ଅନ୍‌ଲାଇନ୍‌ରେ ହେବ ବାଘୁଣୀ ସ୍ନେହା ଶାବକଙ୍କ ନାମକରଣ, ନନ୍ଦନକାନନ ୱେବ୍‌ସାଇଟ୍‌ରେ ନାଁ ରଖିବେ ପର୍ଯ୍ୟଟକ

ବାରଙ୍ଗ: ଆସନ୍ତା ୧୨ ତାରିଖରେ ନନ୍ଦନକାନନର ଧଳା ବାଘୁଣୀ ସ୍ନେହାର ଦୁଇ ଶାବକଙ୍କ ନାମକରଣ କରାଯିବ। ଗତ ଜାନୁଆରୀ ୯ ତାରିଖରେ ମହାବଳ ବାଘ ‘ସଫ୍‌’ ଓ ସ୍ନେହାଙ୍କ ମିଳନରୁ ଜନ୍ମ ନେଇଥିବା ଏହି ଦୁଇ ଶାବକଙ୍କ ନାମକରଣ ଏଥର ଅନ୍‌ଲାଇନ୍‌ରେ କରାଯିବ ବୋଲି କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି। ତେଣୁ ପର୍ଯ୍ୟଟକ ତଥା ଆଗ୍ରହୀ ପ୍ରାଣୀପ୍ରେମୀମାନେ ନନ୍ଦନକାନନ ୱେବ୍‌ସାଇଟ୍‌ରେ ବାଘ ଛୁଆଙ୍କ ନାମକରଣ କରିବେ ଓ ସେଥିରୁ ଦୁଇଟି ସୁନ୍ଦର ନାଁକୁ ମନୋନୀତ କରାଯିବ।

ପୂର୍ବରୁ ନନ୍ଦନକାନନରେ ନବଜାତ ବାଘ, ସିଂହ ଓ ହାତୀ ଶାବକଙ୍କ ନାମକରଣ ପାଇଁ ପର୍ଯ୍ୟଟକମାନଙ୍କୁ ସିଧାସଳଖ ଅଂଶ ଗ୍ରହଣ କରିବା ମଉକା ମିଳୁଥିଲା। ନାମକରଣ ପାଇଁ ଧାର୍ଯ୍ୟ ଦିନରେ ପର୍ଯ୍ୟଟକମାନେ ବାଘ ଖୁଆଡ଼ ନିକଟରେ ରଖାଯାଇଥିବା ଏକ ବାକ୍ସରେ କାଗଜରେ ନାଁ ଲେଖି ପକାନ୍ତି। ସେଥିରେ ଛୁଆଙ୍କ ନାଁ ସହିତ ପର୍ଯ୍ୟଟକଙ୍କ ଠିକଣା ଉଲ୍ଲେଖ ରହିଥାଏ। ପରେ କର୍ତ୍ତୃପକ୍ଷ ଉକ୍ତ ନାମ ସବୁକୁ ନେଇ ସେଥିରୁ ସୁନ୍ଦର ନାମକୁ ଘୋଷଣା କରନ୍ତି। ମନୋନୀତ ହୋଇଥିବା ନାଁ ଲେଖିଥିବା ପର୍ଯ୍ୟଟକଙ୍କୁ ପୁରସ୍କୃତ କରାଯାଉଥିଲା। ମାତ୍ର ଏଥର ବାଘୁଣୀ ସ୍ନେହାର ଦୁଇ ଅଣ୍ଡିରା ଶାବକଙ୍କ ନାମକରଣରେ ପର୍ଯ୍ୟଟକମାନେ ସିଧାସଳଖ ଅଂଶ ଗ୍ରହଣ କରିପାରିବେ ନାହିଁ। ଦୀର୍ଘ ୭ ମାସ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିଲେ ମଧ୍ୟ ଏବେ କରୋନା ମହାମାରୀ ଭୟରେ ବହୁ କମ୍‌ ସଂଖ୍ୟକ ପର୍ଯ୍ୟଟକ ଆସୁଛନ୍ତି। ତେଣୁ ଅଧିକ ସଂଖ୍ୟକ ଲୋକଙ୍କୁ ଏହି ନାମକରଣ ପ୍ରକ୍ରିୟାରେ ସାମିଲ୍ କରିବା ପାଇଁ କର୍ତ୍ତୃପକ୍ଷ ଅନ୍‌ଲାଇନ୍‌ ବ୍ୟବସ୍ଥା କରିଛନ୍ତି। ଫଳରେ ନନ୍ଦନକାନନ ନ ଆସିପାରୁଥିବା ପର୍ଯ୍ୟଟକମାନେ ମଧ୍ୟ ଏଥିରେ ସାମିଲ୍ ହୋଇ ପାରିବେ। ତେବେ ମନୋନୀତ ନାଁ ଦେଇଥିବା ପର୍ଯ୍ୟଟକଙ୍କୁ ପୁରସ୍କୃତ କରାଯିବ କି ନାହିଁ, ତାହା ପରେ ସ୍ଥିର କରାଯିବ ବୋଲି ସୂଚନା ମିଳିଛି। ଏଥର ପର୍ଯ୍ୟଟକ ଓ ବନ୍ୟଜନ୍ତୁ ପ୍ରେମୀମାନେ ନନ୍ଦନକାନନ ୱେବ୍‌ସାଇଟରେ ବାଘଛୁଆଦ୍ବୟଙ୍କ ନାଁ ଲେଖି ଜଣାଇବାକୁ ସୋସିଆଲ ମିଡିଆରେ କର୍ତ୍ତୃପକ୍ଷ ଅବଗତ କରାଇଛନ୍ତି।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୯ ତାରିଖରେ ସ୍ବାଭାବିକ ରଙ୍ଗର ମହାବଳ ‘ସଫ୍’ ଓ ଧଳା ବାଘୁଣୀ ସ୍ନେହା ମିଳନରୁ ସାଧାରଣ ରଙ୍ଗର ୨ଟି ଅଣ୍ଡିରା ଶାବକ ଜନ୍ମ ଲାଭ କରିଥିଲେ। ଶଙ୍କରଜାତୀୟ ଏହି ବାଘଛୁଆ ଦୁଇଟି ବେଶ୍ ସୁନ୍ଦର ହୋଇଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ସେମାନଙ୍କ ପାଇଁ ଦୁଇଟି ସୁନ୍ଦର ଓ ଆକର୍ଷଣୀୟ ନାଁ ରଖିବାକୁ ଇଛା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏବେ ନନ୍ଦନକାନନରେ ବର୍ତ୍ତମାନ ବାଘ ସଂଖ୍ୟା ୨୭। ସେମାନଙ୍କ ମଧ୍ୟରେ ଧଳା ରଙ୍ଗର ୫ଟି ପୁରୁଷ ଓ ୩ଟି ମାଈ ବାଘ ଅଛନ୍ତି। ସେହିଭଳି ସାଧାରଣ ନାଲି ରଙ୍ଗର ୭ଟି ପୁରୁଷ ଓ ୮ଟି ମାଈ ବାଘ ଅଛନ୍ତି। ତେବେ ପର୍ଯ୍ୟଟଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିବା ୪ଟି ବିରଳ କଳା ରଙ୍ଗର ବାଘ ଅଛନ୍ତି।

ସମ୍ବନ୍ଧିତ ଖବର