‘ସମ୍ବାଦ’ ପ୍ରଭାବ ଆୟୁଷ ନିର୍ଦ୍ଦେଶାଳୟର ନିଦ ଭାଙ୍ଗିଲା

ଔଷଧ ସୁରକ୍ଷିତ ରଖିବାକୁ ସବୁ ଡିଏଏମ୍‌ଓ ଓ ଅଧୀକ୍ଷକଙ୍କୁ ଚିଠି

ଭୁବନେଶ୍ବର: ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ କିଣିଥିବା ୮ କୋଟି ଟଙ୍କାର ଔଷଧ ଖତ ଖାଉଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ନିର୍ଦ୍ଦେଶାଳୟର ନିଦ ଭାଙ୍ଗିଛି। ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଯୋଗୁଁ ହେବାକୁ ଥିବା ବାତ୍ୟାରୁ ଔଷଧକୁ ସୁରକ୍ଷିତ ରଖିବା ଲାଗି ରାଜ୍ୟର ସମସ୍ତ ଜିଲ୍ଲା ଆୟୁର୍ବେଦିକ ମେଡିକାଲ ଅଧିକାରୀ ବା ଡିଏଏମ୍‌ଓ, ଆୟୁର୍ବେଦିକ କଲେଜର ଅଧୀକ୍ଷକ ଓ ଆୟୁର୍ବେଦିକ ହସ୍ପିଟାଲର ଉପ-ଅଧୀକ୍ଷକଙ୍କୁ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି କରାଯାଇଛି।

ଏହି ଚିଠିକୁ ଅତି ଗୁରୁତ୍ବର ସହ ଗ୍ରହଣ କରିବା ଲାଗି କୁହାଯାଇଛି। ତେବେ ଜିଲ୍ଲାସ୍ତରର ଅଧିକାଂଶ ଡିଏଏମ୍‌ଓ କାର୍ଯ୍ୟାଳୟ‌ରେ ୱେୟାରହାଉସ ନଥିବା ବେଳେ କିଭଳି ଏତେ ପରିମାଣର ଔଷଧ ସୁରକ୍ଷିତ ରଖାଯିବ, ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାସହ ଯେଉଁ ଜିଲ୍ଲାର ଔଷଧ ଲକ୍‌ଡାଉନ୍‌ ଯୋଗୁଁ କୋରିୟର୍‌ ସଂସ୍ଥାରେ ପଡ଼ି ରହିଛି, ସେସବୁ କିଭଳି ସୁରକ୍ଷିତ ଭାବେ ରହିବ, ତାହା ସନ୍ଦେହ ଘେରରେ ରହିଛି। ଏଭଳି ପରିସ୍ଥିତିରେ ନିର୍ଦ୍ଦେଶାଳୟ ପକ୍ଷରୁ କାହିଁକି ଆଗୁଆ ପଦକ୍ଷେପ ଗ୍ରହଣ କରାଗଲା ନାହିଁ, ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ଗତବର୍ଷ ଡିସେମ୍ବରରେ ୮କୋଟି ୫୬ଲକ୍ଷ ଟଙ୍କାର ଆୟୁଷ ଔଷଧ କିଣାଯାଇଥିଲା। ମାତ୍ର ଉପଯୁକ୍ତ ପରିଚାଳନା ଓ ଆନ୍ତରିକତାର ଅଭାବ ଯୋଗୁଁ ଏହି ଔଷଧ ବିତରଣରେ ସମସ୍ୟା ସୃଷ୍ଟି ହୋଇଥିଲା। ପରବର୍ତୀ ସମୟରେ ଆୟୁଷ ଡାକ୍ତରଙ୍କୁ କୋଭିଡ ହସ୍ପିଟାଲରେ ସାମିଲ କରାଯିବା ପରେ ଆୟୁଷ ଡାକ୍ତରଙ୍କ ଓପିଡି ବନ୍ଦ ହୋଇଥିଲା। ଫଳରେ କୋଟି କୋଟି ଟଙ୍କାର ଔଷଧ ପଡ଼ି ରହିଲା।

ସମ୍ବନ୍ଧିତ ଖବର