ଦେବଦଳନ ରଥ
ଭୁବନେଶ୍ବର: ଯୁଗ ସହ ପୁରୁଣା, ମଫସଲୀ ଓ ଗାଉଁଲୀ ଲାଗୁଥିବା କଥା ସବୁ ନୂଆ ଲାଗେ। ହଠାତ୍ତାହା ପ୍ରାସଙ୍ଗିକ ହୋଇଉଠେ। ଏଇ ଯେମିତି ପୁରୁଣା ଫ୍ୟାସନ ହେଉ ବା ଖାଦ୍ୟାଭାସ; ଏଥିରେ ଏବେ ଯୋଡ଼ି ହୋଇଛି ପ୍ରାଚୀନ ଚେରମୂଳି ଚିକିତ୍ସା ‘ଆୟୁର୍ବେଦ’। ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ ଯୁଗରେ ଏବଂ ରୋବୋଟିକ୍ସର୍ଜରିର ଲୋକପ୍ରିୟତା ସମୟରେ ପୁଣି ଲୋକଙ୍କ ଭରସା ଜିତିଛି ଆୟୁର୍ବେଦ ଚିକିତ୍ସା। ଏଲୋପାଥି ଚିକିତ୍ସା ଅପେକ୍ଷା କମ୍ଖର୍ଚ୍ଚ ତଥା ପାର୍ଶ୍ବ ପ୍ରତିକ୍ରିୟା ନଥିବାରୁ ଆୟୁର୍ବେଦୀୟ ଚିକିତ୍ସାର ଚାହିଦା ବଢ଼ିବାରେ ଲାଗିଛି। କଳିଙ୍ଗ ଷ୍ଟୁଡିଓ ଛକସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ସଂସ୍ଥାନ(ସିଏଆର୍ଇ)ରେ ଦୈନିକ ରୋଗୀ ଉପସ୍ଥାନ ଏହାକୁ ପ୍ରମାଣ କରୁଛି। କାରଣ ଏଠାକୁ ବର୍ଷେ ତଳେ ଯେତିକି ପରିମାଣରେ ରୋଗୀ ଆସୁଥିଲେ, ବର୍ତ୍ତମାନ ତାହା ଦ୍ବିଗୁଣିତ ହୋଇଛି। ଏଠାକୁ ବହୁ ସଂଖ୍ୟାରେ ରାଜ୍ୟ ବାହାରୁ ରୋଗୀ ମଧ୍ୟ ଆସୁଛନ୍ତି।
କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ସଂସ୍ଥାନରେ ବଢ଼ୁଛି ରୋଗୀଙ୍କ ଭିଡ଼
ପ୍ରତିଦିନ ଆସୁଛନ୍ତି ୩୦୦ରୁ ଅଧିକ ରୋଗୀ
କରୋନା ପରେ ବଢ଼ିଛି ଆୟୁର୍ବେଦ ଚିକିତ୍ସା ଚାହିଦା
ଦୈନିକ ଏଠାକୁ ୩୦୦ରୁ ଅଧିକ ରୋଗୀ ଆସୁଥିବା ଜଣାପଡ଼ିଛି। ବିଶେଷ କରି ଯକୃତ ତଥା ପାଚନ, ମେଦବହୁଳତା, ମଧୁମେହ, ଅର୍ଶ, ମଳକଣ୍ଟକ, କର୍ଣ୍ଣ, ନାସା ଓ ଗଳାରୋଗ, ସ୍ତ୍ରୀରୋଗ, ପଞ୍ଚକର୍ମ, ଆଣ୍ଠୁଗଣ୍ଠିଜନିତ ରୋଗର ଉପଶମ ପାଇଁ ରୋଗୀ ଏଠାକୁ ଆସୁଛନ୍ତି। ଭୀମଟାଙ୍ଗୀରୁ ଆସିଥିବା ସୁଶ୍ରୀ ସଙ୍ଗୀତା ଦାଶ କୁହନ୍ତି, ବହୁଦିନ ଧରି ସେ ଗଳାରୋଗରେ ପୀଡ଼ିତ ଅଛନ୍ତି। ବିଭିନ୍ନ ଡାକ୍ତରଖାନାରେ ଦେଖାଇବା ସହିତ ବହୁ ଏଲୋପାଥିକ୍ ଔଷଧ ଖାଇବା ସତ୍ତ୍ବେ ରୋଗର ଉପଚାର ହୋଇପାରିନାହିଁ। ଶେଷରେ ବାଧ୍ୟ ହୋଇ ଆୟୁର୍ବେଦ ଚିକିତ୍ସା ପାଇଁ ଆସିଥିଲି, ଯାହାକି ଭଲ କାମ ଦେଇଛି। ଭରତପୁର ଅଞ୍ଚଳର ୮୦ ବର୍ଷୀୟ ଗୋଦାବରୀ ଜେନା କହିଛନ୍ତି, ସେ ୨୦ ବର୍ଷରୁ ଅଧିକ ସମୟ ଧରି ଆଣ୍ଠୁଗଣ୍ଠିଜନିତ ରୋଗରେ ପୀଡ଼ିତ। ଏଲୋପାଥିକ୍ ଓ ହୋମିଓପାଥିକ୍ ଔଷଧ ଖାଇବା ପରେ ବି ସେ ସମ୍ପୂର୍ଣ୍ଣ ନିରୋଗ ହୋଇନାହାନ୍ତି। ଚାଲିବା ପାଇଁ ବାଡ଼ିର ସାହାରା ନେବାକୁ ପଡ଼ୁଛି। ଗତ ୨ବର୍ଷ ହେବ ସେ ଆୟୁର୍ବେଦର ବ୍ୟବହାର କରୁଛନ୍ତି। ଶରୀର ଉପରେ ବିଳମ୍ବରେ ପ୍ରଭାବ ପଡ଼ୁଥିଲେ ମଧ୍ୟ, ସ୍ବାସ୍ଥ୍ୟାବସ୍ଥାରେ ପୂର୍ବାପେକ୍ଷା ଉନ୍ନତି ଅନୁଭୂତ ହେଉଛି।
ଏଠାରେ ଜରା ରସାୟନ, କାୟା ଚିକିତ୍ସା, ପଞ୍ଚକର୍ମ, ମୂତ୍ରବହ ସ୍ରୋତ ବିକାର(ୟୁରୋଲୋଜି) ଆଦି ରୋଗର ଚିକିତ୍ସା କରାଯାଉଛି। ଅପପୁଷ୍ଟି, ଟିବି, ଆନେମିଆ, ମଧୁମେହ ଓ ସିକିଲ୍ସେଲ୍ ଭଳି ରୋଗ ଉପରେ ଅଧିକ ଗବେଷଣା ଜାରି ରହିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି। ସଂସ୍ଥାନର ସହନିର୍ଦ୍ଦେଶକ ଡା. ସାରଦା ଓତା କୁହନ୍ତି, ‘ସମସ୍ତ ରୋଗକୁ ଭଲ କରିପାରିବୁ ବୋଲି ଆମେ ଦାବି କରୁନାହୁଁ, ମାତ୍ର ଆୟୁର୍ବେଦ ଦ୍ବାରା ରୋଗୀ ନିଶ୍ଚିତ ରୂପେ ଅନ୍ୟ ପଦ୍ଧତି ତୁଳନାରେ ଅଧିକ ଉପକୃତ ହେବେ। ବିଶେଷ ଭାବେ ଇନ୍ସୁଲିନ୍ ନେଉଥିବା ରୋଗୀଙ୍କର ମଧୁମେହର ମାତ୍ରାକୁ ନିୟନ୍ତ୍ରଣ କରିପାରିଛୁ। ସେହିଭଳି ଲିଚ୍ ଥେରାପି(ଜୋକ ବ୍ୟବହାର) ଦ୍ବାରା ଗୁରୁତର ଆଘାତ ବା ପଚିଯାଉଥିବା କ୍ଷତ ଓ ଫାଇଲେରିଆ ଆଦି ରୋଗର ଉପସମ ସମ୍ଭବ ହେଉଛି। ଏଲୋପାଥିକ୍ ବଦଳରେ ଲୋକମାନେ ଆୟୁର୍ବେଦ ଔଷଧକୁ ଗୁରୁତ୍ବ ଦେଉଛନ୍ତି। ଅନୁରୂପ ଭାବେ ଜଟିଳ ଆଣ୍ଠୁଗଣ୍ଠି ବାତ ରୋଗୀ ଅସ୍ତ୍ରୋପଚାର ବଦଳରେ ଆୟୁର୍ବେଦ ପ୍ରୟୋଗ କରି ସୁସ୍ଥ ହେଉଛନ୍ତି।’ ଡା. ଓତା ଆହୁରି କହିଛନ୍ତି, ଏମ୍ବିବିଏସ୍ ଡାକ୍ତରମାନେ ମଧ୍ୟ ଏଠାକୁ ଚିକିତ୍ସିତ ହେବାକୁ ଆସୁଛନ୍ତି। ସିଏଆର୍ଇ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଅଧୀନରେ ଥିବା ସ୍ୱୟଂଶାସିତ ସଂସ୍ଥା କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଗବେଷଣା ପରିଷଦ (ସିସିଆର୍ଏସ୍) ଅଧୀନରେ ଏକ ୟୁନିଟ୍ ଭାବେ କାର୍ଯ୍ୟ କରୁଛି। ଏହି ଅନୁଷ୍ଠାନରେ ମୁଖ୍ୟତଃ ଯକୃତ ତଥା ପାଚନ ସମ୍ବନ୍ଧୀୟ ଗବେଷଣାକୁ ଗୁରୁତ୍ବ ଦିଆଯାଉଛି। ଏହା ବାଦ୍ ଚର୍ମରୋଗ, ପ୍ରସୂତି ଓ ସ୍ତ୍ରୀରୋଗ, କର୍କଟ ରୋଗୀଙ୍କ ଯନ୍ତ୍ରଣା ଉପଶମ ନିମନ୍ତେ ଅଧିକ ଗୁରୁତ୍ବ ଦିଆଯାଉଛି। ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରତିଷ୍ଠାନ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଛି।