ଘୁଞ୍ଚିଲା ଉତ୍କଳ ବିଶ୍ବବିଦ୍ୟାଳୟକୁ ନାକ୍‌ ଟିମ୍‌ ଗସ୍ତ

ଏପ୍ରିଲ ୧୯ରେ ତିନି ଦିନିଆ ଗସ୍ତରେ ଆସିବେ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟକୁ ଆସିବାକୁ ଥିବା ନାକ୍‌ ଟିମ୍‌ର ଗସ୍ତ ସୂଚୀରେ ପରିବର୍ତ୍ତନ ହୋଇଛି। ମାର୍ଚ୍ଚ ୨୯ରୁ ୩୧ ପର୍ଯ୍ୟନ୍ତ ତିନିଦିନିଆ ଗସ୍ତରେ ନାକ୍‌ ଟିମ୍‌ ଆସିବାକୁ ଥିବାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଭିତ୍ତିଭୂମି ବିକାଶ ସହ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଇ ନାକ୍‌ ଟିମ୍‌କୁ ଅପେକ୍ଷା କରିଥିଲେ କର୍ତ୍ତୃପକ୍ଷ। ମାତ୍ର ଶେଷ ମୁହୂର୍ତ୍ତରେ ନାକ୍‌ ଟିମ୍‌ ଗସ୍ତ ବାତିଲ୍‌ ହୋଇଛି। କେଉଁ କାରଣ ଲାଗି ବାତିଲ୍‌ ହୋଇଥିବା ଜଣାପଡ଼ି ନ ଥିଲେ ମଧ୍ୟ ସୋମବାର ନାକ୍‌ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିରାଶ ହୋଇଛନ୍ତି। ତେବେ ଏପ୍ରିଲ ୧୯ରୁ ତିନି ଦିନିଆ ଗସ୍ତରେ ନାକ୍‌ ଟିମ୍‌ ଆସିବ ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି।

ଇତିମଧ୍ୟରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ନୂଆ ରୂପ ଦିଆଯାଇଛି। ସମସ୍ତ ବିଭାଗ ନିଜ ନିଜର ଗବେଷଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ସହ ଡକ୍ୟୁମେଣ୍ଟେସନ କରି ସାରିଛନ୍ତି। ଛାତ୍ରାବାସ ଓ ଛାତ୍ରୀନିବାସଗୁଡ଼ିକର ମରାମତି ସରିଛି। ପିଲାଙ୍କ ସୁରକ୍ଷା ବୃଦ୍ଧି ଲାଗି ଛାତ୍ରାବାସ ଚାରିପାଖରେ ପାଚେରି, ପରିତ୍ୟକ୍ତ ଅବସ୍ଥାରେ ଥିବା ସେଣ୍ଟ୍ରାଲ କ୍ୟାଣ୍ଟିନ୍‌ର ନବକଳେବର ହୋଇଛି। ସମ୍ପୂର୍ଣ୍ଣ ନୂତନ ଢାଞ୍ଚାରେ ସେଣ୍ଟ୍ରାଲ କ୍ୟାଣ୍ଟିନ୍‌କୁ ବିଶ୍ବସ୍ତରୀୟ କାମ ଜାରି ରହିଛି। ରାସ୍ତାପାର୍ଶ୍ବରେ ସବୁଜ ଘାସ ଗାଲିଚା ନାକ୍‌ ଟିମ୍‌କୁ ସ୍ବାଗତ କରିବାକୁ ବିଛା ହୋଇଛି। କ୍ୟାମ୍ପସ ପ୍ରବେଶ ପଥର ଦୁଇ ପାର୍ଶ୍ବରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ଘାସ ଗାଲିଚା ବିଛା ସରିଛି। ବିଭିନ୍ନ ସ୍ଥାନରେ ହମ୍ପସ୍‌ ନିର୍ମାଣ କରାଯାଇ ଟ୍ରାଫିକ୍‌ ନିୟନ୍ତ୍ରଣ କରାଯାଇଛି।

ସୂଚନାଯୋଗ୍ୟ ଯେ ୨୦୧୬ରେ ନାକ୍‌ ଗସ୍ତ ସମୟରେ ଶିକ୍ଷାନୁଷ୍ଠାନକୁ ‘ଏ+’ ଗ୍ରେଡ୍‌ ମାନ୍ୟତା ମିଳିଥିଲା। ଏଥର ତାହାକୁ ବଜାୟ ରଖିବା ଲାଗି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରୟାସ ଜାରି ରଖିଛନ୍ତି। ରାଜ୍ୟର ପ୍ରଥମ ତଥା ଏକମାତ୍ର ବିଶ୍ବବିଦ୍ୟାଳୟ ହିସାବରେ ‘ଏ+’ ଗ୍ରେଡ୍‌ ପାଇଥିବା ଉତ୍କଳରେ ପାଠପଢ଼ା ସାଙ୍ଗକୁ ଗବେଷଣା, ଭିତ୍ତିଭୂମି, ଅନ୍ୟ ଶିକ୍ଷାନୁଷ୍ଠାନ ସହ ସହଭାଗିତା ଇତିମଧ୍ୟ‌ରେ ବହୁ ପରିମାଣରେ ବୃଦ୍ଧି ପାଇଛି। କୁଳପତି ପ୍ରଫେସର୍‌ ସବିତା ଆଚାର୍ଯ୍ୟଙ୍କ ନେତୃତ୍ବରେ ଗଠିତ ୭ଟି କମିଟି ୧୦ ମାସ ହେଲା ଏ ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର