ଭୁବନେଶ୍ବର: ଆସନ୍ତାକାଲି ମୁକ୍ତିଲାଭ କରିବ ଓଡ଼ିଆ ସିନେମା ‘ବୋଉ ବୁଟୁ ଭୂତ’। ଦର୍ଶକଙ୍କ ଉତ୍କଣ୍ଠାକୁ ଆଖିରେ ରଖି ମୁକ୍ତିଲାଭ ପୂର୍ବରୁ ଭୁବନେଶ୍ୱରର ଶ୍ରୀୟା ହଲ୍ରେ ‘ମିଡ୍ନାଇଟ ସୋ’ର ଆୟୋଜନ କରାଯାଇଥିଲା। ପ୍ରଯୋଜନା ତଥା ବିତରଣକାରୀ ସଂସ୍ଥା ପକ୍ଷରୁ ପରୀକ୍ଷାମୂଳକ ଭାବେ ନିଆଯାଇଥିବା ଏହି ପ୍ରମୋସନାଲ ଷ୍ଟ୍ରାଟେଜି ସଫଳ ହୋଇଥିଲା। ସାରା ସହର ନିଦର ଚାଦର ଘୋଡ଼େଇ ହେଉଥିବା ବେଳେ ଶ୍ରୀୟା ହଲ୍ ପରିସର ଥିଲା ଲୋକାରଣ୍ୟ। ନିଜର ପ୍ରଶଂସକମାନଙ୍କୁ ଉତ୍ସାହିତ କରିବା ପାଇଁ ସୁପରଷ୍ଟାର ବାବୁସାନ ମଧ୍ୟ ଏହି ମିଡ୍ନାଇଟ ସୋ’ରେ ଯୋଗ ଦେଇଥିଲେ। ଶ୍ରୀୟାରେ ମିଡ୍ନାଇଡ୍ ସୋ’ର ସଫଳତା ପରେ ସ୍ୱାତୀ ସିନେପ୍ଲେକ୍ସ ଓ ବ୍ରହ୍ମପୁରର ପାୟଲ ହଲ୍ରେ ମଧ୍ୟ ଏକକାଳୀନ ଆଉ ୨ଟି ‘ମିଡ୍ନାଇଟ ସୋ’ ରଖାଯାଇଛି। ରାତି ୧୨ଟାରେ ଭୂତ ସିନେମାର ରୋମାଞ୍ଚ ଓ ମଜା ନେଇଥିଲେ ଦର୍ଶକ।
ବାବୁସାନ୍ ଫିଲ୍ମସ ନିବେଦିତ ତଥା ତୃପ୍ତି ଶତପଥୀଙ୍କ ପ୍ରଯୋଜିତ ‘ବୋଉ ବୁଟୁ ଭୂତ’ ସାରା ଓଡିଶାରେ ୬୧ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ଏହାର ମୁଖ୍ୟ ଭୂମିକାରେ ଅଛନ୍ତି ଓଲିଉଡ୍ର ସୁପରଷ୍ଟାର ବାବୁସାନ୍ ମହାନ୍ତି। ତାଙ୍କ ବିପକ୍ଷରେ ଅଛନ୍ତି ନାୟିକା ଅର୍ଚ୍ଚିତା। ସେହିପରି ବରିଷ୍ଠ ଅଭିନେତ୍ରୀ ଅପରାଜିତାଙ୍କୁ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଛି। ଅନ୍ୟାନ୍ୟ ଚରିତ୍ରରେ ଅଛନ୍ତି ଚୌଧୁରୀ ଜୟପ୍ରକାଶ ଦାସ, କେକେ, ରବି ମିଶ୍ର, ଅନୁଗୁଳିଆ ବଣ୍ଟି ଓ ଉଦିତ ଗୁରୁ। ଜଗଦୀଶ ମିଶ୍ର ଏହାର ନିର୍ଦ୍ଦେଶନା ଦେଇଛନ୍ତି। କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ଏମ୍. ଇମ୍ରାନ। ପ୍ରଣବ ପ୍ରସନ୍ନ ରଥ ଏହାର ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ। ଡିଓପି ଅଛନ୍ତି ରୁଦ୍ରକାନ୍ତ ସିଂ। କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ସମ୍ବିତ ଜେନା।