ଶିକ୍ଷା ମାଧ୍ୟମରେ ସ୍ୱର୍ଗକୁ ପୃଥିବୀ ପୃଷ୍ଠକୁ ଅଣାଯାଇ ପାରିବ: ରାଜ୍ୟପାଳ

ସ୍ୱର୍ଗତ ଡଃ ବିଜୟ କୁମାର ସାହୁଙ୍କ ପ୍ରଥମ ମେମୋରିଆଲ୍ ଲେକ୍‌ଚର ଆୟୋଜିତ

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ଆଖିରେ ଥିବା ଚମକ, କୌତୁହଳ ଓ ମନର ଆଶା କେବେ ମଉଳିବା ଉଚିତ୍ ନୁହେଁ । ଶିକ୍ଷା ମାଧ୍ୟମରେ ସ୍ୱର୍ଗକୁ ପୃଥିବୀ ପୃଷ୍ଠକୁ ଅଣାଯାଇପାରିବ ଏବଂ ଜୀବନରେ ସଫଳତାର ଶୀର୍ଷକୁ ଛୁଇଁହେବ। ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲରେ ବୁଧବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି। ସେ କହିଛନ୍ତି ଯେ,  ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ‘ବିଦ୍ୟା ଦଦାତି ବିନୟମ୍’ର ବ୍ୟାଖ୍ୟା କରିବା ସହ ସମସ୍ତଙ୍କୁ ଭଲପାଇବା ଏବଂ ଗୁରୁଜନଙ୍କ ପ୍ରତି ମନରେ ସମ୍ମାନ ରହିବା ଦରକାର। ପରିଶେଷରେ ଡଃ ସାହୁଙ୍କର ଶିକ୍ଷା କ୍ଷେତ୍ରର ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ଅମର ହୋଇରହିବେ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ ।

ଏହି ଅବସରରେ ଡ଼ଃ ମହାପାତ୍ର ଭବିଷ୍ୟତରେ କୃତ୍ରିମ ବୁଦ୍ଧି ଓ ମାନବ ବୁଦ୍ଧିର ମିଶ୍ରଣ ଉପରେ ଗୁରୁତ୍ୱାରୋପ କରିଥିଲେ । କୃତ୍ରିମ ବୁଦ୍ଧିମତାର ମୌଳିକତା ଉପରେ ଅଧିକ ଧ୍ୟାନ ଦେବା ଏବଂ ଏହା ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରୟୋଗଗୁଡ଼ିକରେ କମ୍ ଧ୍ୟାନ ଦେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ତ୍ରୁଟି ବୁଝିବା ସହ ଭଲ ଏବଂ ଖରାପ ମଧ୍ୟରେ ପାର୍ଥକ୍ୟ ଜାଣିବା ଅତ୍ୟନ୍ତ ପ୍ରାସଙ୍ଗିକ ଅଟେ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏକ ଅଭ୍ୟାସ ଯେଉଁଥିରେ ପୁରାତନ ପଦ୍ଧତିକୁ ପରିବର୍ତ୍ତନ କରିବାର କ୍ଷମତା ରହିଛି ।

ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ ଡ଼ଃ ଶିଳ୍ପୀ ସାହୁ କହିଥିଲେ ଯେ, ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଡଃ ବିଜୟ କୁମାର ସାହୁଙ୍କ ମଧୁର ସ୍ମୃତିରେ ପ୍ରତିବର୍ଷ ଏହିଭଳି ମେମୋରିଆଲ୍ ଲେକଚର୍ ଆୟୋଜନ କରାଯିବ । ଯାହା ଭବିଷ୍ୟତର ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେବା ସହ ନୂତନ ଓ ବିକଶିତ ଭାରତ ଗଠନରେ ସହାୟକ ହେବ । ସ୍କୁଲର ସଂଗୀତ ଶିକ୍ଷକ ହିମାଂଶୁ ଶେଖର ସ୍ୱାଇଁଙ୍କ ନେତୃତ୍ୱରେ ଏକ ଉଚ୍ଚକୋଟୀର ସଂଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଡ଼ଃ ସାହୁଙ୍କ ସ୍ମୃତିରେ ଏକ ଚଳଚ୍ଚିତ୍ର ଉପସ୍ଥାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସିନିୟର ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ, ସାଇ ଇଣ୍ଟରନ୍ୟାସନାଲ୍ ରେସିଡ଼େନ୍ସିଆଲ ସ୍କୁଲର ହେଡ଼ମାଷ୍ଟର ଅମିତାଭ୍ ଅଗ୍ନିହୋତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ବୁଧବାର ସାଇ ଇଣ୍ଟରନ୍ୟାସନାଲ୍‌ ପ୍ରତିଷ୍ଠାାତା ଚେୟାରମ୍ୟାନ୍ ସ୍ୱର୍ଗତ ଡଃ ବିଜୟ କୁମାର ସାହୁଙ୍କ ସ୍ୱପ୍ନର ପ୍ରୋଜେକ୍ଟ ‘ଗାଲାକ୍ସି ଅଫ୍ ଷ୍ଟାରସ୍’ ଉଦ୍‌ଘାଟିତ ହୋଇଯାଇଅଛି । ଗାଲାକ୍ସି ଅଫ୍ ଷ୍ଟାରସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ସ୍ୱଭାବ ସହ ବିଜ୍ଞାନ ସମାଲୋଚିତ ଚିନ୍ତାଧାରାକୁ ବୃଦ୍ଧିକରିବ । ବୈଜ୍ଞାନିକ ଅନୁସନ୍ଧାନ କରିବା ପାଇଁ ଏହି କେନ୍ଦ୍ର ଦ୍ୱାରା ବିଭିନ୍ନ ଶୈକ୍ଷଣିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ସେହିପରି ସ୍ୱର୍ଗତ ଡଃ ବିଜୟ କୁମାର ସାହୁଙ୍କ ଜୁନ୍ ୧ ତାରିଖ ଜନ୍ମବାର୍ଷିକ ଅବସରରେ ପ୍ରଥମ ଡଃ ବିଜୟ କୁମାର ସାହୁ ମେମୋରିଆଲ୍ ଲେକ୍ଚର୍ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର୍ ଡଃ ପ୍ରଶାନ୍ତ ମହାପାତ୍ରଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହାର ବିଷୟବସ୍ତୁ ରହିଥିଲା ‘ଭବିଷ୍ୟତ ଶିକ୍ଷା ଉପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରଭାବ’ । ଏହି ବକ୍ତୃତା ଦ୍ୱାରା ଗତିଶୀଳ ଏକାଡ଼େମିକ୍ ବିତର୍କ ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରୀୟ ଚିନ୍ତାଧାରାର ଆଦାନ ପ୍ରଦାନ ପାଇଁ ଏକ ପ୍ଳାଟଫର୍ମ ପ୍ରଦାନ କରିବ । ଶିକ୍ଷା କ୍ଷେତ୍ରରେ ନୂତନତ୍ୱ ଏବଂ ଆବିଷ୍କାର ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ପଦକ୍ଷେପ ଅଟେ ।

ସମ୍ବନ୍ଧିତ ଖବର