ଏବେ ଉଦ୍‌ଘାଟନ ହେବନି ବିଏମ୍‌ସିର ନୂଆ କାର୍ଯ୍ୟାଳୟ

ପୁରୁଣା ଅଫିସ୍‌ରେ ବସିବେ ନବ ନିର୍ବାଚିତ ପ୍ରତିନିଧି

ଭୁବନେଶ୍ବର: ଜନପଥ କଡ଼ରେ ସତ୍ୟନଗର ଶ୍ମଶାନ ସମ୍ମୁଖରେ ବିଏମ୍‌ସିର ନିର୍ମାଣାଧୀନ ମୁଖ୍ୟାଳୟ ଏବେ ଉଦ୍‌ଘାଟନ ହେବାର ନାହିଁ। ଏଣୁ ମେୟରଙ୍କ ସମେତ ୬୭ କର୍ପୋରେଟର୍‌ କଳ୍ପନା ଛକସ୍ଥିତ ବିଏମ୍‌ସିର ପୁରୁଣା ମୁଖ୍ୟାଳୟରେ କାମ ଆରମ୍ଭ କରିବେ। ଶପଥ ଗ୍ରହଣଠାରୁ ଆରମ୍ଭ କରି ଡେପୁଟି ମେୟର ନିର୍ବାଚନ ସହ ପ୍ରଥମ ପରିଷଦ ବୈଠକ ମଧ୍ୟ ଏହି ପୁରୁଣା କୋଠାରେ ହେବ। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ମେୟରଙ୍କ ଚାମ୍ବର ସହ କନ୍‌ଫରେନ୍ସ ହଲ ମରାମତି କାମ ଆଜି ଶେଷ ହୋଇଛି। ଆସନ୍ତା ୯ ତାରିଖ ସୁଦ୍ଧା ନୂଆ କୋଠା ଉଦ୍‌ଘାଟନ ସମ୍ଭବ ନ ହେବାରୁ ଏହି ସବୁ କୋଠରି ମରାମତି କରାଯାଇଛି। ନୂଆ ଡୋର୍‌ ସ୍କ୍ରିନ୍‌ ସହ ନୂଆ ଏସି ଲଗାଯାଇଛି।
ବାହାରୁ ଓ ଭିତରୁ ସବୁଠାରୁ ଆକର୍ଷଣୀୟ ହେବ ବିଏମ୍‌ସିର ନୂଆ କୋଠା। ବିଏମ୍‌ସିର ସମସ୍ତ ସେବା ଏଠାରେ ଗୋଟିଏ ଛାତ ତଳେ ରହିବ। ଅଧିକାରୀ, କର୍ମଚାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ଉପଭୋଗ କରିବେ ଅତ୍ୟାଧୁନିକ ବ୍ୟବସ୍ଥା।

ଏଭଳି ବ୍ୟବସ୍ଥାକୁ ନେଇ ଚର୍ଚ୍ଚାରେ ଥିବା ଏହି କୋଠାରେ କିଏ ବସିବ ସେ ନେଇ କଳ୍ପନା ଜଳ୍ପନା ଚାଲିଥିଲା। ୨୦୧୯ରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ଏହି କୋଠା ୨୦୨୧ ମାର୍ଚ୍ଚରେ ସରିବାକୁ ଥିଲା। ହେଲେ କରୋନା ପାଇଁ କାମ ଧିମେଇ ଯିବାରୁ ଉଦ୍‌ଘାଟନର ନୂଆ ସମୟସୀମା ସେହି ବର୍ଷ ନଭେମ୍ବର ମାସକୁ ସ୍ଥିର କରାଗଲା। ହେଲେ ନଭେମ୍ବର ଯାଇ ବର୍ଷ ସରିଗଲା, ହୋଇପାରିଲା ନାହିଁ। ଇତିମଧ୍ୟରେ ନିର୍ବାଚନ ସରିଗଲା। ନବନିର୍ବାଚିତ ଜନ ପ୍ରତିନିଧିମାନେ ଏହି ନୂଆ କୋଠାରୁ କିଭଳି କାମ ଆରମ୍ଭ କରିବେ, ସେ ନେଇ ଏଠାରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଲା।

ଏପ୍ରିଲ ୧ ତାରିଖରେ ଏହାକୁ ଉଦ୍‌ଘାଟନ କରି ୯ ତାରିଖରେ ଏଠାରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରିବାକୁ ଯୋଜନା ହେଲା। ତାହା ମଧ୍ୟ ସମ୍ଭବ ହେଲା ନାହିଁ। ଏହାକୁ ସ୍ମାର୍ଟସିଟି ଲିମିଟେଡ୍‌ ନିର୍ମାଣ କରୁଛି। ହେଲେ ଏଯାବତ୍‌ କୋଠାକୁ ବିଏମ୍‌ସିକୁ ହସ୍ତାନ୍ତର କରାଯାଇନଥିବା ବିଏମ୍‌ସି କହିଛି। ସତ୍ୟନଗର ଶ୍ମଶାନ ସାମ୍ନାରେ ୪.୦୪ ଏକର ପରିମିତ ଜାଗାରେ ବିଏମ୍‌ସି ମୁଖ୍ୟାଳୟ ସହ ଇଣ୍ଟେଲିଜେଣ୍ଟ ସିଟି ଅପରେସନ୍‌ସ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର୍‌ (ଆଇସିଓଏମ୍‌ସି) ନିର୍ମାଣାଧୀନ ରହିଛି।

ଏଥିରେ ପାଖାପାଖି ୮୦ କୋଟି ଖର୍ଚ୍ଚ ହେଉଛି। ତଳ ମହଲା ସହ ୧୧ମହଲା ବିଶିଷ୍ଟ ଏହି କୋଠାରେ ତଳ ଓ ଉପର ଗ୍ରାଉଣ୍ଡ ଫ୍ଲୋରରେ ବିଏମ୍‌ସି କାର୍ଯ୍ୟାଳୟ ରହିବାକୁ ଯୋଜନା ହୋଇଛି। ଆଇସିଓଏମ୍‌ସି କାର୍ଯ୍ୟାଳୟ ପ୍ରଥମ, ଦ୍ବିତୀୟ ଓ ତୃତୀୟ ମହଲାରେ ରହିବାକୁ ସ୍ଥିର ହୋଇଛି। ଏହାସହ କାର୍ପେଟ୍ ଏରିଆ, ଲ୍ୟାଣ୍ଡସ୍କେପ୍ ଏରିଆ ଓ ଟେରାସ ମଧ୍ୟ ରହିବ। ବାକି ଉପର ମହଲାଗୁଡ଼ିକରେ ମେୟର, ଡେପୁଟି ମେୟରଙ୍କ ସମେତ କମିସନରଙ୍କ କାର୍ଯ୍ୟାଳୟ ସମେତ ବିଏମ୍‌ସିର ବିଭିନ୍ନ ଉପ-ବିଭାଗ ରହିବ। ପ୍ରବେଶସ୍ଥଳରେ କେଉଁ ମହଲାରେ କି’ କି’ କାର୍ଯ୍ୟାଳୟ ବା ଉପବିଭାଗ ରହିଛି, ତାହାର ସୂଚନା ରହିବ।

କୋଠାର ଚତୁଃପାର୍ଶ୍ବରେ ଜମିକୁ ଉନ୍ନତୀକରଣ କରାଯାଇ ଓଡ଼ିଶାର ବିଭିନ୍ନ ମନ୍ଦିରର ପ୍ରତିକୃତି ନିର୍ମାଣ କରାଯିବ। ଏହା ଏହି କୋଠାକୁ ଏକ ନୂଆ ଲୁକ୍‌ ଦେବ। ପ୍ରବେଶ ତୋରଣଠାରୁ ଆରମ୍ଭ କରି ଏହି ସବୁ ମନ୍ଦିରରେ ବ୍ୟବହାର ହେବାକୁ ଥିବା ପଥରର କାରୁକାର୍ଯ୍ୟ ମଧ୍ୟ ଭୁବନେଶ୍ବର‌ରେ ଥିବା ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟଠାରୁ ଭିନ୍ନ ହେବ। ଅନ୍ୟ ସମସ୍ତ ସରକାରୀ ଅଫିସ୍‌ଠାରୁ ବଡ଼ କନଫରେନ୍ସ ହଲ୍‌, ପ୍ରତୀକ୍ଷାଳୟ, କ୍ୟାଣ୍ଟିନ୍ ପ୍ରଭୃତି ରହିବ।

ସେହିପରି ଆଇସିଓଏମ୍‌ସି କାର୍ଯ୍ୟାଳୟରେ ବିଭିନ୍ନ ପ୍ରକାରର ସର୍ବେକ୍ଷଣ ବା ସର୍ଭେ ତଥା ସମୀକ୍ଷା ସୁବିଧା ରହିବ। ଏହିଠାରୁ ପୂରା ଭୁବନେଶ୍ବର ଉପରେ ନଜର ରହିବ। ଗୋଟିଏ ମହଲାରେ ବଡ଼ ବଡ଼ ଏଲ୍ଇଡି ପରଦା ଲାଗିବ। ଏଠାରେ ପୂରା ଭୁବନେଶ୍ବରର ଲାଇଭ୍ ଚିତ୍ର ଦେଖିବାକୁ ମିଳିବ। ପୂରା ରାଜଧାନୀକୁ ଏଠାରୁ ନିୟନ୍ତ୍ରଣ କରାଯିବ।

ସମ୍ବନ୍ଧିତ ଖବର