ଓଡ଼ିଶାରେ ମହିଳା ତମାଖୁ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି

ତମାଖୁ ବର୍ଜନ ପାଇଁ ସାମୂହିକ ଜନସଚେତନତା ଆବଶ୍ୟକ

ଭୁବନେଶ୍ୱର: ଓଡ଼ିଶାରେ ମହିଳା ତମାଖୁ ବ୍ୟବହାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ, ପ୍ରତିବର୍ଷ ତମାଖୁ ସେବନ ଦ୍ୱାରା ଦେଶ ତଥା ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ସରକାର ଏ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କଲେ ସୁଦ୍ଧା ଏଥିରୁ ରକ୍ଷା ପାଇବା ପାଇଁ ସାମୂହିକ ଜନସଚେତନତା ଆବଶ୍ୟକ ବୋଲି ଜୟଦେବ ଭବନରେ ଆୟୋଜିତ ବିଶ୍ବ ତମାଖୁ ବର୍ଜନ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକିଶୋର ଶର୍ମା କହିଛନ୍ତି।

ବିଶ୍ୱ ତମାଖୁ ବର୍ଜନ ଦିବସ

କାର୍ଯ୍ୟକ୍ରମରେ ସମ୍ମାନିତ ଭାବେ ଯୋଗଦେଇ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ କହିଥିଲେ, ଜିଲ୍ଲାସ୍ତରରେ ପୁଲିସ ବିଭାଗ ଏବଂ ଅବକାରୀ ବିଭାଗ ଦ୍ୱାରା ମିଳିତ ଭାବରେ ଚଢ଼ଉକୁ ସବୁସ୍ତରରେ ସହଯୋଗ କରାଯାଉଛି। ତମାଖୁ ବ୍ୟବହାର ବିରୁଦ୍ଧରେ ସମ୍ମୁଖ (ଫ୍ରଣ୍ଟଲାଇନ୍‌) କର୍ମଚାରୀ ଯଥା ଆଶା, ଏଏନ୍‌ଏମ୍‌ ପ୍ରଭୃତିଙ୍କ ମାଧ୍ୟମରେ ଜନସଚେତନତା କରାଯାଉଛି। ସମ୍ମାନିତ ଅତିଥି ଭାବେ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡ଼ିଙ୍ଗୀ ଯୋଗଦଇ କହିଥିଲେ, ସାମ୍ପ୍ରତିକ ଅନୁସନ୍ଧାନ ଏବଂ ସର୍ବେକ୍ଷଣରେ ପ୍ରାୟ ଶତକଡ଼ା ୪୨ ଭାଗ ବୟସ୍କ ବ୍ୟକ୍ତି ଯେକୌଣସି ତମାଖୁ ବ୍ୟବହାର କରୁଥିବା ଦର୍ଶାଯାଇଛି। ଶତକଡ଼ା ୪୦ ଭାଗ ବ୍ୟକ୍ତି ଓଡ଼ିଶାରେ ଧୂମହୀନ ତମାଖୁ ବ୍ୟବହାର କରନ୍ତି। ଏପରିକି ମହିଳା ତମାଖୁ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଧୀରେଧୀରେ ବୃଦ୍ଧି ପାଉଛି। ସ୍ୱଳ୍ପ ବୟସରୁ ତମାଖୁ ବ୍ୟବହାର ରୋକିବାକୁ ସ୍କୁଲ ପିଲାମାନଙ୍କ ଉପରେ ଧ୍ୟାନ ରଖିବା ଜରୁରୀ।

କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଡା. ଅଜିତ କୁମାର ମହାନ୍ତି, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ଅମରେନ୍ଦ୍ର ନାଥ ମହାନ୍ତି ପ୍ରମୁଖ ଯୋଗଦେଇ ତମାଖୁ ସେବନର ଭୟାବହତା ଓ ଏହାର ପ୍ରତିକାର ସଂପର୍କରେ ଆଲୋଚନା କରିଥିଲେ।
ପ୍ରାରମ୍ଭରେ ମୁଖ୍ୟଅତିଥି ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଆୟୋଜିତ ଏକ ଚିତ୍ରକଳା ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ବାର୍ଷିକ ରିପୋର୍ଟ, ଏନ୍‌ଟିପିସି ବାର୍ଷିକ ରିପୋର୍ଟ, ଶିକ୍ଷାନୁଷ୍ଠାନରେ ତମାଖୁ ମୁକ୍ତ ମାର୍ଗଦର୍ଶିକା, ତମାଖୁ ନିୟନ୍ତ୍ରଣ ସଂପର୍କିତ ଏକ ଭିଡିଓକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମ ସହିତ ସଂଶ୍ଳିଷ୍ଟ ଅଂଶଗ୍ରହଣକାରୀ ଓ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସ୍ୱାସ୍ଥ୍ୟସେବା ଅତିରିକ୍ତ ନିର୍ଦ୍ଦେଶକ (ଏନ୍‌ସିଡି) ଡା. ସୁଶାନ୍ତ ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର