ମେଣ୍ଢାଶାଳ: ଏଣିକି ଚନ୍ଦକା ବଣୁଆ ହାତୀଙ୍କ ଠାରେ ରେଡିଓ କଲାର ଲାଗିବ। ଫଳରେ ସହଜରେ ସେମାନଙ୍କ ଗତିବିଧି ଉପରେ ନଜର ରଖି ହେବ ଓ ସେହି ଅନୁସାରେ ପାଟ୍ରୋଲିଂ କରି ସେମାନଙ୍କୁ ନିୟନ୍ତ୍ରଣ କରିହେବ। ଚନ୍ଦକା ଅଭୟାରଣ୍ୟ ପକ୍ଷରୁ ଖୁବ୍ ଶୀଘ୍ର ଏହି ନୂଆ ବ୍ୟବସ୍ଥା ଲାଗୁ ହେବ ବୋଲି ସୂଚନା ମିଳିଛି।
ଭୁବନେଶ୍ୱର ଉପକଣ୍ଠରେ ହାତୀ ଆତଙ୍କ କୌଣସି ନୂଆ କଥା ନୁହେଁ। ଏବେ କିନ୍ତୁ ଦନ୍ତା ହାତୀ ରାମୁ ଓ ଭରତପୁର ସଂରକ୍ଷିତ ଜଙ୍ଗଲରେ ରହୁଥିବା ଦୁଇ ମାଖ୍ନା ବହୁ ତାଣ୍ଡବ କରୁଛନ୍ତି। ଗୋଟିଏ ମାଖ୍ନା ନନ୍ଦନକାନନରେ ପାଚେରି ଭାଙ୍ଗି ପଶିବା ସହ ବ୍ୟାପକ କ୍ଷୟକ୍ଷତି କରୁଛି। ରାମୁ ଗାଁମାନଙ୍କରେ ଘରେ ପଶି ଧାନ ବସ୍ତା ଉଠାଇ ନେଉଛି। ସେହିଭଳି ପାଚେରି ଭାଙ୍ଗିବା, ବାଡ଼ିବଗିଚାରେ କଦଳୀ ଗଛ, ଆମ୍ବ ଗଛ,ପଣସ ଗଛ ଆଦି ନଷ୍ଟ କରୁଛି। ଚନ୍ଦକା ଡମପଡ଼ା ହସ୍ତୀ ଅଭୟାରଣ୍ୟର ଏହି ୩ ଟି ହାତୀଙ୍କୁ ଆୟତ୍ତ କରି ହେଉନାହିଁ।
ଏହି ସମସ୍ୟାର ସମାଧାନ ପାଇଁ ଗତ ମାର୍ଚ୍ଚ ମାସରେ ଚନ୍ଦକା ବନବିଭାଗ ପକ୍ଷରୁ ବେଙ୍ଗାଲୁରୁ ଏସିଆନ ଏଲିଫ୍ୟାଣ୍ଟ ରିସର୍ଚ୍ଚ ସେଣ୍ଟର ସହିତ ଯୋଗାଯୋଗ କରାଯାଇଥିଲା। କିନ୍ତୁ କୋଭିଡ୍ କଟକଣା ପାଇଁ ବେଙ୍ଗାଲୁରୁରୁ ଟିମ୍ ଆସି ପାରିନାହିଁ। ଏହି ଟିମ୍ ସହିତ ନନ୍ଦନକାନନର ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜର ଟିମ୍ ମିଶି ହାତୀଙ୍କୁ ଟ୍ରାଙ୍କୁଲାଇଜ୍ କରିବେ ଓ ରେଡିଓ କଲାର ଲଗାଇବେ। ଚନ୍ଦକାରେ ଥିବା ୪୦ଟି ହାତୀ ମଧ୍ୟରୁ ରାମୁ ଓ ଦୁଇ ମାଖ୍ନା ଏମିତି ୩ଟି ହାତୀଙ୍କ ଠାରେ ରେଡିଓ କଲାର ଲଗାଯିବ। ବଡ଼ ମାଖ୍ନା ଅଧିକ ହିଂସ୍ର ହୋଇଥିବାରୁ ପ୍ରଥମେ ତା’ଠାରେ ରେଡିଓ କଲାର ଲାଗିବ ବୋଲି ଚନ୍ଦକା ଡମପଡ଼ା ବନଖଣ୍ଡ ଏସିଏଫ ହିମାଂଶୁ ଶେଖର ସ୍ୱାଇଁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/f54hj56s4f56h4sf5h456sfhshfhhfssfh.jpg)