ନୂଆଗାଁ-କାଟେଣି ରାସ୍ତା ଚାରିଥାକିଆ ହେବ, ଏବେ ଜମି ଅଧିଗ୍ରହଣ ବାଧକ ସାଜିଛି

ଭୁବ‌େନଶ୍ବର: ଆଇଆଇଆଇଟି ଭୁବନେଶ୍ବରକୁ ରାଜ୍ୟ ସରକାର ସେଣ୍ଟର ଅଫ୍ ଏକ୍ସଲେନ୍ସରେ ପରିଣତ କରିବେ। ରାଜ୍ୟରେ ଇଣ୍ଟରନେଟ୍ ଭିତ୍ତିଭୂମି ସୁଦୃଢ଼ କରିବାକୁ ଏସ୍‌ଟିପିଆଇରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ହେବ। ତେଣୁ ଆଇଆଇଆଇଟି ଓ ଏସ୍‌ଟିପିଆଇକୁ ସଂଯୋଗ କରୁଥିବା ରାସ୍ତାକୁ ଚାରିଥାକିଆ କରାଯିବ। ଏନେଇ ୨୦୧୯-୨୦ ମସିହାରୁ ଯୋଜନା ହୋଇଥିଲେ ହେଁ ଜମି ଅଧିଗ୍ରହଣ ହୋଇପାରୁ ନଥିବାରୁ ଏହି ପ୍ରକଳ୍ପ ହୋଇପାରୁନି। ଏନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପୂର୍ତ୍ତ ସଚିବଙ୍କୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ କୁହାଯାଇଛି।

ପୂର୍ତ୍ତ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ନାକାଗେଟ୍‌ରୁ କାଟେଣି ପର୍ଯ୍ୟନ୍ତ ରାସ୍ତାକୁ ଚାରିଥାକିଆ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିରେ ନାକାଗେଟ୍‌ରୁ ନୂଆଗାଁ ପର୍ଯ୍ୟନ୍ତ ରାସ୍ତା ଚାରିଥାକିଆ ହୋଇଯାଇଛି। ତେଣୁ ଏବେ ନୂଆଗାଁରୁ କାଟେଣି ଛକ ପର୍ଯ୍ୟନ୍ତ ରାସ୍ତାକୁ ଓସାରିଆ କରାଯିବ। ଏହା ଏବେ ସିଙ୍ଗିଲ୍‌ ଲେନ୍ ଥିବା ବେଳେ ଏହାକୁ ସମ୍ପ୍ରସାରଣ କରିବା ପାଇଁ ୪ଟି ମୌଜାରୁ ଜମି ଅଧିଗ୍ରହଣ କରିବାକୁ ହେବ। ଶ୍ୟାମପୁର, ମଳିପଡ଼ା, ଗୋଠପାଟଣା ଓ ଘଙ୍ଗାପାଟଣା ମୌଜାରୁ ଜମି ଅଧିଗ୍ରହଣ କରିବାକୁ ହେବ। ବହୁତ ଘରୋଇ ଜମି ଥିବାରୁ ଅଧିଗ୍ରହଣ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ହେଲେ ଜିଲ୍ଲା ପ୍ରଶାସନ ଜମି ଅଧିଗ୍ରହଣ କରିବାରେ ବିଳମ୍ବ କରୁଥିବାରୁ କାମ ଆଗଉନି। ନୂଆଗାଁରୁ କାଟେଣି ପର୍ଯ୍ୟନ୍ତ ୫.୬୪ କିମି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପୂର୍ବରୁ ଥିଲା। ଏହି ରାସ୍ତା ସମ୍ପ୍ରସାରଣ ପାଇଁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ହେଲେ ଜମି ମିଳୁ ନଥିବାରୁ କାମ ଆଗେଇ ପାରୁନି। ଜମି ଅଧିଗ୍ରହଣ ସରିଲେ ଟେଣ୍ଡର୍‌ ପ୍ରକ୍ରିୟା ଆରମ୍ଭ ହେବ। ଟେଣ୍ଡର୍‌ ସରିଲେ ବର୍ଷକ ମଧ୍ୟରେ ଏହି ରାସ୍ତା ନିର୍ମାଣ ହେବ ବୋଲି ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅପରପକ୍ଷେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ସମ୍ବନ୍ଧୀୟ ଷ୍ଟାଣ୍ଡିଂ କମିଟି-୪ ଏହି ରାସ୍ତା ଚାରିଥାକିଆ କରିବାକୁ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର