ଚନ୍ଦ୍ରଶେଖରପୁର: ଶିକ୍ଷା ହବ୍‌ ଭୁବନେଶ୍ବର। ଏଠାରେ ମାଳ ମାଳ ଶିକ୍ଷାନୁଷ୍ଠାନ। ଯୁଆଡ଼େ ଚାହିଁଲେ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ। ଆଇଆଇଟି, ନାଇଜର, ଆଇଏମ୍‌ଏମ୍‌ଟି ପରି ଜାତୀୟସ୍ତରର ନାମକରା ଗବେଷଣା ପ୍ରତିଷ୍ଠାନ। ଇନ୍‌ଫୋସିଟି ଅଞ୍ଚଳରେ ଛତୁ ଫୁଟିଲା ପରି ମ୍ୟାନେଜ୍‌ମେଣ୍ଟ କଲେଜ। ସହର ଉପକଣ୍ଠରେ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭର୍ତ୍ତି। ୫ଟି ଲେଖାଏ ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ। ଭିତ୍ତିଭୂମି କୌଣସି ଗୁଣରେ କମ୍‌ ନୁହଁନ୍ତି ଏ‌ହି ସବୁ ଅନୁଷ୍ଠାନ। ବଡ଼ ବଡ଼ କୋଠାରେ ହଜାର ହଜାର ଛାତ୍ରଛାତ୍ରୀ ପଢ଼ୁଛନ୍ତି। ତା’ସତ୍ତ୍ବେ ବି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ରାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ(ଏନ୍‌ଆଇଆରଏଫ୍‌) ତାଲିକାରେ ଶିକ୍ଷା ହବ୍‌ର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି। ଗତବର୍ଷ ପରି ୩ରୁ ୪ଟି ଘରୋଇ ବିଶ୍ବବିଦ୍ୟାଳୟ ଏହି ତାଲିକାରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ଗୋଟିଏ ସମୟରେ ରୢାଙ୍କିଙ୍ଗ୍‌ରେ ଉପରକୁ ଚଢ଼ୁଥିବା ଭୁବନେଶ୍ବର ଆଇଆଇଟି ଏବେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ପହଞ୍ଚିଥିବା ବେଳେ ରାଜ୍ୟ ସରକାରଙ୍କ ସମ୍ମାନ ରଖିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)।

Advertisment

ସରକାରୀ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସଜାଡ଼ିବା ପାଇଁ ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରୁଛନ୍ତି। ଗୋଟିଏ ପରେ ଗୋଟିଏ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଉଛି। ପାଠ୍ୟକ୍ରମରେ ସଂସ୍କାର ବି ଅଣାଯାଉଛି। ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ସରକାର ମଧ୍ୟ ହାତ ବଢ଼ାଇ ରୁସା ପାଣ୍ଠିରୁ କୋଟି କୋଟି ଟଙ୍କା ଅର୍ଥ ଦେଉଛନ୍ତି। ଏତେ ସବୁ ପରେ ବି ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ଥିତିରେ କୌଣସି ପରିବର୍ତନ ହେଉନି। ଗବେଷଣା ବର୍ଗରେ ରାଜ୍ୟ ସରକାରଙ୍କ ଗୋଟିଏ ବି ହେଲେ ଶିକ୍ଷାନୁଷ୍ଠାନ‌ ସ୍ଥାନ ନ ପାଇବା ଚିନ୍ତାର ବିଷୟ।

ଆଶ୍ବାସନାର ବିଷୟ ହେଉଛି ଯେ ଦେଶର ‘ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ’ ବର୍ଗରେ ଓଡ଼ିଶାରୁ ୩ଟି ବିଶ୍ବବିଦ୍ୟାଳୟ ସ୍ଥାନ ପାଇଛନ୍ତି। ଯେଉଁଥିରେ ସୋଆ ୧୫, କିଟ୍‌ ୧୬ ଓ ଉତ୍କଳ ବିଶ୍ବବିଦ୍ୟାଳୟ ୯୩ତମ ସ୍ଥାନରେ ରହିଛନ୍ତି। ରାଜ୍ୟର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ ଏହି ବର୍ଗରେ ପୂର୍ବ ଭଳି ସ୍ଥିତି ଜାହିର କରିଛି। ଏହାବ୍ୟତୀତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ପୁଣିଥରେ ଏନ୍‌ଆଇଆରଏଫ୍‌ ତାଲିକାକୁ ଫେରିବା ସହ ୧୦୧ରୁ ୧୫୦ ବିଶ୍ବବିଦ୍ୟାଳୟ ମଧ୍ୟରେ ରହିଛି। କୃଷି ଶିକ୍ଷାନୁଷ୍ଠାନ ବର୍ଗରେ ୨୨ତମ ସ୍ଥାନରେ ରହି ଓଡ଼ିଶାର ସମ୍ମାନ ରଖିଛି। ସେହିପରି ମେଡିକାଲ ବର୍ଗରେ ଭୁବନେଶ୍ବର ଏମ୍‌ସ ୧୭ତମ ସ୍ଥାନରେ ରହିବା କିଛିଟା ଆଶ୍ବସ୍ତି ଆଣି ଦେଇଛି। ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ୧୦୧ରୁ ୧୫୦ ଭିତରେ ରହିଛି।

ଚିନ୍ତାର ବିଷୟ ହେଉଛି ଯେ ଭୁବନେଶ୍ବରକୁ ପୂର୍ବ ଭାରତର ଶିକ୍ଷା ହବ୍‌ କୁହାଯାଉଥିଲେ ମଧ୍ୟ କଲେଜ ବର୍ଗରେ ସହରର ଗୋଟିଏ ବି ଶିକ୍ଷାନୁଷ୍ଠାନ ସାମିଲ ହୋଇନାହାନ୍ତି। ଇ-ପାଠାଗାର, ଡିଜିଟାଲ କ୍ଲାସରୁମ୍‌, କ୍ୟାମ୍ପସ ସମ୍ପ୍ରସାରଣ ପରି ଦିଗ ପ୍ରତି ଦୃଷ୍ଟି ଦିଆଯାଉଥିଲେ ମଧ୍ୟ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ସରକାରୀ ଶିକ୍ଷାନୁଷ୍ଠାନର ନୈରାଶ୍ୟଜନକ ପ୍ରଦର୍ଶନ ରାଜ୍ୟର ଉଚ୍ଚଶିକ୍ଷାର ଦୁର୍ବଳ ସ୍ଥିତିକୁ ଜାହିର‌୍‌ କରୁଛି। ଗୁଣାତ୍ମକ ଶିକ୍ଷା, ଗବେଷଣାକୁ ନେଇ ଡିଣ୍ତିମ ପିଟୁଥିବା ରାଜ୍ୟ ସରକାରଙ୍କ କୌଣସି ବି ବିଶ୍ବବିଦ୍ୟାଳୟ ଗବେଷଣା ବର୍ଗରେ ସ୍ଥାନ ପାଇ ନାହାନ୍ତି। ବୈଷୟିକ ଶିକ୍ଷା ତଥା ଇଞ୍ଜିନିୟରିଂରେ ବି ସମାନ ସ୍ଥିତି। ବିଗତବର୍ଷଗୁଡ଼ିକରେ ରାଜଧାନୀର ୪ରୁ ୫ଟି ଶିକ୍ଷାନୁଷ୍ଠାନ ଇଞ୍ଜିନିୟରିଂ ଓ ମ୍ୟାନେଜ୍‌ମେଣ୍ଟ କଲେଜ ତାଲିକାରେ ସ୍ଥାନ ପାଉଥିଲେ ମଧ୍ୟ ଏଥର ଗୋଟିଏ ବି ନାହିଁ। ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ବର୍ଗରେ କେବଳ ଜାଭିଅର ଭୁବନେଶ୍ବର ୪୬ତମ ସ୍ଥାନରେ ରହିଛି। କଲେଜ ବର୍ଗର ଶ୍ରେଷ୍ଠ ୨୦୦ ମଧ୍ୟରେ ଓଡ଼ିଶାର ଗୋଟିଏ ବି ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହାନ୍ତି। ଫାର୍ମାସି ବର୍ଗରେ ଦେଶର ୧୨୫ ତାଲିକା ଓ ଆର୍କିଟେକଚର୍‌ ବର୍ଗର ଶ୍ରେଷ୍ଠ ୩୦ତାଲିକାରେ ଆଦୌ ଶିକ୍ଷାନୁଷ୍ଠାନ ସ୍ଥାନ ନ ପାଇବା ଉଚ୍ଚଶିକ୍ଷା ବ୍ୟବସ୍ଥାର ପ୍ରକୃତ ଚିତ୍ରକୁ ପଦାରେ ପକାଇଛି। ବିପିୟୁଟି ଅଧୀନରେ ସହରର ୪୦ରୁ ଅଧିକ ଇଞ୍ଜିନିୟରିଂ କଲେଜ ରହିଥିଲେ ମଧ୍ୟ ଗୋଟିଏ ବି ସରକାରୀ ଶିକ୍ଷାନୁଷ୍ଠାନ ଏହି ସର୍ଭେରେ ସ୍ଥାନ ନ ପାଇବା ବୈଷୟିକ ଶିକ୍ଷା ସ୍ଥିତିକୁ ପଦାରେ ପକାଇଛି।