କ୍ଲବ୍ ବାରଣ୍ଡାରୁ ଯୁବକଙ୍କ ଉଲଗ୍ନ ଶବ ଉଦ୍ଧାର

ତ୍ରିଶୁଳିଆ/ବାରଙ୍ଗ: ନରଣପୁର ଗ୍ରାମସ୍ଥିତ ମହାବୀର ସ୍ପୋର୍ଟସ୍‌ କ୍ଲବ ବାରଣ୍ଡାରୁ ବାରଙ୍ଗ ଥାନା ପୁଲିସ୍‌ ଆଜି ଜଣେ ଯୁବକଙ୍କ ଉଲଗ୍ନ ଶବ ଜବତ କରିଛି। ମୃତକ ହେଲେ, ସ୍ଥାନୀୟ ମୁଣ୍ଡମୁହାଣ ଗ୍ରାମର ଟିକିନା ସ୍ବାଇଁ (୫୦)। ସେ ଜଣେ ରାଜମିସ୍ତ୍ରୀ। ପୁଲିସ୍‌ ଶବକୁ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ଟିକିନାଙ୍କ ଡାହାଣ ଜଙ୍ଘ ଓ ମୁଣ୍ଡରେ ଆଘାତ ଚିହ୍ନ ଥିବାରୁ ତାଙ୍କ ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। କେହି ତାଙ୍କୁ ହତ୍ୟା କରି ଏଠାରେ ପକାଇ ଦେଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। କିନ୍ତୁ ପତ୍ନୀ ଜୟନ୍ତୀ ଓ ବଡ଼ ଭାଇ ସୁରଥଙ୍କ କହିବାନୁଯାୟୀ, ଟିକିନାଙ୍କ ସହ କାହାରି ଶତ୍ରୁତା ନଥିଲା।

ଟିକିନା ଅଧିକାଂଶ ସମୟ ମଦ ପିଇ ଏଣେତେଣେ ବୁଲାବୁଲି କରନ୍ତି। ଗତ ରାତିରେ ବି‌ ସେ ମଦ ପିଇଥିଲେ। ରାତି ୯ଟା ବେଳେ ସେ ଘରୁ ଚାଲି ଆସିଥିଲେ ହେଁ ଆଉ ଫେରି ନଥିଲେ। ତେଣୁ ମୃତ୍ୟୁର ସଠିକ୍‌ କାରଣ ସଂପର୍କରେ ସେମାନେ ଜାଣି ନଥିବା ପୁଲିସ୍‌କୁ କହିଛନ୍ତି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।
ବାରଙ୍ଗ ଥାନା ଆଇ ଆଇସି ଶଶିକାନ୍ତ ରାଉତଙ୍କ ସୂଚନାନୁଯାୟୀ, ଆଜି ସକାଳେ କ୍ଲବ୍‌ ବାରଣ୍ଡାରେ ଉଲଗ୍ନ ଅବସ୍ଥାରେ ଜଣେ ଯୁବକଙ୍କ ଶବ ପଡ଼ିଥିବା ନେଇ କିଛି ଲୋକ ପୁଲିସ୍‌କୁ ସୂଚନା ଦେଇଥିଲେ। ଶବ ପାଖରେ ଗୋଟିଏ ଗାମୁଛା, ଗଞ୍ଜି, ସାର୍ଟ ଓ ରବର ଜୋତା ପଡ଼ିଥିବା ବେଳେ ପେଟ ଉପରେ ପ୍ୟାଣ୍ଟ ଓ ବେକ ପାଖରେ ଏକ ଦିଆସିଲି ରହିଥିଲା। ଖବର ପାଇ ମୃତକଙ୍କ ପତ୍ନୀ ଜୟନ୍ତୀ ଓ ବଡ଼ଭାଇ ସୁରଥ ଘଟଣାସ୍ଥଳରେ ପହଞ୍ଚି ଟିକିନାଙ୍କୁ ଚିହ୍ନଟ କରିଥିଲେ। ପରେ ଏସିପି ସତ୍ୟରଞ୍ଜନ ମଲିକଙ୍କ ସହ ଆସିଥିବା ସାଇଣ୍ଟିଫିକ୍‌ ଦଳ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ କଟକ ପଠାଯାଇଥିଲା। ତେବେ ରିପୋର୍ଟ ଆସିବା ପରେ ଟିକିନାଙ୍କ ମୃତ୍ୟୁ ଉପରୁ ପରଦା ହଟିପାରିବ ବୋଲି ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର