ବିମାନ ସଂଯୋଗ, ଆତିଥେୟତା ଓ ଗ୍ରାମୀଣ ପର୍ଯ୍ୟଟନକୁ ଗୁରୁତ୍ବ

ଆସିଲା ନୂଆ ‘ଓଡ଼ିଶା ପର୍ଯ୍ୟଟନ ନୀତି’

ଭୁବନେଶ୍ବର: ରାଜ୍ୟକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା, ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେଇ ଓଡ଼ିଶାରେ ଅଧିକ ଦିନ ଭ୍ରମଣ କରାଇବା, ପର୍ଯ୍ୟଟନ ଶିଳ୍ପ ମାଧ୍ୟମରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨ ଆଣିଛନ୍ତି।

କୋଭିଡ ମହାମାରୀ ପୂର୍ବରୁ ପ୍ରତିବର୍ଷ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଥିବାବେଳେ ବର୍ଷକୁ ପ୍ରାୟ ଦେଢ଼ କୋଟି ଘରୋଇ ପର୍ଯ୍ୟଟକ ଏବଂ ଏକ ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସୁଥିଲେ। କରୋନା ପାଇଁ ୨୦୨୦ ଓ ୨୦୨୧‌ରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବା ସହ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକଙ୍କ ବେଉସା ବୁଡ଼ିଯାଇଥିଲା। ତେଣୁ ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରିବାକୁ ରାଜ୍ୟ ସରକାର ଭିତ୍ତିଭୂମି ବଢ଼ାଇବା ସହ ଆତିଥେୟତା ଏବଂ ଗ୍ରାମୀଣ ପର୍ଯ୍ୟଟନକୁ ଫୋକସ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଗତ ୨୯ ତାରିଖରେ ରାଜ୍ୟ କ୍ୟାବିନେଟ୍‌ରେ ଓଡ଼ିଶା ପର୍ଯ୍ୟଟନ ନୀତିରେ ମୋହର ମାରିଥିବା ବେଳେ ଆଜି ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ଏହାର ବିଧିବଦ୍ଧ ଉନ୍ମୋଚନ ହୋଇଛି। ଏଥର ପର୍ଯ୍ୟଟନ ନୀତିରେ ପରିବହନ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଦେଶର ବିଭିନ୍ନ ସହରକୁ ଯିବା ପାଇଁ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦର ସହ ଝାରସୁଗୁଡ଼ା ଓ ଜୟପୁର ବିମାନବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ। ପିପିପି ମୋଡ୍‌ରେ ରାଜ୍ୟର ବିଭିନ୍ନ ସହରରେ ଛୋଟ ଛୋଟ ଏୟାରଷ୍ଟ୍ରିପ୍‌ ନିର୍ମାଣ କରିବାକୁ ଘରୋଇ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହିତ କରାଯିବ। ରାଜ୍ୟକୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବାକୁ ଅଧିକରୁ ଅଧିକ ଦେଶକୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିବାକୁ ନୂଆ ପର୍ଯ୍ୟଟନ ନୀତିରେ ସ୍ଥିର କରାଯାଇଛି।

ଅନ୍ୟପଟେ ପର୍ଯ୍ୟଟକଙ୍କ ରହଣୀ ଉପରେ ଗୁରୁତ୍ବ ଦେଇଛି ପର୍ଯ୍ୟଟନ ବିଭାଗ। ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ବିକାଶ ଓ ଯୋଗାଯୋଗରେ ଉନ୍ନତୀକରଣ ସହ ପର୍ଯ୍ୟଟକ ଯେପରି ଉଚ୍ଚମାନର ରହିବା ସୁବିଧା ପାଇବେ ଏବଂ ଅଧିକ ଦିନ ଓଡ଼ିଶାରେ ରହିବେ ସେନେଇ ଭିତ୍ତିଭୂମି ବିକାଶ କରିବାକୁ ସ୍ବତନ୍ତ୍ର ଖସଡ଼ା‌ ପ୍ରସ୍ତୁତ ହୋଇଛି। ରାଜ୍ୟରେ ଅଧିକ ତାରକା ହୋଟେଲ, ଐତିହ୍ୟ ହୋଟେଲ, କନ୍‌ଭେନ୍‌ସନ୍‌ ସେଣ୍ଟର୍‌ ଓ ଇକୋ କ୍ୟାମ୍ପ ଆଦି ନିର୍ମାଣ କରିବାକୁ ଘରୋଇ ନିବେଶକଙ୍କୁ ପ୍ରୋତ୍ସାହିତ କରାଯିବ। ଏଥିସହ ଇକୋ-ଟୁରିଜିମ୍‌, ଗ୍ରାମୀଣ ପର୍ଯ୍ୟଟନ, ହୋମ୍‌ ଷ୍ଟେ ସୁବିଧା ଓ କାରାଭାନ୍‌ ବା କ୍ୟାମ୍ପିଂ ଭ୍ୟାନ ଭିତ୍ତିଭୂମି ବିକାଶକୁ ଫୋକସ୍‌ କରାଯାଇଛି। ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ଗ୍ରାମଗୁଡ଼ିକୁ ବିକଶିତ କରି ସେଠାରେ ପର୍ଯ୍ୟଟକଙ୍କ ରହଣୀ ବ୍ୟବସ୍ଥା କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବା ସହ ଏଠାରେ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ ଯଥା, ସମ୍ବଲପୁରୀ, ଇକ୍କତ, ମାଣିଆବନ୍ଧ ସାମଗ୍ରୀର ପ୍ରସ୍ତୁତି ସିଧାସଳଖ ଦେଖିବା ସହ କିଣିପାରିବେ।

ଏଥିସହ ପର୍ଯ୍ୟଟକଙ୍କ ମଧ୍ୟରେ ଆମ ଟେରାକୋଟା, ତାରକସି, କାଇଁଚ କାମ, ଚାନ୍ଦୁଆ କାରିଗରୀ, ପଟ୍ଟଚିତ୍ର ଆଦିର ବି ପ୍ରଚାର ପ୍ରସାର କରାଯିବ। ଏଥିପାଇଁ ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଗ୍ରାମ ଚିହ୍ନଟ ହେବ। ହୋମ୍‌ ଷ୍ଟେ ସୁବିଧାରେ ଘର ମାଲିକମାନଙ୍କୁ ପର୍ଯ୍ୟଟକଙ୍କ ରହଣୀ ଓ ବ୍ୟବହାର ପାଇଁ ତାଙ୍କ ଘର ଭଡ଼ା ସୂତ୍ରରେ ଦେବା ପାଇଁ ପ୍ରୋତ୍ସାହିତ କରାଯିବ। ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଯୋଜନା ଖୁବ୍‌ ଶୀଘ୍ର ଘୋଷଣା ହେବ। ଏଥିସହ କ୍ୟାମ୍ପିଂ ଭ୍ୟାନ ବା କାରାଭାନ୍‌ ପର୍ଯ୍ୟଟନ ଉପରେ ଅଧିକ ଗୁରୁତ୍ବାରୋପ କରାଯିବ। ପର୍ଯ୍ୟଟକ ପାଖେ ପାଖେ ଯେପରି ହୋଟେଲ୍ ସୁବିଧା ମିଳିବ ସେଥିପାଇଁ ସ୍ବତନ୍ତ୍ର ଭ୍ୟାନ୍‌ ପ୍ରସ୍ତୁତ ହେବ। ଏଥିରେ ଡ୍ରଇଁ ରୁମ୍‌, ଦୁଇ ଶଯ୍ୟା ବିଶିଷ୍ଟ ବେଡ୍‌ରୁମ୍‌, ରୋଷେଇ ସୁବିଧା ଆଦି ମିଳିବ। ଏହି ଭ୍ୟାନ୍‌କୁ ଭଡ଼ାରେ ନେଇ ପର୍ଯ୍ୟଟକମାନେ ସାରା ରାଜ୍ୟ ବୁଲିପାରିବେ।

ଓଡ଼ିଶା ଉପକୂଳରେ ୪୮୨ କିମି ବେଳାଭୂମିର ବିକାଶ ବି ଏଥରର ପର୍ଯ୍ୟଟନ ନୀତିରେ ସାମିଲ ହୋଇଛି। ଉପକୂଳର ସମୁଦ୍ର କୂଳ ସହ ଚିଲିକା, ତାମ୍ପରା ଭଳି ବିଭିନ୍ନ ହ୍ରଦ, ଡ୍ୟାମ୍‌, ନଦୀ ଆଦିରେ ଆକର୍ଷଣୀୟ ପର୍ଯ୍ୟଟନ ଭିତ୍ତିଭୂମି ବିକଶିତ ହେବ। ହାଉସ୍‌ବୋଟ୍‌, ନୌବିହାର, କ୍ରୁଜ୍‌ ଓ ୱାଟର ପାର୍କ ନିର୍ମାଣ ହେବ। ଭିତରକନିକା ଓ ଚିଲିକାରେ ପୂର୍ବରୁ ହାଉସ୍‌ ବୋଟ୍‌ ବ୍ୟବସ୍ଥା ଘରୋଇ ସଂସ୍ଥା ଦ୍ବାରା କରାଯାଇଥିବାରୁ ଏହି ସୁବିଧା ଯେପରି ଅଧିକ ସ୍ଥାନରେ ଉପଲବ୍ଧ ହେବ ସେନେଇ ଅଧିକ ଧ୍ୟାନ ଦିଆଯିବ।

ଆତିଥେୟତା ଭିତ୍ତିଭୂମି ବିକାଶରେ ୨୪ଘଣ୍ଟିଆ ବିଦ୍ୟୁତୀକରଣ ଓ ସ୍ବଚ୍ଛତା ଉପରେ ମଧ୍ୟ ଏଥି‌ରେ ଫୋକସ୍‌ କରାଯାଇଛି। ରାଜ୍ୟର ସମସ୍ତ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀରେ ଉଚ୍ଚମାନର ତଥା ୨୪ ଘଣ୍ଟିଆ ବିଦ୍ୟୁତୀକରଣ ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି। ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟ ଓ ସ୍ବଚ୍ଛତାକୁ ଏହି ନୀତିରେ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଇଛି। ସମସ୍ତ ପର୍ଯ୍ୟଟନସ୍ଥଳ, ତୀର୍ଥ ସ୍ଥାନ ଓ ସମୁଦ୍ରକୂଳରେ ଶୌଚାଳୟ ନିର୍ମାଣ ସହ ଏହାର ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯିବ। ସିଧାସଳଖ ପର୍ଯ୍ୟଟନ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ସ୍ଥାନୀୟ ଏନ୍‌ଜିଓ ଓ କର୍ପୋରେଟ୍‌ ହାଉସ୍‌ ସବୁ ଏହାର ଦାୟିତ୍ବ ନେବେ ବୋଲି ନୂଆ ପର୍ଯ୍ୟଟନ ନୀତିରେ ବ୍ୟବସ୍ଥା ରଖାଯାଇଛି।

ସମ୍ବନ୍ଧିତ ଖବର