ଭୁବନେଶ୍ବର, (ସସ୍ମିତା ସାହୁ): ରାଜଧାନୀରେ ଚାରିଆଡ଼େ ଚିକ୍ଚିକ୍ କରୁଛି କାଚ କବାଟ, ଝରକା ଓ କୋଠା। ସବୁଠି କଂକ୍ରିଟ ଜଙ୍ଗଲ ଆଉ ଅତ୍ୟାଧୁନିକ ଟେକ୍ନୋଲୋଜିର ୫-ଜି ନେଟ୍ୱର୍କ। ମଣିଷ ଅତ୍ୟାଧୁନିକ ହେଉଛି ଓ ନିଜ ସୁବିଧାସୁଯୋଗ ପାଇଁ ସହରର ନକ୍ସା ବଦଳାଇ ଚାଲିଛି। ଏ ଭିତରେ ବଳି ପଡ଼ିଯାଇଛନ୍ତି କାଉ, କୋଇଲି, ଶୁଆ, ଘରଚଟିଆ ଓ କାଠହଣା ଭଳି ପକ୍ଷୀ। ସହରରୁ ସବୁଜିମା ହଜିଯାଉଛି। ଗଛର ଅଭାବ ସାଙ୍ଗକୁ ଖୋଲା ସ୍ଥାନ ବି ରହୁନାହିଁ। ଫଳରେ ପକ୍ଷୀମାନେ ସହର ବାହାରକୁ ଉଡ଼ି ଯାଉଛନ୍ତି। ସହରରେ ପକ୍ଷୀ ସଂଖ୍ୟା କମିବାରେ ଲାଗିଛି। ଆମେରିକାର ମତ୍ସ୍ୟ ଓ ବନ୍ୟପ୍ରାଣୀ ସେବା କେନ୍ଦ୍ରର ସର୍ବେକ୍ଷଣ କହୁଛି, କେବଳ ଆମେରିକାରେ ବର୍ଷକୁ ପ୍ରାୟ ୧୦କୋଟି ପକ୍ଷୀ ଏହି କାଚ ବିଲ୍ଡିଂରେ ହିଁ ବାଡ଼େଇ ହୋଇ ପ୍ରାଣ ହରାଇଥାନ୍ତି। କାଚ କବାଟ, ଝରକା ବା କୋଠାରେ ମେଘ ଖଣ୍ଡ, ଗଛଲତା ଓ ଆକାଶର ପ୍ରତିବିମ୍ବ ପଡ଼ିବା ଫଳରେ ପକ୍ଷୀମାନେ ଦ୍ବନ୍ଦ୍ବରେ ପଡ଼ନ୍ତି। ଆଉ ସେଠାରେ କାଚର ବାଧକ ଥିବା ଜାଣି ନପାରି, ବାଡ଼େଇ ହୋଇ ମରିଯାଆନ୍ତି। ଭୁବନେଶ୍ବରରେ ଏବେ ଧୀରେଧୀରେ ଏହି ସମସ୍ୟା ଘନେଇବାରେ ଲାଗିଥିବାରୁ ପକ୍ଷୀପ୍ରେମୀ ଓ ବନ୍ୟଜନ୍ତୁ ଗବେଷକମାନେ ଚିନ୍ତା ପ୍ରକଟ କରିଛନ୍ତି।
ଅତ୍ୟାଧୁନିକ କୋଠା ଓ କଂକ୍ରିଟ୍ ଜଙ୍ଗଲ ପକ୍ଷୀକୁଳକୁ କାଳ
ଗବେଷଣା ଓ ତଥ୍ୟର ଅଭାବ ସଙ୍କଟକୁ ଆହୁରି ବଢ଼ାଉଛି

କେବଳ କାଚ ବିଲ୍ଡିଂ ନୁହେଁ, ବିଲ୍ଡିଂରେ ଲାଗୁଥିବା ଅତ୍ୟାଧୁନିକ ଲାଇଟ୍ ପକ୍ଷୀମାନଙ୍କ ପାଇଁ କାଳ ହୋଇଛି। ବିଶେଷକରି ଶୀତ ଋତୁରେ ଯେତେବେଳେ ପ୍ରବାସୀ ପକ୍ଷୀ ବାହାରୁ ଉଡ଼ି ଆସୁଛନ୍ତି, ଅଜ୍ଞତା ଓ ଲାଇଟ୍ର ପ୍ରତିବିମ୍ବ ଯୋଗୁଁ ଦ୍ବନ୍ଦ୍ବରେ ପଡ଼ି ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେବେ ଆମ ପାଖରେ ଏ ନେଇ ଗବେଷଣା ଓ ତଥ୍ୟର ଅଭାବ, ଏହି ସଂକଟକୁ ଅଧିକରୁ ଅଧିକ ବଢ଼ାଇବାରେ ଲାଗିଛି। ଅନ୍ୟପଟେ ସହରରେ ନୂଆ ନୂଆ ୫-ଜି ନେଟୱର୍କ ବସୁଥିବା ବେଳେ ଏହା ପକ୍ଷୀମାନଙ୍କ ପାଇଁ କେତେ ହାନିକାରକ ବା ନୁହେଁ, ତାହା ଏକ ଗବେଷଣାର ବିଷୟ ପାଲଟିଛି।
ଏବେ ଘର ତିଆରି ଶୈଳୀ ମଧ୍ୟ ପରିବର୍ତ୍ତନ ହୋଇଛି। ଆଗରୁ ଚାଳ, ଝିକର ଘରେ ଘରଚଟିଆ ବାସ କରୁଥିଲେ, ଚାଳରୁ କୁଟା ସଂଗ୍ରହ କରି ଗଛ, ବିଦ୍ୟୁତ୍ ଖୁଣ୍ଟରେ କାଉ, ବଣି, ରଣୀ ଘର କରୁଥିଲେ। ବର୍ତ୍ତମାନ କଂକ୍ରିଟ ଘରେ ଏମାନଙ୍କ ପାଇଁ ସ୍ଥାନ ନାହିଁ l କଂକ୍ରିଟ ରାସ୍ତା ଯୋଗୁଁ ମାଟି ଦେଖିବା ସ୍ବପ୍ନ ହୋଇଯାଇଛି, କଂକ୍ରିଟ ଉତ୍ତାପ ମନୁଷ୍ୟର ସହନ ହେଉନଥିବା ବେଳେ ପକ୍ଷୀମାନେ ଏହାକୁ କିଭଳି ସହିବେ ବୋଲି ପରିବେଶବିତ୍ମାନେ ପ୍ରଶ୍ନ କରିଛନ୍ତି। ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପେଭର୍ ବ୍ଲକର ବହୁଳ ବ୍ୟବହାର ମଧ୍ୟ ପକ୍ଷୀ ଜଗତ ଦୂରେଇବାର ଆଉ ଏକ ପ୍ରମୁଖ କାରଣ। ଏହାର ଉତ୍ତାପ ବିକିରଣ କଂକ୍ରିଟ ରାସ୍ତାଠାରୁ ମଧ୍ୟ ଅଧିକ। ବଗ, ପାଣିକୁଆ ଭଳି ପୋଖରୀ, ଜଳାଶୟ ଉପରେ ନିର୍ଭର କରୁଥିବା ପକ୍ଷୀ ଏବେ ଲୁପ୍ତପ୍ରାୟ। ମୋବାଇଲ ଟାୱାରର ଚୁମ୍ବକୀୟ ବିକିରଣ ପ୍ରଭାବରେ ପକ୍ଷୀମାନେ ଦିଶାହୀନ ହେବା ସହ ପ୍ରଜନନ କ୍ଷମତା ମଧ୍ୟ କମିଯାଇଛି ବୋଲି ଆଶଙ୍କା କରାଯାଉଛି।

ଘର ଉପରେ ମାଟି ପାତ୍ରରେ ପାଣି ରଖିବା, ଘରର ଛାତ ଖାଲି ନ ରଖି ବିଭିନ୍ନ ପ୍ରକାର ଗଛ ଲଗାଇ ସେମାନଙ୍କୁ ଶୀତଳତା ପ୍ରଦାନ କରିବା ତଥା ବିଭିନ୍ନ କୋଠାବାଡ଼ି ତିଆରି ସମୟରେ ସେମାନଙ୍କ ରହିବା ପାଇଁ ଛୋଟ ସ୍ଥାନଟିଏ ତିଆରି କରିବା, ସହରର ଭିନ୍ନ ଭିନ୍ନ ସ୍ଥାନରେ ପକ୍ଷୀମାନଙ୍କ ପାଇଁ ୱାଟର୍ ବଥ୍ ତିଆରି କରିପାରିଲେ ରାଜଧାନୀ ବି ଏକ ପକ୍ଷୀ ଉପଯୋଗୀ ସହର ହୋଇପାରିବ ବୋଲି ସଚେତନ ନାଗରିକମାନେ ଆଶାପ୍ରକଟ କରିଛନ୍ତି।
ଆର୍ଦ୍ରଭୂମି ଓ ଜଳାଶୟ ଦେଖାଯାଉନାହିଁ
ସହର ସାରା କାଚ ଘର ଓ କବାଟ, ଝରକା ଯୋଗୁଁ ପକ୍ଷୀମାନେ ନିଜ ପ୍ରତିବିମ୍ବକୁ ଅନ୍ୟ ଏକ ପକ୍ଷୀ ଭାବି କାଚ କବାଟକୁ ଠୁକ୍ ଠୁକ୍ କରି ଖୁମ୍ପିବା ଆରମ୍ଭ କରନ୍ତି। ଫଳରେ ତାଙ୍କ ଥଣ୍ଟ ଓ ଏହା ଚାରିପାଖ ଆଘାତ ପାଇ ଦୁର୍ବଳ ହୋଇଯାଏ। ଏଥିସହ କାଚରେ ପଡ଼ୁଥିବା ଆକାଶ ଓ ଗଛର ପ୍ରତିବିମ୍ବ ଜାଣି ନ ପାରି ସେମାନେ କାଚରେ ବାଡ଼େଇ ହୋଇଯାଆନ୍ତି। ବଣି, କାଉ ଭଳି ଛୋଟ ଛୋଟ ପକ୍ଷୀ ମାଟିରେ ଥିବା ପାଣି ଅଳ୍ପ ଅଳ୍ପ ଖୁଣ୍ଟି ପିଉଥିବା ବେଳେ ସହରରେ ସେହି ସୁବିଧା ମିଳୁନି। ଏଣୁ ଧୀରେଧୀରେ ପକ୍ଷୀମାନେ ସହରରୁ ଦୂରେଇ ଗଲେଣି। ପକ୍ଷୀଙ୍କ ଗାଧୋଇବା ଓ ପିଇବା ପାଇଁ ସହରରେ ଆର୍ଦ୍ରଭୂମି ଓ ଜଳାଶୟ ଦେଖାଯାଉନାହିଁ ବୋଲି ସେ କହିଛନ୍ତି।
ଗହର ଆଭେଦିନ, ପରିବେଶବିତ୍ପକ୍ଷୀଙ୍କ ପାଇଁ ପ୍ରାକୃତିକ ଖାଦ୍ୟର ଘୋର ଅଭାବ
ପୂର୍ବରୁ ଗାଁ ହେଉ ବା ସହର; ଘର ଚାରିପଟେ ଆମେ ଗଛ ଲଗାଉଥିଲେ। ପକ୍ଷୀମାନଙ୍କର ଏହା ଉତ୍ତମ ବାସସ୍ଥାନ ପାଲଟୁଥିଲା। ଏଥିସହ ଆମେ ଘର ତିଆରି ସମୟରେ ସ୍କାଏ ଲାଇଟ୍ ଓ ଛୋଟ ଛୋଟ ଖୋପ କରି ପକ୍ଷୀମାନେ ରହିବା ପାଇଁ ଜାଗା ତିଆରି କରୁଥିଲେ। କିନ୍ତୁ ଏବେ ସହରରେ ସବୁ ନିବୁଜ ଓ କାଚ, ଟାଇଲ୍ ତିଆରି ଘର। ଏଥିରେ ଜୀବଜନ୍ତୁଙ୍କ ପାଇଁ ସ୍ଥାନ ନଥାଏ। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରୁ ଧୀରେଧୀରେ ସବୁଜିମା ହଜିଗଲାଣି। ସହର ମଝିରେ ଜଳାଶୟ ବା ଆର୍ଦ୍ରଭୂମି ନାହିଁ। ମାଟି ଟିକେ ବି ନାହିଁ। ଫଳରେ ପକ୍ଷୀମାନେ ଖରା ଦିନେ ପାଣି ନ ପାଇ ପ୍ରାଣ ହରାଉଛନ୍ତି। ସହରରେ ପକ୍ଷୀମାନଙ୍କ ପାଇଁ ପ୍ରାକୃତିକ ଖାଦ୍ୟର ଘୋର୍ ଅଭାବ ଦେଖାଯାଇଛି। ଏଣୁ ଖାଦ୍ୟ ଅନ୍ବେଷଣ ଓ ସବୁଜିମା ଲୋଭରେ ସେ ସହର ବାହାରେ ଥିବା ସବୁଜିମା ସ୍ଥାନକୁ ଉଡ଼ିଯାଉଛନ୍ତି। ରାଜଧାନୀରୁ ଏବେ ଶୁଆ, କାଠହଣା ଭଳି ବିଭିନ୍ନ ପକ୍ଷୀ ପ୍ରାୟ ଦେଖାଯାଉନାହାନ୍ତି ବୋଲି ସେ କହିଛନ୍ତି।
ଶ୍ବେତାଶ୍ରୀ ପୁରୋହିତ, ବନ୍ୟପ୍ରାଣୀ ଗବେଷିକାପକ୍ଷୀମାନେ ଖାଦ୍ୟ, ବାସ ପାଇପାରୁନାହାନ୍ତି
ବର୍ତ୍ତମାନ ସହରାଞ୍ଚଳରେ ପକ୍ଷୀ ସଂଖ୍ୟା କମିବାର ମୁଖ୍ୟ କାରଣ ମାତ୍ରାଧିକ କଂକ୍ରିଟକରଣ, ଜୀବନଶୈଳୀ ପରିବର୍ତ୍ତନ ଓ ପ୍ରଦୂଷିତ ପରିବେଶ। ଆଗରୁ ଚାଳ ଛପର ଘର, ମାଟି ରାସ୍ତା, ଦାଣ୍ଡଦୁଆରେ ଥିବା ଫୁଲଫଳ ଗଛ ଲୋପ ହୋଇଯାଇଛି, ଯାହାର ପ୍ରତ୍ୟକ୍ଷ ପ୍ରଭାବ ପକ୍ଷୀଜଗତ ଉପରେ ପଡ଼ିଛି। ସେମାନେ ଖାଇବା ପାଇଁ ଖାଦ୍ୟ, ବଂଶବିସ୍ତାର ପାଇଁ ବାସ ପାଇ ପାରୁନାହାନ୍ତି। ଛୋଟବେଳୁ ଆମ ଚତୁଃପାର୍ଶ୍ବ ଦେଖୁଥିବା ପକ୍ଷୀ ଭାବେ ଘରଚଟିଆ, କାଉ, ପାରା, ବଣି, ରଣୀ, ବଗ ଆଦି ଦେଖୁଥିଲେ। ସାଧାରଣତଃ ପାରା ଯେକୌଣସି ସ୍ଥାନରେ ତା’ର ବଂଶ ବିସ୍ତାର କରିପାରେ ମନୁଷ୍ୟ ସହ ପ୍ରତିକୂଳ ପରିବେଶରେ ରହିପାରେ କିନ୍ତୁ ଅନ୍ୟ ପକ୍ଷୀଙ୍କ କ୍ଷେତ୍ରରେ ଏହା ସମ୍ଭବ ନୁହଁ।
ସାଗର କୁମାର ପାତ୍ର, ପରିବେଶବିତ୍