ଡାକ ଓ ଦୂର ସଂଚାର ବିଭାଗର ରାଷ୍ଟ୍ରୀୟ ଅଧିବେଶନ

ଭୁବନେଶ୍ବର: ସର୍ବଭାରତୀୟ ଡାକ ଓ ଦୂରସଂଚାର ବିଭାଗୀୟ ଲେଖା ଓ ବିତ୍ତ ଅଧିକାରୀ ସଂଘର ପଞ୍ଚମ ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ ହୋଇଛି। କିଟ୍‌ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ତିନିଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ଡାକ ବିଭାଗର ବରିଷ୍ଠ ଉପମହାନିର୍ଦ୍ଦେଶକ ଗୋପାଳକୃଷ୍ଣ ପାଢ଼ୀ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟ କ୍ଷେତ୍ରରେ ଆଧ୍ୟାତ୍ମିକତା ଅବଲମ୍ବନ ପାଇଁ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଶୁକ୍ରବାର ଅନୁଷ୍ଠିତ ମୁକ୍ତ ଅଧିବେଶନରେ ଦୂର ସଂଚାର ବିଭାଗ, ଦିଲ୍ଲୀର ସଭ୍ୟ ଦିଲୀପ ପାଧ୍ୟେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧିକାରୀମାନଙ୍କ ସମସ୍ୟାକୁ ସହାନୁଭୂତିର ସହିତ ବିଚାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ମାନିତ ଅତିଥି ସଂଚାର ନିୟନ୍ତ୍ରକ ଲୋପାମୁଦ୍ରା ମହାନ୍ତି ଓ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶ, ଦକ୍ଷତା ବୃଦ୍ଧି ଓ ସମ୍ମିଳନୀ ଦିବସର ଐତିହାସିକ ମହତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଂଘର ସର୍ବଭାରତୀୟ ମହାସଚିବ ଧୂନା ରାମ ଯାଦବ ଅଧିକାରୀମାନଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ସଂଘର ଓଡ଼ିଶା ଶାଖାର ସମ୍ପାଦକ ଶ୍ରୀକାନ୍ତ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ତଥା ସମ୍ମିଳନୀର ଆବାହକ ଗଦାଧର ରଥ ଧନ୍ୟବାଦଦେଇଥିଲେ। ସଂଘର ସଭାପତି ବିନୋଦ ନିଝାୱାନ୍‌ ସଭା ପରିଚାଳନା କରିଥିଲେ।

ସମ୍ମିଳନୀରେ ଯୋଗ ଦେଇଥିବା ୨୨ଟି ରାଜ୍ୟର ପ୍ରତିନିଧିଙ୍କ ମଧ୍ୟରୁ ଆସନ୍ତା ଦୁଇବର୍ଷ ପାଇଁ ସର୍ବଭାରତୀୟ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ଓଡ଼ିଶା ଶାଖାରୁ ସର୍ବଭାରତୀୟ ଅତିରିକ୍ତ ମହାସଚିବ ଭାବେ ଗଦାଧର ରଥଙ୍କୁ ଚୟନ କରାଯାଇଥିବା ବେଳେ ସର୍ବଭାରତୀୟ ସାଂଗଠନିକ ସମ୍ପାଦକ ଭାବେ ଶ୍ରୀକାନ୍ତ ମହାପାତ୍ର ଓ କେନ୍ଦ୍ରୀୟ ସଚିବାଳୟର ସଦସ୍ୟା ଭାବେ ପାର୍ବତୀ ପ୍ରସାଦ ମିଶ୍ରଙ୍କୁ ମନୋନୀତ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟାରେ ମାନସ ଦାସ ଓ ସାଥୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର