ଭୁବନେଶ୍ବର: କୋଭିଡ୍ ପରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୨୨ ମସିହାରେ ଭୁବନେଶ୍ବର ଏମ୍ସରେ ୬୭୪ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିଲେ, ଯାହାକି ୨୦୨୧ର ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଚିହ୍ନଟ ହୋଇଥିବା ୫୨୧ ଜଣ ଯକ୍ଷ୍ମା ରୋଗୀଙ୍କ ତୁଳନାରେ ୧୫୩ ଅଧିକ। ଏମ୍ସରେ ମାସିକ ପ୍ରାୟ ୬୦ ନୂଆ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି। ବିଶ୍ବ ଯକ୍ଷ୍ମା ଦିବସ ଅବସରରେ ଏମ୍ସରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ବିଶେଷଜ୍ଞମାନେ ଏହି ମତ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ବାସ କହିଛନ୍ତି, ଠିକ ସମୟରେ ଚିହ୍ନଟ ହୋଇ ଉପଯୁକ୍ତ ଚିକିତ୍ସା ହୋଇ ପାରିଲେ ଯକ୍ଷ୍ମା ମାରାତ୍ମକ ହୋଇ ରହିବ ନାହିଁ। ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଯକ୍ଷ୍ମା ରୋଗୀମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି ନି-କ୍ଷୟ ପୋଷଣ ଯୋଜନାରେ ପ୍ରତି ଯକ୍ଷ୍ମା ରୋଗୀଙ୍କୁ ଚିକିତ୍ସା ଚାଲିଥିବା ପର୍ଯ୍ୟନ୍ତ ମାସିକ ୫ଶହ ଟଙ୍କା ପ୍ରଦାନ କରାଯାଉଛି। ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଗତବର୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ଦ୍ବାରା ପ୍ରକାଶିତ ରିପୋର୍ଟରେ ଯକ୍ଷ୍ମା ଏବଂ ଡ୍ରଗ୍ ପ୍ରତିରୋଧକ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ଦର୍ଶାଯାଇଛି। ଯାହାକି ଏକ ବଡ଼ ଆହ୍ବାନ। ପଲ୍ମ୍ୟୁନାରି ମେଡିସିନ୍ ବିଭାଗ ମୁଖ୍ୟ ତଥା ଡିନ୍ ଡା. ପି ଆର ମହାପାତ୍ର କହିଛନ୍ତି, ବିଶ୍ବରେ ଯକ୍ଷ୍ମା ସର୍ବୋଚ୍ଚ ସଂକ୍ରାମକ ରୋଗ ଭାବେ ଅପଖ୍ୟାତି ଅର୍ଜନ କରିଛି। ଏହି ରୋଗରେ ଗୋଟିଏ ବର୍ଷରେ ପ୍ରାୟ ୧.୬ ନିୟୁତ ଲୋକଙ୍କ ମୃତ୍ୟୁ ହୋଇଛି।
ଏମ୍ସରେ ମାସକୁ ୬୦ ନୂଆ ରୋଗୀ ଚିହ୍ନଟ
ଏଥିଯୋଗୁଁ ପରିବାର ଏବଂ ଗୋଷ୍ଠୀ ଉପରେ ଯେଉଁ ପ୍ରଭାବ ପଡ଼େ ତାହା ଅତି ଯନ୍ତ୍ରଣାଦାୟକ। ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡା. ବୈଜୟନ୍ତୀମାଳା ମିଶ୍ର ଏମ୍ସରେ ମାଗଣା ଯକ୍ଷ୍ମା ଚିହ୍ନଟ ପରୀକ୍ଷା ସମ୍ପର୍କରେ ସୂଚନା ଦେଇଥିଲେ। ଏମ୍ସ ଡଟ୍ସ କେନ୍ଦ୍ରର ମେଡିକାଲ୍ ଅଫିସର୍ ଡା. ସାରଦା ପ୍ରସନ୍ନ ମିଶ୍ର, ଅର୍ପଣ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଭୁବନେଶ୍ୱର ଏମ୍ସ କମ୍ୟୁନିଟି ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ଯକ୍ଷ୍ମା ଦୂରୀକରଣ ପାଇଁ ନୂଆପଲ୍ଲୀ ବେହେରା ବସ୍ତି (ୱାର୍ଡ ନଂ-୨୫) ରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଡା. ବିନୋଦ ବେହେରା ଏବଂ ଡା. ପ୍ରଜ୍ଞା ପାରମିତା ଗିରି କାର୍ଯ୍ୟକ୍ରମ ପରିଚାଳନା, ଯକ୍ଷ୍ମା ରୋଗର ଲକ୍ଷଣ, ଚିକିତ୍ସା ଏବଂ ନିରାକରଣ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ। ଏହି ଅବସରରେ କର୍ପୋରେଟର ମାନସୀରାଣୀ ସୁନ୍ଦରାୟ ଏବଂ ଆଶା କର୍ମୀ ରଶ୍ମିତା ପୃଷ୍ଟିଙ୍କୁ ସମ୍ମାନିତ କରାଯାଇଥିଲା। ମା’ ମଙ୍ଗଳା ଏବଂ ଓମ୍ ଶାନ୍ତି ମହିଳା ଆରୋଗ୍ୟ ସମିତିର ସଦସ୍ୟାଙ୍କ ସମେତ ସ୍ଥାନୀୟ ବାସିନ୍ଦା ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଯକ୍ଷ୍ମାକୁ ହରାଇଥିବା ପ୍ରମୋଦ ନାୟକ ନିଜର ଜୀବନ କାହାଣୀ ସମ୍ପର୍କରେ କହିଥିଲେ।