ଖଣ୍ଡଗିରି: ୫ ବର୍ଷ ତଳେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଐତିହ୍ୟ ପୁଷ୍କରିଣୀ ପୁନରୁଦ୍ଧାର ହୋଇଥିଲା। ଶୌଚାଳୟ, ଗାଧୋଇବା ପାଇଁ ସବୁ ବ୍ୟବସ୍ଥା ହୋଇଥିଲା। ପେଭର୍ ବ୍ଲକ୍ ପଡ଼ିଥିଲା। ଚାରିଆଡେ ରଙ୍ଗ ବେରଙ୍ଗ ଚିତ୍ର କରାଗଲା। କିନ୍ତୁ ଏବେ ପୁଷ୍କରିଣୀର ସ୍ଥିତି ଶୋଚନୀୟ। ବର୍ଷେ ହେଲା ପୁଷ୍କରିଣୀର ଚାରିପଟ ରେଲିଙ୍ଗ୍, ପେଭର୍ ବ୍ଲକ୍ ଭାଙ୍ଗିବା ସହିତ ମାଟି ଧସିଯାଇଛି। ଏଭଳି ସ୍ଥିତି ବରମୁଣ୍ଡା ‘ନୂଆ ପୋଖରୀ’ରେ ଦେଖିବାକୁ ମିଳିଛି। ଏବେ ପୁଣି ଅମୃତ ଯୋଜନାରେ ୨୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏହାର ପୁନରୁଦ୍ଧାର ଯୋଜନା ହୋଇଛି।
ବରମୁଣ୍ଡାର ଏହି ପୋଖରୀର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫୦ ଲକ୍ଷ ଟଙ୍କା ଦିଆଯାଇଥିଲା। ଅଶୋକ ଚନ୍ଦ୍ର ପଣ୍ଡା ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ଏହି ଅର୍ଥ ମଞ୍ଜୁର ହୋଇଥିଲା। ପୂର୍ତ୍ତବିଭାଗ ପକ୍ଷରୁ ଏହାର ନବୀକରଣ କରାଗଲା। ୨୦୨୦ ମସିହା ଅକ୍ଟୋବର ୧୯ ତାରିଖରେ ମନ୍ତ୍ରୀ ଶ୍ରୀ ପଣ୍ଡା ଏହାକୁ ଉଦ୍ଘାଟନ କରିଥିଲେ। ଏକଦା ବରମୁଣ୍ଡା ଫ୍ଳାଏଓଭର୍ ଉପରୁ ପରିତ୍ୟକ୍ତ କୁଣ୍ଡ ପରି ଦୃଶ୍ୟମାନ ହେଉଥିବା ଏହି ପୋଖରୀର ନବକଳେବର ବେଶ୍ ମନଲୋଭା ହୋଇଥିଲା। ଏଠାରେ ଲୋକଙ୍କ ବ୍ୟବହାର ପାଇଁ ସମସ୍ତ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଥିଲା। ତୁଠକାର୍ଯ୍ୟ ପାଇଁ ସ୍ବତନ୍ତ୍ର ସେଡ୍ ନିର୍ମାଣ କରାଯାଇଥିଲା। ପାର୍ଶ୍ବ କାନ୍ଥରେ ଐର ଖାରବେଳଙ୍କ ଗୌରବର ଗାଥା ଚିତ୍ରିତ କରାଯାଇଥିଲା। ଏଠାରେ ଫଟୋ ଉଠାଇବାକୁ ସ୍ଥାନୀୟ ଲୋକ ନିୟମିତ ଯାଉଥିଲେ। ନିକଟରେ ବସ୍ଷ୍ଟାଣ୍ଡ୍ ଥିବାରୁ ଯାତ୍ରୀମାନେ ମଧ୍ୟ ଏହାର ଉପଯୋଗ କରୁଥିଲେ।
ଉଦ୍ଘାଟନ ପରେ ଏହାର ରକ୍ଷଣାବେକ୍ଷଣ କିପରି ହେବ, ତାହା ଉପରେ କେହି ନଜର ଦେଲେ ନାହିଁ। ନା ପୂର୍ତ୍ତବିଭାଗ ରକ୍ଷଣାବେକ୍ଷଣ କଲା ନା ବିଏମ୍ସି। ଭୁବନେଶ୍ବରରେ ଜଳାଶୟର ପୁନରୁଦ୍ଧାର କରିବାକୁ ବିଏମ୍ସି ଯୋଜନା ପରେ ଯୋଜନା କରୁଛି। କିନ୍ତୁ ପର୍ଯ୍ୟଟନ ବିଭାଗ ଅର୍ଥରେ ପୁନରୁଦ୍ଧାର ହୋଇଥିବା ପୋଖରୀର ରକ୍ଷଣାବେକ୍ଷଣ କରିବାକୁ ବିଏମ୍ସି କର୍ତ୍ତୃପକ୍ଷ ଉଚିତ ମଣିଲେ ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ପୋଖରୀ ଓ ଏହାର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟୀକରଣ ଉଜୁଡ଼ିଗଲା। ପ୍ରଥମେ ଶୌଚାଳୟ କବାଟ ଭାଙ୍ଗିଲା। ପରେ ଶୌଚାଳୟ କାନ୍ଥ ଭୁଶୁଡ଼ି ପଡ଼ିଲା। ଦୁଇ ତୁଠ ପାଖ ଭାଙ୍ଗିଯିବାରୁ ସେଠାକୁ ଯିବାକୁ ରାସ୍ତା ନାହିଁ। ପେଭର୍ ବ୍ଲକ୍ ସହ ତୁଠ ପାଖରେ ମାଟି ଅତଡ଼ା ଧସିଯାଇଛି। ପୋଖରୀ ପାଣି ଏତେ ମଇଳା ହୋଇଯାଇଛି ଯେ ଦଶାହ କାମ ପାଇଁ ମଧ୍ୟ ତାହା ଉପଯୋଗୀ ହେଉନାହିଁ। ଏଠାରେ ଗାଧୋଇଲେ ଦେହ ହାତ କୁଣ୍ଡେଇ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ କର୍ପୋରେଟର ରାମ ରଣସିଂହ କହିଛନ୍ତି, ପୋଖରୀ ତିଆରି ହେବାର କିଛି ଦିନ ପରେ ପାଣି ଖରାପ ହେବା ସହ ବିଭିନ୍ନ ଜାଗାରେ ଭାଙ୍ଗିଯାଇଥିଲା। କାମ ନିମ୍ନମାନର ହୋଇଥିବାରୁ ଏମିତି ସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁ ବର୍ଷେ ତଳେ ମାଟି ଧସିଯାଇଥିଲା। ଏହାର ପୁନରୁଦ୍ଧାର ସହ ଉନ୍ନତୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ପ୍ରସ୍ତାବ ଦିଆ ଯାଇଛି। ୨୦ ଲକ୍ଷ ଟଙ୍କାର ବ୍ୟୟ ବରାଦ ହେବା ସହିତ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ।