ଭୁବନେଶ୍ବର: ଆଜି ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପ ଜନଜାତି ନୃତ୍ୟରେ ଦୁଲୁକିଥିଲା। ଓଡ଼ିଶା, ଗୁଜରାଟ, ମଣିପୁର, ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ, ସିକିମ୍, ଆସାମ ଓ ରାଜସ୍ଥାନରୁ ଆସିଥିବା ଜନଜାତିମାନେ ସେମାନଙ୍କ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ବି ମୋହିତ କରିଥିଲେ। ଓଡ଼ିଶାର ଧୁରୁଆ ଜନଜାତିଙ୍କ ବିରଲି ନୃତ୍ୟ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା। ଭାରତ ସରକାରଙ୍କ ଜନଜାତି ମନ୍ତ୍ରାଳୟ ସହାୟତାରେ ଅନୁସୂଚିତ ଜାତି, ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଥିବା ଏହି ୩ ଦିନିଆ ୧୧ତମ ‘ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ’ର ମାହୋଲ ଜନଜାତି ନୃତ୍ୟରେ ବେଶ୍ ରଙ୍ଗିନ୍ ହୋଇଉଠିଥିଲା।
ଆଜି ପ୍ରଥମ ସଂଧ୍ୟାରେ ପ୍ରଥମ ନୃତ୍ୟ ଥିଲା ଗୁଜରାଟ କୁନୁବି ଜନଜାତିଙ୍କ ଡାଙ୍ଗି ନୃତ୍ୟ। ସମରକଳା ଉପରେ ଆଧାରିତ ଏହି ନୃତ୍ୟ ମଞ୍ଚ ଦୁଲୁକାଇଥିଲା। କଳାକାରମାନେ ରୁପା, ପିତ୍ତଳ ଓ ଲୁହା ଆଦି ଧାତୁ ନିର୍ମିତ ଅଳଙ୍କାର ପରିଧାନ କରି ମଞ୍ଚରେ ନୃତ୍ୟାଭିନୟ କଲା ବେଳେ ରଣକ୍ଷେତ୍ରର ଭ୍ରମ ସୃଷ୍ଟି ହୋଇଥିଲା। ପରେ ପରେ ମଣିପୁର ରଙ୍ଗମେଇ ଜନଜାତିର ମେଟିଙ୍ଗ ନୃତ୍ୟ, ଓଡ଼ିଶା ଦୁରୁଆ ଜନଜାତିଙ୍କ ବିରଲି ନୃତ୍ୟ ବେଶ୍ ଆକର୍ଷଣୀୟ ଥିଲା। ସେହିଭଳି ଆସାମ ତିଓ୍ବା ଓ ବୋଡ଼ୋ ଜନଜାତିଙ୍କ ବିହୁ ନୃତ୍ୟ ପରିବେଶକୁ ଅଧିକ ରଙ୍ଗିନ୍ କରିଥିଲା। ପରେ ପରେ ରାଜସ୍ଥାନ ଭିଲମିନା ଜନଜାତିଙ୍କ କଚ୍ଚିଘୋଡ଼ି ନୃତ୍ୟ ଥିଲା ଆହୁରି ମନୋରମ। ସେହିଭଳି ହିମାଚଳ ପ୍ରଦେଶ ଗଦି ଜନଜାତିଙ୍କ ଦଣ୍ଡାରସ ନୃତ୍ୟ, ଓଡ଼ିଶା କୋୟା ଜନଜାତିଙ୍କ ବିଜାପାଣ୍ଡୁ ନୃତ୍ୟ, ସିକିମ୍ ସେର୍ପା ଜନଜାତିଙ୍କ ନ୍ୟାୟୁଙ୍ଗ-ମା-କାପୁ ନୃତ୍ୟ, ଉତ୍ତରପ୍ରଦେଶ ଗଣ୍ଡ ଜନଜାତିଙ୍କ ସଇଲା ନୃତ୍ୟ ଓ ଗୋଆ ଭେଲିପ୍ ଜନଜାତିଙ୍କ ଚୌରାଙ୍ଗ ନୃତ୍ୟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ସମ୍ମାନିତ ଅତିଥି ଭାବେ ଜନଜାତି ବ୍ୟାପାର ମନ୍ତ୍ରାଳୟ ଯୁଗ୍ମ ସଚିବ ନଓ୍ବଲ୍ଜିତ୍ କପୁର୍, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଂଜନା ଚୋପ୍ରା ପ୍ରମୁଖ ଯୋଗ ଦେଇଥିଲେ। ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ଅଖିଳ ବିହାରୀ ଓତା ସ୍ବାଗତ ଭାଷଣ ଓ ବିଭାଗୀୟ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର ଧନ୍ୟବାଦ ଦେଇଥିଲେ। ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/s465S46sf5465FSFFS.jpg)