ଭୁବ‌ନେଶ୍ବର: ଔପନ୍ୟାସିକ ପ୍ରିୟବ୍ରତ ପାତ୍ରଙ୍କ ଭ୍ରମଣ ଉପନ୍ୟାସ ‘ମେଘନା’ ଲୋକାର୍ପିତ ‌ହୋଇଛି। ଲୋକାର୍ପଣରେ ମୁଖ୍ୟ ଅତିଥିଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ‘କଥା’ର ସମ୍ପାଦକ ଗୌରହରି ଦାସ, ‘ଆମ ଓଡ଼ିଶା’ର ପ୍ରକାଶନ ସମ୍ପାଦକ ଅସିତ ମହାନ୍ତି, ‘ଆମ ଓଡ଼ିଶା’ର ରାଜ୍ୟ ସମ୍ପାଦକ ସ୍ବରାଜ ମିଶ୍ର, କଥାକାର ଚିରଶ୍ରୀ ଇନ୍ଦ୍ରସିଂହ, ଅନୁବାଦକ ବିଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଆମାନେ ବିଶେଷ ଭ୍ରମଣପ୍ରିୟ ନୁହନ୍ତି। ତେଣୁ ଓଡ଼ିଆ ସାହିତ୍ୟରେ ଭ୍ରମଣ କାହାଣୀ ବା ଉପନ୍ୟାସ ତୁଳନାତ୍ମକ ଭାବରେ ଅଳ୍ପ। ସେ ଦୃଷ୍ଟିରୁ ଏହି ପୁସ୍ତକଟି ଏକ ମୂଲ୍ୟ‌ବାନ ସଂଯୋଜନା ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

Advertisment

‘ମେଘନା’ ସମ୍ପର୍କରେ ସୂଚନା ଦେଇ ଲେଖକ ଶ୍ରୀ ପାତ୍ର କହିଥିଲେ, ଦେଶ ବିଭାଜନ ଭଳି ଏକ ଦାରୁଣ ପରିସ୍ଥିତିରୁ ମୁକୁଳି ପଡୋଶୀ ଦେଶରେ ଆତ୍ମଗୋପନ କରିବା ଥିଲା ଏହାର ପୁସ୍ତକର ନାୟିକା ମେଘନାଙ୍କର ନିୟତି । ବଞ୍ଚିବାର ଦାୟରେ ସେ ଘୂରି ବୁଲିଛି ସୁନ୍ଦରବନଠୁ ଆରମ୍ଭକରି ମାଜୁଲୀ, ରାୟପୁର, ମାଲକାନଗିରି ପର୍ଯ୍ୟନ୍ତ। ସେ ଜୀବନର ବାଟରେ ଆଗକୁ ବଢ଼ିବାରେ ବିଶ୍ବାସ କରୁଥିବା ଜଣେ ଭ୍ରାମ୍ୟମାଣ ଦେଶାନ୍ତରୀ। ଜୀବନକୁ ତଥା ପରିବାରକୁ ଭଲ ପାଉଥିବା ଜଣେ ଶରଣାର୍ଥୀ ପଥିକର ଅପୂର୍ବ ଜୀବନଗାଥା ଏହି ଉପନ୍ୟାସ ବୋଲି ସେ ମତ ଦେଇଥିଲେ। କାର୍ଯ୍ୟକ୍ରମକୁ ଶ୍ରୀ ମିଶ୍ର ସଂଯୋଜନା କରିଥିଲେ।

ସୂଚନାଯୋଗ୍ୟ, ଧାରାବାହିକ ଭାବେ ‘କଥା’ ପତ୍ରିକାରେ ‘ମେଘନା’ ପ୍ରକାଶିତ ହେଉଥିଲା। ଏହାର ୪୬ଟି ଅଧ୍ୟାୟ‌ରେ ଥିଲା ଜଣେ ମହିଳାଙ୍କ ଜୀବନ ଓ ଭ୍ରମଣର ଚିତ୍ର। ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ୪୦୦ ପୃଷ୍ଠା ଥିବା ଏ ବହିର ମୂଲ୍ୟ ଅଛି ୩୯୦ ଟଙ୍କା।