ପର୍ଯ୍ୟଟକଙ୍କୁ ଟାଣୁଛି ଏକାମ୍ର କ୍ଷେତ୍ରର ନୂଆ ରୂପ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ପରଠାରୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦୀର୍ଘ ୧୦ ମାସ ପରେ ପ୍ରଭୁଙ୍କ ଦର୍ଶନ ଲାଭ କରିବାକୁ ସୁଯୋଗ ମିଳିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିଭଳି ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟୀକରଣ ପର୍ଯ୍ୟଟକଙ୍କୁ ଅଧିକ ମାତ୍ରାରେ ଆ‌କର୍ଷିତ କରୁଛି ବୋଲି ଚର୍ଚ୍ଚା ହେଉଛି। ଗତବର୍ଷ ଯେଉଁ ସମୟରେ ଏଠାରେ ସାଢ଼େ ୩ ହଜାର ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁଥିଲା, ଚଳିତ ବର୍ଷ ସେହି ସମୟରେ ପର୍ଯ୍ୟଟକଙ୍କ ସଂଖ୍ୟା ୮ ହଜାର ଛୁଇଁଲାଣି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଟୁରିଷ୍ଟ୍‌ ବସ୍‌ ଅଧିକ ଆସୁଥିବା ଏହାର ପ୍ରମାଣ। ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ଓ ଗମନାଗମନ ବ୍ୟବସ୍ଥାରେ ସୁଧାର ଆସିଥିବାରୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢ଼ୁଛି ବୋଲି କୁହାଯାଉଛି।

ଜାନୁଆରି ୬ ତାରିଖରୁ ସମସ୍ତ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲାଯାଇଛି। ତେଣୁ ସ୍ବତଃ ଦେବଦର୍ଶନ ପାଇଁ ସାଧାରଣ ଲୋକେ ମନ୍ଦିରକୁ ଆସୁଛନ୍ତି। ପୂର୍ବରୁ ମନ୍ଦିର ପ୍ରବେଶ ଉପରେ କିଛି କଟକଣା ଥିଲା। କରୋନା ପରୀକ୍ଷା କରିବାକୁ ପଡ଼ୁଥିଲା। ମାତ୍ର ଏବେ ଏହି କଟକଣା କୋହଳ କରାଯାଇଛି। ସ୍କ୍ରିନିଂ କରି ମନ୍ଦିରକୁ ଛଡ଼ା ଯାଉଛି। ତେଣୁ ଏବେ ସର୍ବସାଧାରଣଙ୍କ ଭିଡ଼ ବଢ଼ିଛି। ବଡ଼ କଥା ହେଉଛି ଏବେ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି। ପ୍ରତିଦିନ ଅଧିକ ସଂଖ୍ୟକ ଟୁରିଷ୍ଟ ବସ୍‌ ପହଞ୍ଚୁଛି। ଏବେ ମନ୍ଦିର ଚାରିପଟରୁ ବହୁ କୋଠାବାଡ଼ି ଭଙ୍ଗା ଯାଇଥିବାରୁ ଗାଡ଼ି ପାର୍କିଂ ପାଇଁ ସୁବିଧା ହୋଇଛି ଓ ରାସ୍ତା ପ୍ରଶସ୍ତ ହୋଇପଡ଼ିଛି। ଫଳରେ ସୁବିଧାରେ ପର୍ଯ୍ୟଟକମାନେ ମନ୍ଦିରମାଳିନୀ ଏକାମ୍ର କ୍ଷେତ୍ର ବୁଲି ପାରୁଛନ୍ତି। ସବୁ ମନ୍ଦିର ନିକଟରେ ପହଞ୍ଚି ପାରୁଛନ୍ତି। ଲିଙ୍ଗରାଜ ମନ୍ଦିର ନିକଟ ସୌନ୍ଦର୍ଯ୍ୟ, ବିଭିନ୍ନ ଛୋଟ ମନ୍ଦିର ଓ ବିନ୍ଦୁସାଗର ମ୍ୟୁଜିକାଲ୍‌ ଫାଉଣ୍ଟ‌େନ୍‌ର ମଜା ନେଉଛନ୍ତି। ଆଗକୁ ଏହା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି।

ଏବେ ଆଡ଼କାଠରୁ ଦର୍ଶନ କରିବାକୁ ସୁଯୋଗ ମିଳୁଛି। ଗର୍ଭଗୃହକୁ ଯିବାକୁ ଅନୁମତି ନାହିଁ। ଏହି କଟକଣା ହଟିବା ପରେ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ନିଶ୍ଚୟ ବଢ଼ିବ। ସେବାୟତ ଶରତ ଚନ୍ଦ୍ର ପଣ୍ଡାଙ୍କ କହିବା କଥା ବିମାନ ଓ ରେଳ ଚଳାଚଳ ସ୍ୱାଭାବିକ ହେବା ପରେ ବାହାର ଭକ୍ତଙ୍କ ସଂଖ୍ୟା ବଢ଼ିବ। ମନ୍ଦିର ଚାରିପଟର ସୌନ୍ଦର୍ଯ୍ୟୀକରଣ ଭଲ ପ୍ରଭାବ ପକାଉଛି ବୋଲି ସେ କହିଛନ୍ତି। ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ ସମର୍ଥାଙ୍କ ସୂଚନାନୁସାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଉଛି। ପାର୍କିଂ ପାଇଁ ଅଧିକ ସୁବିଧା ହୋଇଛି। ବିଏମ୍‌ସି ଡେପୁଟି କମିସନର କମଲ୍‌ଜିତ୍‌ ଦାସଙ୍କ ସୂଚନାନୁସାରେ ପର୍ଯ୍ୟଟକମାନଙ୍କ ସମସ୍ତ ସୁବିଧା ପାଇଁ ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି। ତେଣୁ ଏଣିକି ଏଠାକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର