ଭୁବନେଶ୍ବର: ଦଶହରା ପୂର୍ବରୁ ନିର୍ମାଣଧୀନ ଭୁବନେଶ୍ବର ନୂଆ କୋର୍ଟ ବିଲ୍ଡିଂ ଉଦ୍ଘାଟନ କରାଯିବ। ଚଳିତ ମାସ ୨୫ ତାରିଖ ସୁଦ୍ଧା ପୂର୍ତ୍ତବିଭାଗ ନୂତନ କୋଠାକୁ ହସ୍ତାନ୍ତର କରିବା ପରେ ଉଦ୍ଘାଟନ ତାରିଖ ଧାର୍ଯ୍ୟ କରାଯିବ। ସମ୍ଭବତଃ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ଉଦ୍ଘାଟନ ଉତ୍ସବ ହେବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।
୨୦୧୭-୧୮ ମସିହାରେ ପୁରୁଣା କୋଠାକୁ ଭାଙ୍ଗି ସେଠାର ନୂଆ କୋର୍ଟକୋଠା ଆରମ୍ଭ ହୋଇଥିଲା। ପ୍ରଥମେ ୯୮ କୋଟି ଟଙ୍କାର ଟେଣ୍ଡର ହୋଇଥିବା ବେଳେ ଏହି କାମକୁ ଦିଲ୍ଲୀପ କନ୍ଷ୍ଟ୍ରକସନ ପାଇଥିଲା। ହେଲେ କାମ ଆରମ୍ଭ ହେବାରେ ଅହେତୁକ ବିଳମ୍ବ ହୋଇଥିଲା। ବାରମ୍ବାର ନିର୍ମାଣ କାର୍ଯ୍ୟ ଶେଷ ହେବାର ସମୟସୀମା ବଢ଼ା ଯାଇଥିଲା। ୯୮ କୋଟିର କାମ ଏବେ ୧୧୦ କୋଟି ଟଙ୍କାରେ ପହଞ୍ଚିଲାଣି। ଏହି ନୂଆକୋଠା ବେସ୍ମେଣ୍ଟ ଓ ଗ୍ରାଉଣ୍ଡ ଫ୍ଲୋର୍କୁ ମିଶାଇ ୫ ମହଲା ବିଶିଷ୍ଟ। ବେସ୍ମେଣ୍ଟରେ କେବଳ ବିଚାରପତିଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି, ଯେଉଁଠି ଏକକାଳୀନ ୭୦ଟି କାର୍ ପାର୍କିଂ ହୋଇପାରିବ। ପୂରା କୋଠାକୁ ଶୀତତାପ ନିୟନ୍ତ୍ରଣ କରାଯାଇଛି। ଏହି କୋଠାରେ ମୋଟ୍ ୯ଟି ଲିଫ୍ଟ ରହିଛି। ସେଥିରୁ ୨୦ ଜଣିଆ ୫ଟି ଲିଫ୍ଟ ସାଧାରଣ ଲୋକଙ୍କ ପାଇଁ ଏବଂ ପଛପାଖରେ ୪ଟି ଲିଫ୍ଟ ବିଚାରପତିଙ୍କ ପାଇଁ କରାଯାଇଛି। ଏଥିସହ ୫୫ଟି କୋର୍ଟରୁମ୍, ୫୫ଟି ବିଚାରପତିଙ୍କ ଚାମ୍ବର, ୨୦୦ ଜଣ ବସିବା ଭଳି କନ୍ଫରେନ୍ସ ହଲ୍, ପାଠାଗାର, ଇ-ପାଠାଗାର, ଆଇନଜୀବୀଙ୍କ ବସିବା ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ସହ ଆହୁରି ବହୁତ ସୁବିଧା ରହିଛି। ପ୍ରବେଶ ଓ ପ୍ରସ୍ଥାନ ପାଇଁ ମୋଟ୍ ୫ଟି ଫାଟକ କରାଯାଇଛି। କୋର୍ଟ ସମ୍ମୁଖରେ ୱାଟର ଫାଉଣ୍ଟେନ ସହ ସୁନ୍ଦର ଘାସ ଗାଲିଚା ବିଛା ଯାଇଛି। ହାତରେ ଆଉ କମ୍ ଦିନ ଥିବାରୁ ଦିନରାତି କାମ ଚାଲିଛି। ପ୍ରାୟ ୯୫ ପ୍ରତିଶତ କାମ ସରିଛି। କମ୍ପ୍ୟୁଟର, ଏସି ଭଳି କିଛି ବୈଦୁତିକ ସରଞ୍ଜାମ ଏବେ ଲାଗୁଛି। ଏଥିସହ କାଁ ଭାଁ କେଉଁଠି ରଙ୍ଗକାମ ଚାଲିଛି। ୧୦୦ରୁ ଅଧିକ ଶ୍ରମିକ ତଳରୁ ଉପରଯାଏ ସଫା କରିବାରେ ଲାଗିଛନ୍ତି।
ଆଇନଜୀବୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ଏବେ ଭୁବନେଶ୍ବର କୋର୍ଟରେ ୫,୦୦୦ରୁ ଅଧିକ ଆଇନଜୀବୀ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ଚାଲିଥିବା ପୁରୁଣା କୋର୍ଟ ବିଲଡିଂକୁ ଆଇନଜୀବୀଙ୍କ ପାଇଁ ଦିଆଯାଇଛି। ଏହି ପୁରୁଣା କୋଠାକୁ ୩ କୋଟି ଟଙ୍କା ବ୍ୟୟରେ ନବୀକରଣ କରାଯାଇଛି। ପୁରୁଣା କୋଠାରୁ ନୂଆକୋଠାକୁ ଯିବା ପାଇଁ ସ୍ବତନ୍ତ୍ର କରିଡର ନିର୍ମାଣ କରାଯାଇଛି। ଆଇନଜୀବୀମାନଙ୍କ ପାଇଁ ୧,୮୦୦ ଚେୟାର, ୨୦୦ ଟେବୁଲ୍ ଓ ୨,୦୦୦ ଲକର୍ ସହ ଅନ୍ୟ ସୁବିଧା ଯୋଗାଇ ଦିଆଯାଇଛି।
ଦୂରହେବ ପାର୍କିଂ ସମସ୍ୟା
କଳ୍ପନା ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ତଥା ପାର୍କିଂ ସମସ୍ୟାକୁ ଦୂର କରିବା ପାଇଁ କୋର୍ଟ ସମ୍ମୁଖ ସ୍ଥାନରେ ପ୍ରାୟ ୭୦ କୋଟି ଟଙ୍କାର ବହୁତଳ କାର୍ ପାର୍କିଂ କରାଯାଇଛି। ଏଠାରେ ୪୬୦ଟି କାର୍ ଓ ୫୦୦ ବାଇକ୍ ରହିବାର ବ୍ୟବସ୍ଥା ହୋଇଛି। କାର୍ଗୁଡ଼ିକ ପୁରୁଣା କୋର୍ଟ ପାଖରୁ ବହୁତଳ କାର୍ ପାର୍କିଂକୁ ପ୍ରବେଶ କରିବ ଏବଂ ନୂଆକୋର୍ଟ ମୁଖ୍ୟ ଫାଟକ ପଟେ ପ୍ରସ୍ଥାନ କରିବ। ସେହିପରି ଭଞ୍ଜକଳା ମଣ୍ଡପ ସମ୍ମୁଖ ଗେଟ୍ରେ ପାର୍କିଂକୁ ଯିବାର ବ୍ୟବସ୍ଥା କରାଯାଇଛି। ଏହି ବହୁତଳ ପାର୍କିଂ କାର୍ଯ୍ୟକ୍ଷମ ହେଲେ କଳ୍ପନା ଛକ ସମେତ କଳ୍ପନାରୁ ରବି ଟକିଜ୍ ଉଭୟ ପାର୍ଶ୍ବ ରାସ୍ତା ଏବଂ କଳ୍ପନାରୁ ମାଉସୀ ମା’ ଛକ ପର୍ଯ୍ୟନ୍ତ ରାସ୍ତାର ଟ୍ରାଫିକ୍ ସମସ୍ୟା ଅନେକାଂଶରେ ଦୂରହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/fGjhKcI84DaAVgWLM39A.jpg)