ବାଲିଅନ୍ତା: ଖବରକାଗଜ ବିତରଣ କରି ୫ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦାନା ଦେବା ପାଇଁ ସେ ଅସମର୍ଥ। କରୋନା ସଂକଟବେଳେ ଖବରକାଗଜ ବିକ୍ରି କମି ଯାଇଥିବାରୁ ଏବେ ଆୟ ମଧ୍ୟ କମିଛି। ଆୟ ହ୍ରାସ ସାଙ୍ଗକୁ ବଜାର ଦରବୃଦ୍ଧି ତାଙ୍କ ପାଇଁ ଦୁଃସ୍ଥିତି ଆଣି ଦେଇଛି। ଏଭଳି କଠିନ ସମୟରେ ସ୍ବାମୀ ପରିତ୍ୟକ୍ତା ଭଉଣୀ ପେଟରେ ଷ୍ଟୋନ୍ଜନିତ ଯନ୍ତ୍ରଣା। ତୁରନ୍ତ ଅପରେସନ୍ ନ ହେଲେ କେତେବେଳେ କିଛି ବି ଅଘଟଣ ଘଟିପାରେ। ସରକାରୀ ସହାୟତା ପାଇଁ ସବୁ କ୍ଷେତ୍ରରେ ଆବେଦନ କରିବା ପରେ ମଧ୍ୟ କିଛି ସୁଫଳ ମିଳିନାହିଁ। ତେଣୁ ବିକଳ ହୋଇ ସେ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଲୋଡ଼ିଛନ୍ତି। ଭଉଣୀକୁ ରକ୍ଷା କରିବା ପାଇଁ ସେ ହାତ ପାତିଛନ୍ତି। ଏହା ହେଉଛି ବାଲିଅନ୍ତା ବ୍ଲକ ଖମଙ୍ଗଶାସନ ଗାଁର ପୂର୍ଣ୍ଣଚନ୍ଦ୍ର ଦାଶଙ୍କ କରୁଣ କାହାଣୀ।
କରୋନା ସଂକଟ ଆସିବା ପରଠାରୁ ପୂର୍ଣ୍ଣଚନ୍ଦ୍ରଙ୍କ ଆର୍ଥିକସ୍ଥିତି ପୂରା ବିଗିଡ଼ି ଯାଇଛି। ପରିବାର ପାଇଁ ଦୁଇ ବେଳା ଖାଦ୍ୟ ଯୋଗାଡ଼ କରିବା କାଠିକର ପାଠ ହୋଇପଡ଼ୁଛି। ଏତିକିବେଳେ ଦାଉ ସାଧିଛି ସାନ ଭଉଣୀର ପେଟରୋଗ। ଷ୍ଟୋନ୍ ବଢ଼ୁଥିବାରୁ ସେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଭଉଣୀର ଚିକିତ୍ସା ପାଇଁ ଅର୍ଥ କେମିତି ଯୋଗାଡ଼ କରିବେ ସେହି ଚିନ୍ତାରେ ପୂର୍ଣ୍ଣଚନ୍ଦ୍ର ଭାଙ୍ଗିପଡ଼ିଛନ୍ତି। ବାପାଙ୍କ ମୃତ୍ୟୁ ପରେ ୧୨ ବର୍ଷ ତଳେ ସାନ ଭଉଣୀ ଭାରତୀ ଦାଶ (୪୦)ଙ୍କୁ ସେ କାକଟପୁର ବ୍ଲକ ଅଧୀନ ଗଙ୍ଗା ନାରାୟଣପୁରରେ ବିବାହ କରାଇଥିଲେ। ହେଲେ ବିବାହ ପରେ ଅସୁସ୍ଥତା ଯୋଗୁଁ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ଶାଶୁଘର ଲୋକ ତାଙ୍କୁ ଘରୁ ବାହାର କରି ଦେଇଥିଲେ। ଏବେ ତାଙ୍କ ଅସୁସ୍ଥତା ବଢ଼ି ବଢ଼ି ଚାଲିଛି ଓ ଗୋଡ଼ ହାତ ଅଚଳ ହୋଇପଡ଼ିଲାଣି। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ରିଲିଫ ଫାଣ୍ଠି ଓ ଜିଲ୍ଲାପାଳଙ୍କ ରେଡ୍କ୍ରସ ଫଣ୍ଡରୁ ଆର୍ଥିକ ସହାୟତା ପାଇବା ପାଇଁ ଭଉଣୀକୁ ସାଙ୍ଗରେ ନେଇ ପୂର୍ଣ୍ଣଚନ୍ଦ୍ର ତହସିଲଦାର ଓ ବିଡିଓଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ହେଲେ ଏଯାଏ ତାଙ୍କୁ ସରକାରୀ ସହାୟତା ମିଳିନାହିଁ। ତେଣୁ ଚିକିତ୍ସା ପାଇଁ କୌଣସି ବଦାନ୍ୟ ବ୍ୟକ୍ତି ବା ଅନୁଷ୍ଠାନ ସହାୟତାର ହାତ ବଢ଼ାଇବାକୁ ପୂର୍ଣ୍ଣଚନ୍ଦ୍ର ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/fhsfh98sf7h89sfhfhsfhshsfshf.jpg)