କୁଖ୍ୟାତ ବାଇକ୍ ଚୋର ମିଲୁ-ମକରା ଯୋଡ଼ି ଗିରଫ

ଭୁବନେଶ୍ବର: ବିଭିନ୍ନ ଥାନାରେ ୨୫ରୁ ଊର୍ଧ୍ବ ମାମଲା ଥିବା କୁଖ୍ୟାତ ବାଇକ୍ ଚୋର ମିଲୁ-ମକରା ଯୋଡ଼ିକୁ ଆଜି ଭରତପୁର ପୁଲିସ୍‌ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ୍‌ ୨ଟି ବାଇକ୍‌ ଜବତ କରିଛି। କିଛି ଦିନ ତଳେ ଉଭୟ ଜାମିନ୍‌ରେ ଜେଲ୍‌ରୁ ଫେରିଥିଲେ। ତେବେ ଫେରୁଫେରୁ ପୁଣି ସେମାନେ ଗାଡ଼ି ଚୋରି କରିବା ଆରମ୍ଭ କରି ଦେଇଥିଲେ। ଗତ ୧୫ ତାରିଖରେ ସେମାନେ ଜଗନ୍ନାଥ ସାହୁ ନାମକ ଜଣେ ଯୁବକଙ୍କ ବାଇକ୍‌ ଲୁଟି ନେଇଥିଲେ। ଏନେଇ ଜଗନ୍ନାଥ ଭରତପୁର ଥାନାରେ ଅଭିଯୋଗ କରିଥିଲେ। ତେବେ ଦୁହେଁ ଜେଲ୍‌ ଫେରନ୍ତା ହୋଇଥିବାରୁ ପୁଲିସ୍‌ର ସ୍ବତନ୍ତ୍ର ସ୍କ୍ବାଡ୍‌ ସେମାନଙ୍କ ଉପରେ ନଜର ରଖିଥିଲା। ଫଳରେ ସେମାନଙ୍କୁ ଆଜି ପୁଲିସ୍‌ ଅତି ସହଜରେ କାବୁ କରି ନେଇଥିଲା।

ପୁଲିସ୍‌ ସୂଚନା ଅନୁଯାୟୀ, ମକରା ମହାରଣା(୩୦) ଓରଫ ମକରା ସୌଭାଗ୍ୟନଗର ଅଞ୍ଚଳରେ ରହୁଥିବା ବେଳେ ମିଲୁ ଜଗ‌‌ଦେବ ଓରଫ ସନ୍ତୋଷ କୁଳେଇ ଗାଁରେ ରହେ। ଦୁହେଁ ବାଇକ୍‌ ଚୋରି କରିବାରେ ମାହିର୍‌। ଘର ଆଗରେ ଥୁଆ ହୋଇଥିବା କିମ୍ବା ଛକ, ବଜାରରେ ଥୁଆ ହୋଇଥିବା ଗାଡ଼ିକୁ ଏମାନେ ଟାର୍ଗେଟ୍‌ କରି ନିମିଷକ ମଧ୍ୟରେ ଲୁଟି ନେଇଥାନ୍ତି। ମାଷ୍ଟର୍‌ ଚାବି, କଟର୍‌ ସାହାଯ୍ୟରେ ଏମାନେ ରାଜଧାନୀରୁ ଅନେକ ଗାଡ଼ି ଚୋରି କରିଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ରହିଛି। ବାଇକ୍‌କୁ ଚୋରି କରିବା ପରେ ଇଂଜିନ୍‌ ଓ ଅନ୍ୟାନ୍ୟ ଜିନିଷ ବିକ୍ରି କରିଦିଅନ୍ତି। ତେବେ ୭/୮ଟି ଚୋରି କରିବା ପରେ ଧରାପଡ଼ିଯିବା ଭୟରେ ଏମାନେ ରାଜଧାନୀ ଛାଡ଼ି ଫେରାର୍‌ ହୋଇଯାଆନ୍ତି।

ସମ୍ବନ୍ଧିତ ଖବର