ପୁରୁଣା ଭୁବନେଶ୍ୱର: ବଢ଼ିଛି ଭୁବନେଶ୍ବର ସହରର କଳେବର। ତା ସହ ବଢ଼ିଛି ଗୋଟିଏ ପରେ ଗୋଟିଏ ନଗର। ଭୁବନେଶ୍ବର ସହର ଭିତରେ ଓ ସହର ଉପକଣ୍ଠରେ ବହୁ ‘ନଗର’ ଓ ‘ବିହାର’ ଗଢ଼ି ଉଠିଥିବା ବେଳେ ଏବେ ବି କେତେକ ସାହି ସହର ଭିତରେ ସଗର୍ବରେ ନିଜର ଅସ୍ତିତ୍ବ ଜାହିର କରୁଛନ୍ତି। ଏହି ସାହିଗୁଡ଼ିକ ନିଜର ପୁରୁଣା ପରମ୍ପରା, ଚଳଣି ସହିତ ସାହିର ନାମକରଣକୁ ନେଇ ଗର୍ବ ଅନୁଭବ କରନ୍ତି। ଏଥର ସ୍ବତନ୍ତ୍ର ସ୍ତମ୍ଭରେ କେଉଁ ପରିସ୍ଥିତିରେ ଭୁବନେଶ୍ବରର ବିଭିନ୍ନ ସାହିର ନାମକରଣ ହେଲା, ସେ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନାରେ ପୁରୁଣା ଭୁବନେଶ୍ବରର ‘ଜମେଶ୍ୱର ପାଟଣାସାହି’।
ପୁରୁଣା ଭୁବନେଶ୍ବରରେ ବିଭିନ୍ନ ସେବାୟତ ସମ୍ପ୍ରଦାୟର ଲୋକ ନିର୍ଦ୍ଦିଷ୍ଟ ସାହିରେ ରହୁଥିବାରୁ ସେହି ସାହିକୁ ସେବାୟତଙ୍କ ନାମରେ ନାମିତ କରାଯାଇଛି। ତେବେ ଏକ୍ଷେତ୍ରରେ ଜମେଶ୍ବର ପାଟଣାସାହି ଏକ ବ୍ୟତିକ୍ରମ। ବିଭିନ୍ନ ସମ୍ପ୍ରଦାୟର ସେବାୟତ ଜମେଶ୍ବର ମନ୍ଦିର ନିକଟରେ ରହୁଥିବାରୁ ସାହିର ନାଁ ହୋଇଛି ‘ଜମେଶ୍ବର ପାଟଣାସାହି’। ଏହି ସାହିରେ ପ୍ରାୟ ସବୁ ସେବାୟତଙ୍କ ଘର ରହିଛି। ସୁଆଁସିଆ ସେବା, ମହାଜନ କଉଡ଼ି ସେବା, ଆପଟିଆ ସେବା, ତ୍ରିଶାଖା ଦୁହଡ଼ି ସେବା, ସମର୍ଥା ସେବା ଆଦି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସେବା କରୁଥିବା ସେବାକାରୀମାନେ ଏହି ସାହିରେ ରୁହନ୍ତି। ଏହି ସାହିରେ ପୂର୍ବରୁ ଧନୀକ ଶ୍ରେଣୀର ଲୋକେ ନ ଥିଲେ। ବହୁ ପରିବାର ଚାଷ ଉପରେ ନିର୍ଭର କରୁଥିଲେ। ସାହୁ ପରିବାର ଲୋକଙ୍କର ବ୍ୟବସାୟ ଥିବା ବେଳେ ମହାନ୍ତି ପରିବାର ଲୋକଙ୍କର ହୋଟେଲ ରହିଥିଲା। ସେମାନଙ୍କର ମନ୍ଦିର ନିକଟରେ ବ୍ୟବସାୟ ଓ ହୋଟେଲ ରହିଥିଲା। ପୂର୍ବରୁ ସାହିରେ ୫୦ ପରିବାର ରହୁଥିବା ବେଳେ ଏହା ଏବେ ୧୫୦ରୁ ଅଧିକ ହେଲାଣି। ସାହିର ଠିକ୍ ମଝିରେ ଭଗତ ଘର ନିକଟରେ ୭୬ବର୍ଷ ତଳେ ଦୁର୍ଗା ପୂଜା ଆରମ୍ଭ ହୋଇଥିଲା। ସେତେବେଳେ ମଣ୍ଡପ ତିଆରି ହୋଇନଥିଲା। ସ୍ବର୍ଗତ କଣ୍ଡୁରି ଚରଣ ପ୍ରଧାନ ପାଲ ଦେଉଥିଲେ। ଏହି ପାଲ ବାନ୍ଧି ପୂଜା ହେଉଥିଲା। ସାହି କମିଟି ରୋଜଗାର ପାଇଁ ମହତାବ ରୋଡ୍ ନିକଟରେ ଥିବା ହାଡ଼ିପୋଖରୀରେ ମାଛ ଚାଷ କରୁଥିଲେ। ଲିଙ୍ଗରାଜ ମନ୍ଦିର ଅଫିସ୍ ପକ୍ଷରୁ ନିଲାମ ଦିଆଯାଉଥିଲା। ସେଥିରୁ ଯାହା ଲାଭ ହେଉଥିଲା ସେଥିରେ ପୂଜା ହେଉଥିଲା। ସ୍ବର୍ଗତ ଦୁର୍ଯ୍ୟୋଧନ ସ୍ବାଇଁ ସାହି ମୁରବି ଥିବା ବେଳେ ସାହି ଲୋକଙ୍କୁ ଏକାଠି କରି ସାହିର ବିକାଶ ପାଇଁ କାର୍ଯ୍ୟ କରିଥିଲେ। ଭଗତ ଘର ନିକଟରେ ଓ ମଙ୍ଗଳା ସାହି ଛକ ପୂର୍ବରୁ ୟୁନିୟନ ବୋର୍ଡ ପକ୍ଷରୁ ଦୁଇଟି କୂଅ ଥିଲା। ସେଥିରୁ ପାଣି ନେଇ ସମସ୍ତେ ଚଳୁଥିଲେ।
ପୂର୍ବରୁ ଥିବା ସାହିର କଳେବର ଏବେ ବଢ଼ିଛି। ପୂର୍ବରୁ ପରକରଣ ସାହି ଛକରୁ ସାହି ଆରମ୍ଭ ହୋଇ ପଣ୍ଡିତ ରଘୁନାଥ ସ୍କୁଲ ପର୍ଯ୍ୟନ୍ତ ଲମ୍ବିଥିଲା। ମଙ୍ଗଳା ସାହି ଛକରୁ ଅଗାଧୁ ଖଟେଇ ଘର ପର୍ଯ୍ୟନ୍ତ, ଦୁଲ୍ଲାଦେବୀ ଗଳିରେ ଘନ ପ୍ରଧାନଙ୍କ ଘର ଯାଏଁ ଲମ୍ବିଥିବା ସାହି ଏବେ ନାରାୟଣୀ କ୍ଲବ୍ ପର୍ଯ୍ୟନ୍ତ ଲମ୍ବିଛି। ସାହିର ପୁରୁଣା ଢାଞ୍ଚା ବଦଳିଛି, ହେଲେ ବଦଳି ନାହିଁ ସାହିର ବିଭିନ୍ନତା ମଧ୍ୟରେ ଏକତାର ଭାବନା।
ପ୍ରସନ୍ନ କୁମାର ସ୍ବାଇଁ
ସଭାପତି, ଜମେଶ୍ବର ପାଟଣା ଜୟଦୁର୍ଗା ସମିତି
ଏହି ସାହିରେ ପ୍ରାୟ ୫୦ଟି ପରିବାର ବାସ କରୁଥିଲେ। ଦୁର୍ଗା ପୂଜା ଏହାର ମୁଖ୍ୟ ପୂଜା। ଏଥିରେ ପରକରଣ ସାହି ପରିବାର ସହଯୋଗ କରନ୍ତି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ସେବାୟତ ପରିବାର, ଚାଷୀ ଓ ବ୍ୟବସାୟୀମାନେ ଏଠାରେ ରହୁଥିଲେ। ସମସ୍ତେ ଦଶହରାରେ ଏକାଠି ହେଉଥିଲେ। ଏବେ ସାହିର ପରିବାର ସଂଖ୍ୟା ଢେର ବଢ଼ିଛି। ତଥାପି ସମସ୍ତଙ୍କ ମଧ୍ୟରେ ସମ୍ପର୍କ ଅତୁଟ ରହିଛି।
ପ୍ରଫୁଲ୍ଲ କୁମାର ସାହୁ, ବରିଷ୍ଠ ସଭ୍ୟ