ତ୍ରିଶୁଳିଆ/ବାରଙ୍ଗ: ବାରଙ୍ଗ ନିକଟ କଳାରାହାଙ୍ଗ ଗ୍ରାମରେ ଆଜି ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମର ଜଳେଶ୍ବର ମନ୍ଦିର ପୋଖରୀ ହୁଡ଼ାରେ ଥିବା ବୁଦା ମୂଳେ ଏକ ସଦ୍ୟଜାତ ଜୀବନ୍ତ ଶିଶୁପୁତ୍ରକୁ ଜଙ୍ଗଲୀ ମୂଷା ଓ ନେଉଳମାନେ ଝୁଣିଝୁଣି ଖାଉଥିଲେ। ଯନ୍ତ୍ରଣାରେ ଛଟପଟ ଶିଶୁଟିର ଚିତ୍କାରରେ ପୂରା ଅଞ୍ଚଳ ଫାଟି ପଡ଼ୁଥିଲା। ତେବେ ସକାଳ ପ୍ରାୟ ୮ଟା ବେଳେ ଗ୍ରାମବାସୀମାନେ ଏ ଦୃଶ୍ୟ ଦେଖିବା ପରେ ଶିଶୁଟିକୁ ଉଦ୍ଧାର କରିଥିଲେ। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ୍ ଶିଶୁଟିକୁ କଟକ ଶିଶୁ ଭବନରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛି। ଶିଶୁଟିର ମୁହଁ ପୂରା ରକ୍ତାକ୍ତ ହୋଇଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଏହି ଘଟଣା ଆଜି ବାରଙ୍ଗ ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି।
ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ବେଳେ ମନ୍ଦିର ପୋଖରୀ ହୁଡ଼ାରେ ଏକ ଶିଶୁର କାନ୍ଦ ଶୁଣି ଗ୍ରାମର ନିରଞ୍ଜନ ବାରିକ, ତାଙ୍କ ମା' ଓ ଭଉଣୀଙ୍କ ସହ ସେଠାକୁ ଯାଇଥିଲେ। ସେମାନେ ଦେଖିବା ବେଳକୁ ଲାହି ନାଡ଼ ଲାଗିଥିବା ଶିଶୁଟିକୁ କିଛି ଜଙ୍ଗଲୀ ମୂଷା ଓ ନେଉଳ ଚାରିକଡ଼ୁ ଘେରି ଯାଇଥିଲେ। ସେମାନେ ଶିଶୁଟିର ମୁହଁ, କାନ, ନାକ ଓ ହାତକୁ ଝୁଣି ଝୁଣି ଖାଉଥିଲେ। ଫଳରେ ଶିଶୁଟି ପୂରା ରକ୍ତ ଜୁଡ଼ୁବୁଡୁ ହୋଇ ଗୁରୁତର ହୋଇପଡ଼ିଥିଲା। କାନ୍ଦି କାନ୍ଦି ତା'ର ରାହା ପଡ଼ି ଯାଉଥିଲା। ପରେ ନିରଂଜନ ଗ୍ରାମବାସୀଙ୍କ ସହାୟତାରେ ଶିଶୁଟିକୁ ଉଦ୍ଧାର କରି ପ୍ରଥମେ ଇମ୍ଫୋସିସ୍ ଥାନାକୁ ଖବର ଦେଇଥିଲେ। ପୁଲିସ୍ ଶିଶୁଟିକୁ ଚିକିତ୍ସା ଲାଗି ପ୍ରଥମେ କିମସ୍ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। କିନ୍ତୁ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ମଞ୍ଚେଶ୍ବର ଥାନା ପୁଲିସ୍ ସହାୟତାରେ ଶିଶୁଟିକୁ କଟକ ଶିଶୁଭବନରେ ଭର୍ତ୍ତି କରାଯାଇଛି। ତେବେ ଏନେଇ ପୁଲିସ୍ ଅଧିକ ତଦନ୍ତ ଚଳାଇଛି। ଶିଶୁପୁତ୍ରଟି କାହାର ଓ କିଏ ଏଠାରେ ଫିଙ୍ଗି ଦେଇ ଚାଲି ଯାଇଛି, ସେ ନେଇ ପୁଲିସ୍ ଛାନ୍ଭିନ୍ ଆରମ୍ଭ କରିଛି। ନିକଟସ୍ଥ ହସ୍ପିଟାଲଗୁଡ଼ିକରୁ ପ୍ରସୂତିଙ୍କ ତଥ୍ୟ ସଂଗ୍ରହ କରିବା ସହ ପଚରାଉଚରା କରୁଛି। ତେବେ କେହି ଯୁବତୀ ଲୋକଲଜ୍ଜା ଭୟରେ ଏପରି କରିଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି।