ରାଜଧାନୀରେ ସୁସ୍ଥ ସଂଖ୍ୟା ୨୦ ହଜାର ଟପିଲା, ଦିନକରେ ୩୬୫ ପଜିଟିଭ୍, ଜଣେ ମୃତ
ଭୁବନେଶ୍ବର: ରାଜଧାନୀରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୦ହଜାର ଟପିଛି। ଗତ ୨୪ଘଣ୍ଟାରେ ୩୨୯ ରୋଗୀ ସୁସ୍ଥ ହେବା ପରେ ଏହି ସଂଖ୍ୟା ୨୦,୨୧୭ରେ ପହଞ୍ଚିଛି। ସୁସ୍ଥ ହାର ୮୪ପ୍ରତିଶତ ରହିଛି। ତେବେ ଖୋର୍ଧା ଜିଲ୍ଲା ତୁଳନାରେ ରାଜଧାନୀରେ ସୁସ୍ଥ ହାର କମ୍। ସେହିପରି ରାଜଧାନୀରେ ଦିନକୁ ୩ଶହ ସଂକ୍ରମଣ ଧାରା ଜାରି ରହିଛି। ଗତ ୨୪ ଘଣ୍ଟାରେ ୩୬୫ ରୋଗୀ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୩,୯୧୪ରେ ପହଞ୍ଚିଛି। ଖୋର୍ଧା ଜିଲ୍ଲାର ୫୮ ପ୍ରତିଶତ ରୋଗୀ କେବଳ ଭୁବନେଶ୍ବରୁ ହିଁ ଚିହ୍ନଟ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଚିହ୍ନଟ ୩୬୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୬ଜଣ ସଙ୍ଗରୋଧରୁ ଓ ୨୪୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ପଟିଆରୁ ସର୍ବାଧିକ ୨୧ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ନୂଆପଲ୍ଲୀରୁ ୧୯, ଲକ୍ଷ୍ମୀସାଗରରୁ ୯, ୟୁନିଟ୍-୮ ଓ ୩ରୁ ୭ଜଣ ଲେଖାଏଁ, ବରମୁଣ୍ଡା, ଝାରପଡ଼ା, ଆଇଆରସି ଭିଲେଜ, ବମିଖାଲ, ଭରତପୁର, ବଡ଼ଗଡ଼, ଗ୍ୟାରେଜ୍ ଛକ, ପାଣ୍ଡବ ନଗର, ରଙ୍ଗମାଟିଆ, କଳିଙ୍ଗ ନଗର, ସାମନ୍ତରାପୁର, ଡୁମୁଡୁମା, ରସୁଲଗଡ଼, ମହାବୀର ନଗର, ମଞ୍ଚେଶ୍ବର ଓ ଅନ୍ୟ ଅଞ୍ଚଳରୁ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସଙ୍ଗରୋଧରୁ ନୂଆପଲ୍ଲୀରୁ ସର୍ବାଧିକ ୧୨ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଶୈଳଶ୍ରୀବିହାର ଓ ସହିଦନଗରରୁ ୭ଜଣ ଲେଖାଏଁ, ଟଙ୍କପାଣି ରୋଡ୍, ସାମନ୍ତରାପୁର, ମଞ୍ଚେଶ୍ବର, ୟୁନିଟ୍-୯, ସତ୍ୟନଗର, ସତ୍ୟ ବିହାର, ସୁନ୍ଦରପଦା, ପଟିଆ, ୟୁନିଟ୍-୬, ନନ୍ଦିଘୋଷ ଏନକ୍ଲେଭ୍, ଖଣ୍ଡଗିରି, ଜଗମୋହନ ନଗର, ଆଇଆରସି ଭିଲେଜ, ଅଶୋକ ନଗର ଓ ଅନ୍ୟ ଅଞ୍ଚଳରୁ ରୋଗୀ ବାହାରିଛନ୍ତି। ରାଜଧାନୀରେ ଆଜି ଜଣେ ରୋଗୀ କରୋନାରେ ପ୍ରାଣ ହରାଇଛନ୍ତି। ମୃତକ ଜଣକ ୮୧ବର୍ଷର ବୃଦ୍ଧ। ସମୁଦାୟ ଭାବେ ରାଜଧାନୀରେ କରୋନା ମୃତ୍ୟୁ ସଂଖ୍ୟା ୧୦୫ରେ ପହଞ୍ଚିଛି। ଏବେ ୩୫୭୧ ଚିକିତ୍ସାଧୀନ ରୋଗୀ ରହିଛନ୍ତି।