ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱର (ଏସ୍ସିଏସ୍ଟିଆର୍ଟିଆଇ) ପକ୍ଷରୁ ଆୟୋଜିତ ‘ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ-୨୦୨୨’ ଆଜି ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଉତ୍ସବରେ ୧୧ ଜନଜାତିଙ୍କର ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ମିଜୋରାମର ମିଜୋ ଜନଜାତିଙ୍କର ‘ଚେରାୱ ନୃତ୍ୟ’ ପରିବେଷଣ ବେଶ୍ ମନୋମୁଗ୍ଧକର ଥିଲା। ଏହା ‘ବାମ୍ବୁ ନୃତ୍ୟ’ ଭାବେ ବେଶ୍ ଜଣାଶୁଣା।
ଆସାମର ତିୱା ଜନଜାତିଙ୍କର ବାରାତ ମିଶାୱା ନୃତ୍ୟ, ଓଡ଼ିଶାର ‘କିସ୍’ ଛାତ୍ରଛାତ୍ରୀଙ୍କ ଦ୍ୱାରା ହୋ’ ଜନଜାତିଙ୍କ ‘ବା’ ପରବ ନୃତ୍ୟ, ଉତ୍ତରପ୍ରଦେଶର ଗୋଣ୍ଡ ଜନଜାତିଙ୍କ ଦ୍ୱାରା କରମା ନୃତ୍ୟ, ଓଡ଼ିଶାର ପରଜା ଜନଜାତିଙ୍କର ଢେମ୍ସା ନୃତ୍ୟ, ସିକିମ୍ର ତାମଙ୍ଗ ଜନଜାତିଙ୍କ ଦ୍ୱାରା ଡାମ୍ଫୁ ନୃତ୍ୟ, ଗୁଜୁରାଟର କୁନ୍ୱି ଜନଜାତିଙ୍କ ଡୁଙ୍ଗରଦେବ ନୃତ୍ୟ, ମଣିପୁରର ରଙ୍ଗମେଇ/କାବୁଇ ଜନଜାତିଙ୍କ ସିମଲାମ ନୃତ୍ୟ, ଓଡ଼ିଶାର ଓରାଓଁ ଜନଜାତିଙ୍କ କରମା ନୃତ୍ୟ, ମହାରାଷ୍ଟ୍ରର ଗୋଣ୍ଡ ଜନଜାତିଙ୍କ ଧେମ୍ସା ନୃତ୍ୟ, ଉତ୍ତରାଖଣ୍ଡର ଜୌନସାରି ଜନଜାତିଙ୍କ ହାତୀ ନୃତ୍ୟ ବେଶ୍ ଆକର୍ଷଣୀୟ ଥିଲା।
ଉତ୍ସବରେ ଶ୍ରେଷ୍ଠ ନୃତ୍ୟଦଳ ଭାବେ ଉତ୍ତରାଖଣ୍ଡର ଜୌନସାରି ଜନଜାତିଙ୍କ ‘ହାତୀ ନୃତ୍ୟ’ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ିଶାର ଧରୁଆ ଜନଜାତିଙ୍କ ‘ବିର୍ଲି ନୃତ୍ୟ’ ଦ୍ୱିତୀୟ ଏବଂ ଗୁଜୁରାଟଙ୍କର କୁନ୍ୱି ଜନଜାତିଙ୍କ ‘ଡୁଙ୍ଗରଦେବ ନୃତ୍ୟ’ ତୃତୀୟ ବିବେଚିତ ହୋଇଥିଲେ। ଏହି ବିଜେତା ନୃତ୍ୟ ଦଳମାନଙ୍କୁ ଯଥାକ୍ରମେ ୭୫ ହଜାର, ୫୦ ହଜାର ଏବଂ ୨୫ ହଜାର ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯାଇଥିଲା। ମଞ୍ଚରେ ସମବାୟ ବିଭାଗର ଶାସନ ସଚିବ ସଂଜୀବ ଚଢ଼ା, ବିଭାଗୀୟ ନିର୍ଦ୍ଦେଶକ (ଏସ୍ଟି) ଗୁହା ପୁନମ ତାପସ କୁମାର, ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/26-14.jpg)