାଡ଼ିଚାଳନା ଯୋଗୁଁ ଦୁର୍ଘଟଣା ଘଟିବାରୁ ରାମାରାଓ ମୃତ୍ୟୁ ଘଟିଥିବା ପୁଲିସ କହିଛି। ଆଉ ଏଥିପାଇଁ ପୁଲିସ ନିଜଆଡ଼ୁ ମାମଲା ବି ରୁଜୁକରିଛି। କ୍ୟାପିଟାଲ୍‌ ଥାନା ପୁଲିସ ନିଜଆଡ଼ୁ କେସ୍‌ ନଂ-୪୫୨ରେ ଆଇପିସି ୨୭୯, ୩୩୭, ୩୩୮, ୩୦୪(କ) ଦଫାରେ ମାମଲା ରୁଜୁକରିଛି। କିନ୍ତୁ ପରିବାରଲୋକେ ସହଜରେ ଏହାକୁ ଗ୍ରହଣ କରିପାରିନାହାନ୍ତି। ପୁଲିସ ମିଛ କହୁଛି। ମୋ ଭାଇକୁ ହତ୍ୟା କରାଯାଇଛି ଓ ପୁଲିସ ମାମଲାକୁ ଚାପିଦେବା ପାଇଁ ଏଭଳି ହୀନ ଉଦ୍ୟମ କରୁଛି ବୋଲି ରାମାରାଓଙ୍କ ଭଉଣୀ ଆଶାମାଳି କହିଛନ୍ତି।

Advertisment

ଆଇଆଇସି ଗିରିଜାଶଙ୍କର ଚକ୍ରବର୍ତ୍ତି କହିଛନ୍ତି ଯେ ତାଙ୍କ ପରିବାରଲୋକମାନେ କୌଣସି ଅଭିଯୋଗ କରିନାହାନ୍ତି। ଅଭିଯୋଗ କଲେ ତାହାକୁ ଭିତ୍ତିକରି ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ପୁଲିସ ଗୋଟିଏ କଥା କହୁଥିବା ବେଳେ ପରିବାରଲୋକଙ୍କ ଭିନ୍ନ କଥା ଘଟଣାକୁ ଅଧିକ ରହସ୍ୟମୟ କରିଛି।

ଅପରାଧ ଛାଡ଼ି ପୁଲିସକୁ ସହଯୋଗ କରିବାରୁ ମାରିଦେଲେ

ମୃତ ରାମାରାଓଙ୍କ ଭଉଣୀ ଆଶାମାଳିଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି। ସେ କହିଛନ୍ତି ଯେ ପୂର୍ବରୁ ରାମାରାଓ ଅନେକ ଅପରାଧ ଘଟାଇଥିଲା। ଚୋରି, ଛିନ୍‌ତାଇ ଭଳି ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲା। ଅନେକଥର ଜେଲ୍‌ ବି ଯାଇଛି। ହେଲେ ଗତ ୪ବର୍ଷରୁ ଊର୍ଧ୍ବ କାଳ ହେବ ପୁଲିସ ତାକୁ ବୁଝାସୁଝା କରିବା ପରେ ସେ ଅପରାଧ ଜଗତକୁ ଛାଡ଼ିଦେଇଥିଲା। କ୍ୟାପିଟାଲ୍‌ ଥାନା ନିକଟରେ ଏକ ଦଉଡ଼ି ଦୋକାନ କରି ନୂଆ ଜୀବନ ଆରମ୍ଭ କରିଥିଲା। କେବଳ ଦଉଡ଼ି ବ୍ୟବସାୟ ନୁହେଁ, ସେ ପୁଲିସ ପାଇଁ ଗୁଇନ୍ଦାଗିରି ମଧ୍ୟ କରୁଥିଲା। ଅପରାଧୀଙ୍କୁ ଧରାଇବା ଠାରୁ ଆରମ୍ଭ କରି ବସ୍ତିରେ ଚାଲିଥିବା ଚୋରାମଦ କାରବାର, ସେକ୍ସ ରୢାକେଟ୍‌ ଭଳି ସବୁ ଖବର ପୁଲିସକୁ ଦେଉଥିଲା। ଆଉ ଏଥିପାଇଁ ତା’ର ଅନେକ ଶତ୍ରୁ ସୃଷ୍ଟି ହୋଇଥିଲେ। ବିଭିନ୍ନ ସମୟରେ ତାକୁ ଧମକଚମକ ଦେଉଥିଲେ। ଗତ ଜୁନ୍‌ ୪ ତାରିଖ ରାତିରେ ସେମା‌ନେ ରାମାରାଓ, ପି ନରସିଂହ ରାଓ ଓ ପ୍ରକାଶ କୁମାର ମାଳିଙ୍କୁ ହାଣି ଗୁରୁତର କରିଥିଲେ। ରାମାରାଓ ସେମାନଙ୍କୁ ନ ଡରି ପୁଣି ପୂର୍ବଭଳି ପୁଲିସକୁ ସହଯୋଗ କରୁଥିବାରୁ ସେମାନେ ତାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଧମକ ଦେଇଥିଲେ। ତେଣୁ ଗୁରୁବାର ରାତିରେ ଯୋଜନାବଦ୍ଧ ଭାବେ ସେମାନେ ତାକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ ହତ୍ୟା କରିଛନ୍ତି। କାରଣ ମୋ ଭାଇ ମୋବାଇଲ୍‌ରେ ସେମାନଙ୍କ ଧମକଚମକର ରେକର୍ଡିଂ ରହିଛି। ତାକୁ କେଉଁମାନେ କଲ୍‌ କରି ଧମକ ଦେଉଥିଲେ? ପୁଲିସ ସେମାନଙ୍କ ନମ୍ବର ଚିହ୍ନଟ କରି ଗିରଫ କରୁ। ପୁଲିସ ଭାଇର ମୋବାଇଲ୍‌କୁ ରଖିଛି। ମୋବାଇଲ୍‌ ଯାଞ୍ଚ କଲେ ସବୁ ସତ ପଦାକୁ ଆସିବ ବୋଲି ସେ କହିଛନ୍ତି। ପୁଲିସ ଘଟଣାର ନିରପେକ୍ଷ ତଦନ୍ତ କରୁ ବୋଲି ସେ ନିବେଦନ କରିଛନ୍ତି।

ସିସିଟିଭି ଯାଞ୍ଚ କରୁଛି ପୁଲିସ

ଘଟଣାଦିନ ପ୍ରକୃତରେ କ’ଣ ଘଟିଛି? ତାହା ଏବେ ବି ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣା ନା ହତ୍ୟା। ପାରିପାର୍ଶ୍ବିକ ସ୍ଥିତି ଯାହା କହୁଛି ରାମାରାଓଙ୍କ ମୁଣ୍ଡ ପଛପଟ ଓ ଆଖି ଉପର ଅଂଶରେ ଗଭୀର କ୍ଷତ ଚିହ୍ନ ରହିଛି। ଦୁର୍ଘଟଣା ଯୋଗୁଁ ଏଭଳି କ୍ଷତ ସୃଷ୍ଟି ହୋଇଛି ନା କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ହୋଇଛି, ତାହା ସ୍ପଷ୍ଟ ହୋିନାହିଁ। ଯଦି ଦୁର୍ଘଟଣା ଯୋଗୁଁ ହୋଇଛି,‌ ତେବ‌େ କେହି ହତ୍ୟା ପାଇଁ ତାଙ୍କ ଗାଡ଼ିକୁ ଧକ୍କା ଦେଇ ଏଭଳି କାଣ୍ଡ ଘଟାଇ ନାହିଁ ତ? ଯେଉଁ ଗାଡ଼ି ସହ ଦୁର୍ଘଟଣା ଘଟିଛି, ଏପର୍ଯ୍ୟନ୍ତ ପୁଲିସ ସେହି ଗାଡ଼ିକୁ ଠାବ କରିପାରିନାହିଁ। ଏଥିପାଇଁ ପୁଲିସ ଆଖପାଖରେ ଥିବା ସିସିଟିଭି ଯାଞ୍ଚ କରୁଛି। ଗାଡ଼ିକୁ ଠାବ କରିବା ପରେ ହୁଏତ ରହସ୍ୟ ଉପରୁ ପର୍ଦ୍ଦା ହଟିପାରେ।

ସୁରକ୍ଷା ପାଇଁ ରଖୁଥିଲେ ଗୁପ୍ତି

ରାମାରାଓଙ୍କ ଅଣ୍ଟାରେ ଏକ ଗୁପ୍ତି ଥିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେ କାହିଁକି ଅଣ୍ଟାରେ ମାରଣାସ୍ତ୍ର ରଖୁଥିଲେ? ତାଙ୍କ ଭଉଣୀ କହିଛନ୍ତି ଯେ ଅପରାଧ ଛାଡ଼ି ପୁଲିସକୁ ସହଯୋଗ କରୁଥିବାରୁ ରାମାରାଓଙ୍କର ଅନେକ ଶତ୍ରୁ ସୃଷ୍ଟି ‌ହୋଇଥିଲେ। ତେଣୁ ନିଜ ସୁରକ୍ଷା ପାଇଁ ସେ ପାଖରେ ଲୁଚାଇ କରି ଗୁପ୍ତିଟିକୁ ରଖୁଥିଲା।

ପୁଲିସ ମିତ୍ରଙ୍କ ଭିତରେ ଭୟ

ପୁଲିସ ମିତ୍ର ରାମାରାଓଙ୍କ ରହସ୍ୟଜନକ ମୃତ୍ୟୁ ପରେ ଏବେ ରାଜଧାନୀର ଅନ୍ୟ ପୁଲିସ ମିତ୍ରଙ୍କ ଭିତରେ ଭୟ ଖେଳିଯାଇଛି। ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସକୁ ଖବର ଦେଉଥିବା, ଅପରାଧୀଙ୍କୁ ଧରିବାରେ ସହଯୋଗ କରୁଥିବା ପୁଲିସ ମିତ୍ର ସୁରକ୍ଷିତ ତ? ସେମାନଙ୍କୁ ପୁଲିସ ସୁରକ୍ଷା ଦେଇପାରିବ ତ? ଏଭଳି ଅନେକ ପ୍ରଶ୍ନ ଏବେ ସେମାନଙ୍କ ମନରେ ଆନ୍ଦୋଳିତ ହେଉଛି।