ମାସକରେ ଦବିଗଲା ନାକାଗେଟ୍‌-ଘାଟିକିଆ ରାସ୍ତା: ୨୦ରୁ ଅଧିକ ଖାଲ ଓ ଫାଟ

ଖଣ୍ଡଗିରି: ମାସକ ତଳେ ସରିଥିଲା ରାସ୍ତା କାମ। ନୂଆ ପିଚୁ ପଡ଼ି ଚକାଚକ୍‌ ହୋଇଥିଲା ରାସ୍ତା। ମାତ୍ର ଅସରାଏ ବର୍ଷାରେ ଦବିଗଲା ପିଚୁ। ଏବେ ୨ କିମି ଦୈର୍ଘ୍ୟର ରାସ୍ତାରେ ସୃଷ୍ଟି ହୋଇଛି ୨୦ରୁ ଅଧିକ ଖାଲ ଓ ଫାଟ। ଏହା ହେଉଛି ନାକାଗେଟ୍ ଛକରୁ କଳିଙ୍ଗନଗର ଦିଗରେ ଘାଟିକିଆ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାର ଅବସ୍ଥା। ଏଭଳି ନିମ୍ନମାନର କାମକୁ ନେଇ ସ୍ଥାନୀୟ ଅଞ୍ଚଳ‌ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ୩ ମାସ ତଳେ ୱାଟ୍‌କୋ ତରଫରୁ ସ୍ବେରେଜ୍ କାମ ପାଇଁ ନାକାଗେଟ୍ ଛକରୁ ଘାଟିକିଆ ଗାଁ ପର୍ଯ୍ୟନ୍ତ ରାସ୍ତାକୁ ଖୋଳାଯାଇଥିଲା। ଏହି ସମୟରେ ଲୋକେ ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କାମ ବିଳମ୍ବ ହେଉଥିବା ଅଭିଯୋଗ କରି ଲୋକେ ପ୍ରତିବାଦ କରିଥିଲେ। ତେଣୁ ସ୍ବେରେଜ କାମ ଶେଷ ହେବା ପରେ ପରେ ରାସ୍ତା କାମ ଆରମ୍ଭ ହୋଇଥିଲା। ତରବରିଆ ଭାବେ ରାସ୍ତାରେ ପିଚୁ ପକାଇଦେଲେ। ଫଳରେ ମାତ୍ର ଗୋଟିଏ ମାସ ନ ପୂରୁଣୁ ସ୍ବେରେଜ୍ ଚ୍ୟାମ୍ବର ପାଖରେ କେଉଁଠି ପିଚୁ ଦବି ଗଲାଣି ତ କେଉଁଠି ପିଚୁ ଫାଟି ଆଁ କରିଛି। ଫଳରେ ରାସ୍ତାରେ ବର୍ଷା ପାଣି ଜମି ରହୁଛି ଓ ଯାନବାହାନ ଖାଲରେ ପଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ରାତିରେ ଗାଡ଼ିଚାଳକମାନେ ଗାତରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି।

ଏନେଇ ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପୂର୍ଣଚନ୍ଦ୍ର ଦଳାଇ କହିଛନ୍ତି ଯେ ସ୍ବେରେଜ୍ କାମ କରିବା ପାଇଁ ୱାଟ୍‌କୋକୁ ଅନୁମତି ଦିଆଯାଇଥିଲା। ସ୍ବେରେଜ୍‌ କାମ ସରିବା ପରେ ରାସ୍ତା ମରାମତି କରିବା ୱାଟ୍‌କୋର ଦାୟିତ୍ବ। ରାସ୍ତା ଦବି ଯାଇଥିବାରୁ ଏବେ ୱାଟ୍‌କୋକୁ ହିଁ ମରାମତି କରିବାକୁ ହେବ। ରାସ୍ତାର ପୂର୍ବାବସ୍ଥା ନ ଫେରିଲେ ୱାଟ୍‌କୋ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ଓ ରାସ୍ତାକୁ ପୂର୍ତ୍ତ ବିଭାଗ ପକ୍ଷରୁ ମରାମତି କରାଯିବ। ୱାଟ୍‌କୋ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭରତ ଚନ୍ଦ୍ର ଦଳେଇ ଘଟଣାକୁ ସ୍ବୀକାର କରିଛନ୍ତି ଓ ତରବରିଆ କାମ ଯୋଗୁଁ ଏହି ସମସ୍ୟା ଦେଖାଦେଇଛି ବୋଲି କହିଛନ୍ତି। ଏହା ଉପରେ ନଜର ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର