ଦାୟିତ୍ବ ନେଲେ ଉତ୍କଳ ବିଶ୍ବବିଦ୍ୟାଳୟ ନୂଆ କୁଳପତି, ଆଗରେ ଅନେକ ଆହ୍ବାନ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଘୋଷଣା ହେବାର ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ପ୍ରଫେସର୍‌ ସବିତା ଆଚାର୍ଯ୍ୟ। ବିଶ୍ବବିଦ୍ୟାଳୟ ଇତିହାସରେ ପ୍ରଥମଥର ଲାଗି ଜଣେ ମହିଳା ପ୍ରଫେସର୍‌ ଭାବେ ସେ ଏହି ସମ୍ମାନାସ୍ପଦ ପଦରେ ଅଧିଷ୍ଠିତ ହୋଇଛନ୍ତି। ଗୁଣାତ୍ମକ ଶିକ୍ଷା ସହ ଗବେଷଣା, ରାଜନୀତି, ଗଣ୍ଡଗୋଳ, ବୋମାମାଡ଼ ପରି ସମସ୍ୟା ଲାଗି ସବୁବେଳେ ଚର୍ଚ୍ଚାରେ ରହୁଥିବା ଉତ୍କଳ ବିଶ୍ବବିଦ୍ୟାଳୟକୁ ଆଗକୁ ନେବା ଲାଗି ପ୍ରଫେସର୍‌ ଆଚାର୍ଯ୍ୟଙ୍କ ଆଗରେ ଅନେକ ଆହ୍ବାନ ରହିଛି। କ୍ୟାମ୍ପସରୁ ଅଣଛାତ୍ର ତଡ଼ିବା ହେଉ ଅଥବା ଡିଜିଟାଇଜ୍‌ କରିବା। ପୂର୍ବତନ କୁଳପତିମାନଙ୍କ ଅଧାଗଢ଼ା କାର୍ଯ୍ୟକୁ ଆଗକୁ ନେବା ବି ତାଙ୍କ ପାଇଁ ଆଉ ଏକ ଆହ୍ବାନ। ପୂର୍ବତନ କୁଳପତି ପ୍ରଫେସର୍‌ ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କଠାରୁ ଆଜି ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଫେସର ଆଚାର୍ଯ୍ୟଙ୍କ ଆଗରେ କେଉଁ ସବୁ ଚାଲେଞ୍ଜ ରହିଛି, ତାହାକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା।

ଜମି ଜବରଦଖଲମୁକ୍ତ
କାଗଜପତ୍ରରେ ପ୍ରାୟ ୪୦୦ ଏକର ପରିମିତ ଜମିରେ ଛିଡ଼ା ହୋଇଥିବା କ୍ୟାମ୍ପସ ଏବେ ସଂକୁଚିତ ହେଉଛି। କ୍ୟାମ୍ପସ ଚାରିପାଖରେ ଗଢ଼ି ଉଠିଥିବା ବସ୍ତିଗୁଡ଼ିକ କ୍ୟାମ୍ପସ ପରିସରକୁ ମାଡ଼ି ଆସୁଛି। ପୂର୍ବତନ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କାର୍ଯ୍ୟରେ ଯୋଗଦେବା କ୍ଷଣି ଜମି ଜବରଦଖଲମୁକ୍ତ କରି ସମ୍ପୂର୍ଣ୍ଣ ପାଚେରି ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ତାହା ପୂରଣ ହେଲା ନାହିଁ। ଯେଉଁଥିପାଇଁ ଏବେ ବି ବି‌ଶ୍ବେଶ୍ବର ବସ୍ତି, ପଥରବନ୍ଧ ବସ୍ତି, ଲକ୍ଷ୍ମୀବିହାର, ଜାତୀୟ ରାଜପଥ-୧୬ ପାର୍ଶ୍ବରେ ଥିବା ବସ୍ତିଗୁଡ଼ିକୁ ଏ ପର୍ଯ୍ୟନ୍ତ ହଟା ଯାଇ ପାରିନାହିଁ।
ନାକ୍‌ ମାନ୍ୟତା ବଜାୟ ରଖିବା
୨୦୧୬ରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ନାକ୍‌ ‘ଏ+’ ଗ୍ରେଡ୍‌ ମାନ୍ୟତା ମିଳିଥିଲା। ଇତି ମଧ୍ୟରେ ୪ ବର୍ଷ ବିତିଗଲାଣି। ନିୟମ ଅନୁଯାୟୀ ୨୦୨୧ରେ ପୁଣିଥରେ ନାକ୍‌ ଟିମ୍‌ କ୍ୟାମ୍ପସକୁ ଆସିବ। ସେତେବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ତାହାର ପୂର୍ବ ଗୌରବ ବଜାୟ ରଖିବା ପ୍ରଫେସର ଆଚାର୍ଯ୍ୟଙ୍କ ଲାଗି ଆହ୍ବାନ ହେବ। କାରଣ ପୂର୍ବତନ କୁଳପତି ପ୍ରଫେସର ପଟ୍ଟନାୟକଙ୍କ ସମୟରେ ରୁସା-୧ ଓ ୨ ବାବଦରେ ପ୍ରଚୁର ଅର୍ଥ ଆସିଥିଲେ ମଧ୍ୟ କିଛି କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି। ତାହାକୁ ପୂରଣ କରିବା ଓ ନାକ୍‌ ପାଇଁ ଭିତ୍ତିଭୂମି ସୃଷ୍ଟି କରିବା ଆଉ ଏକ ଆହ୍ବାନ। ଏମିତିକି ଯଦି ନାକ୍‌ ଗ୍ରେଡ୍‌ ହ୍ରାସ ପାଏ, ବଦନାମ ବି ମୁଣ୍ଡାଇବାର ଆଶଙ୍କା ରହିଛି।
ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ
୨୦୧୭ରୁ ୨୦୨୦ ମଧ୍ୟରେ ବିଶ୍ବବିଦ୍ୟାଳୟରେ ୩୦୦ଛାତ୍ରଛାତ୍ରୀ ବି ପିଏଚ୍‌ଡି କରିପାରି ନାହାନ୍ତି। ପିଏଚ୍‌ଡି ପଞ୍ଜୀକରଣ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କୁ କେତେବେଳେ ଗାଇଡ୍‌ ନଥିବା କହି ଫେରାଇ ଦିଆଯାଇଛି ତ କେବେ ବିଭାଗୀୟ ଗବେଷଣା କମିଟି(ଏସ୍‌ଆରସି)ରେ ବର୍ଷ ବର୍ଷ ଫାଇଲ୍‌ ପଡ଼ି ରହୁଛି। ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ପରୀକ୍ଷକ ମିଳିବାରେ ମଧ୍ୟ ସମସ୍ୟା ଲାଗି ରହୁଛି। ଯଦିବା କାହାକୁ ପିଏଚ୍‌ଡିରେ ଆଡମିସନ୍‌ ମିଳୁଛି, ହେଲେ ଡିଗ୍ରି ମିଳିବା ବେଳକୁ ୭ରୁ ୮ବର୍ଷ ଲାଗି ଯାଉଛି। ପିଏଚ୍‌ଡି ପଞ୍ଜୀକରଣ, ନାମଲେଖା, ଡିଗ୍ରି ପାଇବା ବିଳମ୍ବ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ଚାକିରି ବୟସ ଚାଲିଯାଉଛି। ତେଣୁ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ନିୟମିତ ପଞ୍ଜୀକରଣ ଓ ଡିଗ୍ରି ପ୍ରଦାନ ଆଉ ଏକ ଆହ୍ବାନ ସୃଷ୍ଟି କରିବ। ନିୟମିତ ସମାବର୍ତନ ଆୟୋଜନ ବି ଆଉ ଏକ ଚାଲେଞ୍ଜ।
ଭିତ୍ତିଭୂମି କାର୍ଯ୍ୟକ୍ଷମ
ପୂର୍ବତନ କୁଳପତି ପ୍ରଫେସର ଅଶୋକ ଦା‌ଶଙ୍କ ସମୟରେ ଡିଜିଟାଲ ଲାଇବ୍ରେରି ନିର୍ମାଣ ହୋଇଥିଲା। ଇତି ମଧ୍ୟରେ ସାଢ଼େ ୩ବର୍ଷ ଚାଲିଗଲା। ପ୍ରଫେସର୍‌ ପଟ୍ଟନାୟକଙ୍କ କାର୍ଯ୍ୟକାଳ ବି ସରିଗଲା। ହେଲେ ଏହି କୋଠା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ସେଣ୍ଟ୍ରାଲ ଇନ୍‌ଷ୍ଟ୍ରୁମେଣ୍ଟେସନ ସେଣ୍ଟର ପ୍ରତିଷ୍ଠା ହେଲା, କାର୍ଯ୍ୟକ୍ଷମ ହେଲାନି। ଏହି ଦୁଇ ବିଲଡିଂ ଲାଗି ଆନୁଷଙ୍ଗିକ ସାମଗ୍ରୀ ଯୋଗାଡ଼ କରି କାର୍ଯ୍ୟକ୍ଷମ କରାଇବା ବଡ଼ ଆହ୍ବାନ ହେବ। ଏଥିସହ ବନ୍ଦ ହୋଇ ପଡ଼ିଥିବା ୭ ନମ୍ବର ଛାତ୍ରାବାସ କାର୍ଯ୍ୟକ୍ଷମ, ରୁସା ଅର୍ଥରେ ନିର୍ମାଣ ହେଉଥିବା ଏକାଡେମିକ ବିଲଡିଂ ଓ ଅଧା ଗଢ଼ା ୪ଟି କୋଠା କାର୍ଯ୍ୟକ୍ଷମ, ୬ଟି ସେଣ୍ଟର ଅଫ୍‌ ଏକ୍ସଲେନ୍ସ କାର୍ଯ୍ୟକ୍ଷମ, କର୍ମଚାରୀଙ୍କ ଲାଗି ଥିବା କ୍ବାର୍ଟର୍‌ର ପୁନରୁଦ୍ଧାର, ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଇବାକୁ ହେବ।
ଦ୍ବିତୀୟ କ୍ୟାମ୍ପସ କାର୍ଯ୍ୟକ୍ଷମ
୨୦୧୭ ଜୁଲାଇରେ ପୂର୍ବତନ କୁଳପତି ପ୍ରଫେସର୍‌ ପଟ୍ଟନାୟକଙ୍କ ଉପସ୍ଥିତିରେ ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ ଭିତ୍ତପ୍ରସ୍ତର ସ୍ଥାପନ ହୋଇଥିଲା। ସାଢ଼େ ୩ ବର୍ଷ ବିତିଗଲା, ହେଲେ କାର୍ଯ୍ୟ ଶେଷ ହେଲାନି। କେବଳ ପାଚେରି ବୁଲା କାର୍ଯ୍ୟ ସରିଛି। ଏନ୍‌ବିସିସିକୁ ଦାୟିତ୍ବ ଦିଆଯିବା ପରେ ବିଲଡିଂ କାର୍ଯ୍ୟ କିଛି ମାତ୍ରାରେ ଆଗେଇଛି। ଏହି କାର୍ଯ୍ୟକୁ ଶେଷ କରି ଦ୍ବିତୀୟ ତଥା ଗ୍ରାମୀଣ କ୍ୟାମ୍ପସକୁ କାର୍ଯ୍ୟକ୍ଷମ କରିବା ପ୍ରଫେସର ଆଚାର୍ଯ୍ୟଙ୍କ ଲାଗି ସବୁଠାରୁ ବଡ଼ ଆହ୍ବାନ।
ନିୟମିତ ନିଯୁକ୍ତି
ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧିତ) ଆଇନ ବଳରେ ଏଣିକି ଓପିଏସ୍‌ସି ଓ ଓଏସ୍‌ଏସ୍‌ବି ଦ୍ବାରା ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ହେବେ। ତେବେ କୁଳପତି ଭାବେ ପ୍ରଫେସର୍‌ ଆଚାର୍ଯ୍ୟ ନିୟମିତ ଭାବେ ଉକ୍ତ ଦୁଇ ସଂସ୍ଥା ସହ ଯୋଗ‌ାଯୋଗରେ ରହି ନିଯୁକ୍ତିକୁ ନିୟମିତ କରିବାକୁ ହେବ। ବର୍ତମାନ ସମୟରେ ଖାଲି ପଡ଼ିଥିବା ପଦଗୁଡ଼ିକ ପୂରଣ କରିବା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଇତିମଧ୍ୟରେ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ତାହାକୁ କିଭଳି ଶୀଘ୍ର ଶେଷ କରାଯିବ, ସେ ଦିଗରେ ପଦକ୍ଷେପ ନେବାକୁ ପଡ଼ିବ ବୋଲି ଶିକ୍ଷାବିତ୍‌ମାନେ କହିଛନ୍ତି।
କରୋନା ପରବର୍ତୀ ପାଠପଢ଼ା
କୋଭିଡ୍‌-୧୯ ଯୋଗୁଁ ୮ମାସ ହେଲା କ୍ଲାସରୁମ୍‌ ପାଠପଢ଼ା ବନ୍ଦ ରହିଛି। କ୍ୟାମ୍ପସ ଖୋଲିବା ପରେ ପିଲାଙ୍କ ଲାଗି ସୁସ୍ଥ ଓ ସୁରକ୍ଷିତ କ୍ୟାମ୍ପସ ଯୋଗାଇବା, ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା, ଏକକ ପିଜି ପ୍ରବେଶିକା ପରୀକ୍ଷାରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା, ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ରହିବା ସୁବିଧା କରାଇବା, ସଂଶୋଧିତ ବିଶ୍ବବିଦ୍ୟାଳୟ ଆଇନ ଅନୁଯାୟୀ ସିଣ୍ଡି‌କେଟ୍‌ର ପୁନର୍ଗଠନ ଓ ନିୟମିତ ବୈଠକ କରାଇବା ପ୍ରତି ଗୁରୁତ୍ବ ଦେବାକୁ ହେବ। ଅନ୍‌ଲାଇନ୍‌ ପାଠପଢ଼ାକୁ ବି ସୁଦୃଢ଼ କରିବାର ଆବଶ୍ୟକତା ରହିଛି।
ଅଣଛାତ୍ରମୁକ୍ତ କ୍ୟାମ୍ପସ
ଅଣଛାତ୍ରଙ୍କୁ ‌ନେଇ ଏହି ବିଶ୍ବବିଦ୍ୟାଳୟ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ, ବୋମାମାଡ଼, ରାଜନୀତି ଆଦିକୁ ‌ନେଇ ଅନେକଥର ଅଶାନ୍ତ ହୋଇଛି ଏହି କ୍ୟାମ୍ପସ୍‌। ଏବେ ଶାନ୍ତ କରିବା ପ୍ରଫେସର ଆଚାର୍ଯ୍ୟଙ୍କ ଲାଗି ଆହ୍ବାନ ରହିବ। ସେ ପିଜି କାଉନସିଲ୍‌ ଅଧ୍ୟକ୍ଷ ଥିବା ସମୟରେ ୭ନମ୍ବର ଛାତ୍ରାବାସ ଉପରେ ଚଢ଼ଉ କରାଯାଇ ଅଣଛାତ୍ରକୁ ତଡ଼ା ଯାଇଥିଲା। ତା’ ପରେ ବି ଅଣଛାତ୍ରଙ୍କ ରାଜୁତି ଚାଲୁଛି। ତେଣୁ ଅଣଛାତ୍ରଙ୍କୁ କ୍ୟାମ୍ପସରୁ ହଟାଇବା ସହ ସୁରକ୍ଷା ବୃଦ୍ଧି କରିବାକୁ ହେବ।

ସମ୍ବନ୍ଧିତ ଖବର