ଭୁବନେଶ୍ବର: ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ(ସିଏ) ପରିଷଦ (ଆଇସିଏଆଇ) ପ୍ରଫେସନାଲ ଡେଭଲପମେଣ୍ଟ୍ କମିଟି, କଟକ ଶାଖା ପକ୍ଷରୁ ହୋଟେଲ ପାଲ୍ ହାଇଟ୍ସଠାରେ ଦୁଇଦିନିଆ ସିଏ ସମ୍ମିଳନୀ ‘ମନ୍ଥନ’କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଆଜି ଉଦ୍ଘାଟନ କରିଛନ୍ତି। ସେ କହିଲେ, ସିଏମାନଙ୍କର ଅନେକ ସାମାଜିକ ଦାୟିତ୍ବ ରହିଛି। ଏହାକୁ ଠିକ୍ ଭାବେ ପାଳନ କରି ସେମାନେ ଦେଶର ବିକାଶରେ ଅଂଶୀଦାର ହୋଇପାରିବେ। ନାଲ୍କୋ ଅଧ୍ୟକ୍ଷ ଶ୍ରୀଧର ପାତ୍ର କହିଥିଲେ, ବିତ୍ତୀୟ ସ୍ବାସ୍ଥ୍ୟ ସମ୍ଭାଳିବାରେ ଆକାଉଣ୍ଟିଂ ପ୍ରଫେସନାଲମାନଙ୍କର ପ୍ରମୁଖ ଯୋଗଦାନ ରହିଥାଏ।
ପରିବର୍ତ୍ତିତ ସ୍ଥିତିରେ ନିଜକୁ ଅପ୍ଗ୍ରେଡ଼୍ କରି ପ୍ରଫେସନାଲମାନେ ଅନୁଷ୍ଠାନକୁ ଆଗକୁ ନେବାକୁ ସେ ଆହ୍ବାନ ଦେଇଥିଲେ। ଆଇସିଏଆଇର ଅଧ୍ୟକ୍ଷ ରବି କୁମାର ପତୱା କହିଥିଲେ, ଆକାଉଣ୍ଟ ପ୍ରଫେସନାଲ ଏବଂ ସିଏମାନେ କେବଳ ଭାରତ ନୁହେଁ, ସାରା ବିଶ୍ବରେ ବେଶ ଭଲ କାମ କରୁଛନ୍ତି। କଟକ ଶାଖାର ଅଧ୍ୟକ୍ଷ ରାକେଶ କୁମାର ପାତ୍ର କହିଥିଲେ, ପରିବର୍ତ୍ତିତ ସ୍ଥିତିରେ ନିଜକୁ ଅପଗ୍ରେଡ୍ କରି ପ୍ରଫେସନାଲମାନେ ଅନୁଷ୍ଠାନକୁ ଆଗକୁ ନେବାକୁ ସେ ଆହ୍ବାନ ଦେଇଥିଲେ। ସମ୍ମିଳନୀରେ ଗୁପ୍ତା ପାୱାର୍ ଇନ୍ଫ୍ରାଷ୍ଟ୍ରକଚର ସିଏମ୍ଡି ମହେନ୍ଦ୍ର ଗୁପ୍ତା, ଆୟୋଜକ କମିଟି ଅଧ୍ୟକ୍ଷ ଲଲାଟେନ୍ଦୁ ସାହୁ, କଟକ ଶାଖାର ସେକ୍ରେଟେରି ରତ୍ନା ରଚିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଥମ ଦିନରେ ବିଭିନ୍ନ ଟେକ୍ନିକାଲ ସେସନ ଆୟୋଜନ କରାଯାଇଥିଲା। ଏଥିରେ ଆୟକର ପରିବର୍ତ୍ତିତ ସ୍ଥିତି, ଅଡିଟରେ ନୂତନ ପଦ୍ଧତିର ବିନିଯୋଗ ଓ ନୂତନ ଯାନ୍ତ୍ରିକ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗ ସାମିଲ୍ ଥିଲା। ଏହି ଆଲୋଚନାରେ ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପରିଷଦର ପୂର୍ବତନ ସଭାପତି ସୁବୋଧ ଅଗ୍ରୱାଲ୍, ରଞ୍ଜନ ଅଗ୍ରୱାଲ୍, ଭିଶାଲ ଦୋଷର, କ୍ରିଷ୍ଣାକହ୍ନେୟା ବାଜୋରିଆ, ରାଜୀବ ଶେଖର ସାହୁ, ଡିଭି ରମଣା ପ୍ରମୁଖ ଆଲୋଚନା କରିଥିଲେ। ଦେଶର ବିଭିନ୍ନ ପ୍ରାନ୍ତରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।