ଜିଓଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆର ଓଡ଼ିଶା ଆଞ୍ଚଳିକ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ବର: ଜିଓଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆ ପକ୍ଷରୁ ଓଡ଼ିଶା ଆଞ୍ଚଳିକ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଇଡକଲ ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଯୋଗ ଦେଇ କହିଲେ, ଭୂବିଜ୍ଞାନ ଏମିତି ଏକ ବିଷୟ, ଯାହାକୁ ପଢ଼ି ଆଜି ବହୁତ ବ୍ୟକ୍ତି ଉଚ୍ଚ ସ୍ଥାନରେ ରହିଛନ୍ତି। ଓଡ଼ିଶାରେ ଅନେକ ପ୍ରଶାସନିକ ଅଧିକାରୀ ଭୂବିଜ୍ଞାନ ଛାତ୍ର। ପ୍ରଶାସନିକ ଚାକିରି ପାଇବା ଠାରୁ କର୍ମକ୍ଷେତ୍ରରେ ଭୂବିଜ୍ଞାନ ସେମାନଙ୍କୁ ବହୁତ ସାହାଯ୍ୟ କରିଛି।

ସେ ଆହୁରି କହିଲେ, ଆଗରୁ ଭୂବିଜ୍ଞାନ ବିଦ୍ୟାର୍ଥୀମାନଙ୍କ ପାଇଁ ସେମିତି କିଛି ସୁବିଧା ସୁଯୋଗ ନଥିଲା। ମାତ୍ର ଏବେ ଏହି ବିଷୟରେ ଆଗକୁ ବଢ଼ି ହେବ ବୋଲି ଶ୍ରୀ ଜେନା କହିଛନ୍ତି। ଭାରତୀୟ ଭୂବୈଜ୍ଞାନିକ ସର୍ବେଷଣର ଅବସରପ୍ରାପ୍ତ ଉପମହାନିର୍ଦ୍ଦେଶକ ଜାଦବାନନ୍ଦ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ, ଫିମିର ଅଧ୍ୟକ୍ଷ ଆର.ଏଲ୍ ମହାନ୍ତି, ଭୂବିଜ୍ଞାନ ନିର୍ଦ୍ଦେଶକ ମନୋରଞ୍ଜନ ମହାପାତ୍ର, ପ୍ରଫେସର କେଭି ସୁବାରାଓ, ଏନ୍ ରାଜେନ୍ଦ୍ରନ୍ ପ୍ରମୁଖ ଯୋଗ ଦେଇ ଏହି ନୂତନ କେନ୍ଦ୍ରର ପ୍ରୟାସକୁ ପ୍ରଶଂସା କରିବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।
ଏହି ଅବସରରେ ଡ. ଶୁଭ୍ରଜ୍ୟୋତି ଦାସ ଓ ଡ. ଭି. କେ ମହାନ୍ତିଙ୍କ ସଂପାଦିତ ଅନୁଷ୍ଠାନର ସ୍ବତନ୍ତ୍ର ପତ୍ରିକା ‘ଓଡ଼ିଶାର ଜଳସଂପଦ: ସ୍ଥିତି, ସମସ୍ୟା ଏବଂ ରଣନୀତି’ ଲୋକାର୍ପିତ ହୋଇଥିଲା। ଅନୁଷ୍ଠାନର ସଭାପତି ମିହିର କୁମାର ସେନାପତି ସ୍ବାଗତ ଭାଷଣ ଦେଇଥିବା ବେଳେ ସଂପାଦକ ଅସିତ୍ କୁମାର ସ୍ବାଇଁ ଧନ୍ୟବାଦ ଦେଇଥିଲେ। ଓଏମ୍ଇସିଏଲ୍ ନିର୍ଦ୍ଦେଶକ ତଥା ଆଞ୍ଚଳିକ କେନ୍ଦ୍ର ଉପସଭାପତି ଶୈଳେନ୍ଦ୍ର କୁମାର ସିହ୍ନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର