ନବାଗତା କଣ୍ଠଶିଳ୍ପୀ କାଷ୍ଟିଂ କାଉଚ୍‌ର ଶିକାର: ଫାଙ୍କୁଛନ୍ତି ରସିକିଆ ଆଲବମ୍‌ ନିର୍ଦ୍ଦେଶକ

ଚନ୍ଦ୍ରଶେଖରପୁର: ସ୍ଥାନୀୟ ଅଞ୍ଚଳର ଜଣେ ନବାଗତା କଣ୍ଠଶିଳ୍ପୀ କାଷ୍ଟିଂ କାଉଚ୍‌ର ଶିକାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀଜଣକ ଜଣେ ଆଲବମ୍‌ ନିର୍ଦ୍ଦେଶକଙ୍କ ଦ୍ବାରା ପ୍ରତାରିତା ହୋଇଥିବା ନେଇ ସରଗରମ ଆଲୋଚନା ହେଉଛି। ଆଲବମ୍‌ରେ ସୁଯୋଗ ଦେବା ବାହାନାରେ ନିର୍ଦ୍ଦେଶକ ଜଣକ ଯୁବତୀଙ୍କୁ ବିବାହ କରିବାକୁ କହି ଏବେ ଫାଙ୍କି ଦେଉଛନ୍ତି ବୋଲି ଜଣାପଡ଼ିଛି। ଏନେଇ ଥାନାରେ ବିଧିବଦ୍ଧ ଅଭିଯୋଗ ହୋଇନଥିଲେ ମଧ୍ୟ ଘଟଣାଟି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବା କୁହାଯାଉଛି।

ଘଟଣାଟି ଏମିତି। ଚନ୍ଦ୍ରଶେଖରପୁର ଅଞ୍ଚଳର ଏହି ନୂଆ କଣ୍ଠଶିଳ୍ପୀ ଅନେକ ରିଅଲିଟି ସୋ’ରେ ଅଂଶ ଗ୍ରହଣ କରିଛନ୍ତି। ଏମିତିରେ ସେ ସ୍ଥାନୀୟ ଅଞ୍ଚଳରେ ବି ଜଣେ ଜଣାଶୁଣା କଣ୍ଠଶିଳ୍ପୀ। ଘଟଣାକ୍ରମେ ତାଙ୍କୁ ଜଣେ ଆଲବମ୍‌ ନିର୍ଦ୍ଦେଶକ ସୁଯୋଗ ଦେବାକୁ କହି ଫୁସୁଲାଇଲେ। ଆଲବମ୍‌ରେ କଣ୍ଠଦାନ କରିବା ମଉକା ପାଇବା ଲୋଭରେ ଯୁବତୀ ଜଣକ ନିର୍ଦ୍ଦେଶକଙ୍କ ନିକଟତ୍ତର ହେବାରେ ଲାଗିଲେ। ଏହା ଭିତରେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ମାତ୍ର କିଛି ଦିନ ପରେ ଯୁବତୀଙ୍କୁ କଣ୍ଠଦାନର ସୁଯୋଗ ମିଳିଲା ନାହିଁ କି ନିର୍ଦ୍ଦେଶକଙ୍କ ସହ ପ୍ରେମ ସମ୍ପର୍କ ରହିଲା ନାହିଁ। ନିର୍ଦ୍ଦେଶକ ତାଙ୍କଠାରୁ ଧୀରେଧୀରେ ମୁହଁ ଫେରାଇନେଲେ। ଶେଷରେ ତାଙ୍କୁ ବିବାହ କରିବେ ନାହିଁ ବୋଲି ରୋକ୍‌ଠୋକ୍ ମନା କରିଛନ୍ତି। ପ୍ରତାରଣାର ଶିକାର ହେବା ପରେ ଯୁବତୀ ତାଙ୍କୁ ପୁଲିସର ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ମଧ୍ୟସ୍ଥିଙ୍କ ଜରିଆରେ ମାମଲାର ସମାଧାନ ପା‌ଇଁ ଆଲୋଚନା ଚାଲିଥିବାରୁ ଥାନାରେ ମାମଲା ହୋଇନାହିଁ।

ସମ୍ବନ୍ଧିତ ଖବର