ଓଡ଼ିଶା ଗବେଷଣା ସମ୍ମେଳନ ଉଦ୍‌ଯାପିତ

ଉଚ୍ଚଶିକ୍ଷା ବିଭାଗ ପ୍ରଚଳନ କରିବ ନୈତିକତା ଓ ମୂଲ୍ୟବୋଧ ଭିତ୍ତିକ ପାଠ୍ୟକ୍ରମ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ସମ୍ପ୍ରତି ଛାତ୍ରଛାତ୍ରୀମାନେ ବିଷୟ କୈନ୍ଦ୍ରିକ ହେଉଛନ୍ତି। ସେମାନେ ପଢୁଥିବା ବିଷୟରେ ଉତ୍କର୍ଷ ହାସଲ ପାଇଁ ପ୍ରୟାସ ଜାରି ରଖିଛନ୍ତି ଏବଂ ସେଥିରେ ସଫଳ ମଧ୍ୟ ହେଉଛନ୍ତି। ତେବେ ଅନ୍ୟାନ୍ୟ ବିଷୟରେ ଜ୍ଞାନ ଆହରଣ ପାଇଁ ଆଗ୍ରହ ଦେଖାଉ ନଥିବାରୁ ସେମାନଙ୍କ ମଧ୍ୟରେ ନୈତିକ ଓ ମୂଲ୍ୟବୋଧ ହ୍ରାସ ପାଉଛି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ‘ନୈତିକ ଓ ମୂଲ୍ୟବୋଧ’ଭିତ୍ତିକ ପାଠ୍ୟକ୍ରମ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ନୂଆ ଦିଶା ଦେଖାଇବ ଏବଂ ଏହା ଆନ୍ତବିଷୟକ ଗବେଷଣା କ୍ଷେତ୍ର‌‌ରେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।

ଉତ୍କଳ ବିଶ୍ବବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ମିଳିତ ଆନୁକୂଲ୍ୟରେ ବାଣୀବିହାର ଦୀକ୍ଷାନ୍ତ ଭବନରେ ‘ଓଡ଼ିଶା ଗବେଷଣା ସମ୍ମେଳନ-୨୦୨୧’ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ କହିଲେ, ଦେଶର ପ୍ରତ୍ୟେକ ନାଗରିକ ଜଣେ ଜଣେ ଗବେଷକ। ପ୍ରତି ଗବେଷଣା ଲୋକଙ୍କ ଉପକାରରେ ଉଦ୍ଦିଷ୍ଟ। ତେଣୁ ପୁରାତନରୁ ନୂତନ ଯୁଗ ପର୍ଯ୍ୟନ୍ତ, ନିଆଁର ବ୍ୟବହାରଠାରୁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ, ସବୁଥିରେ ଗବେଷକଙ୍କ ଅବଦାନ ରହିଛି। ଆମେ ବ୍ୟବହାର କରୁଥିବା ପ୍ରତ୍ୟେକ ବସ୍ତୁ ସେମାନଙ୍କ ଆବିଷ୍କାର ଓ ଉଦ୍ଭାବନ। ତେଣୁ ସବୁଥିପାଇଁ ଶ୍ରେୟ ସେମାନଙ୍କୁ ଯିବ। ଯଦି ଛାତ୍ରଛାତ୍ରୀମାନେ ଗବେଷଣାତ୍ମକ ମନୋବୃତ୍ତି ନେଇ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିବେ, ତା’ହେଲେ ଗବେଷଣା କ୍ଷେତ୍ରରେ ବିଶ୍ବବିଦ୍ୟାଳୟଗୁଡ଼ିକ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିପାରିବେ। ଏହା ଗବେଷଣା କ୍ଷେତ୍ରରେ ବିଶ୍ବବିଦ୍ୟାଳୟଗୁଡ଼ିକ ଉତ୍କର୍ଷର କେନ୍ଦ୍ର ଗଢ଼ି ତୋଳିବାରେ ସହାୟକ ହେବ।

ନୂଆଦିଲ୍ଲୀ ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟର ଉପକୁଳପତି ପ୍ରଫେସର୍‌ ଚିନ୍ତାମଣି ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶ୍ବର ପ୍ରତ୍ୟେକ ବ୍ୟକ୍ତି ଗବେଷକ ବୋଲି କହିଥିଲେ। ଏହି ଅବସରରେ ଗବେଷଣାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର କହିଥିଲେ ଯେ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟାପକ ଓ ଗବେଷକମାନଙ୍କ ଗବେଷଣା ପାଇଁ ଅର୍ଥର ଅଭାବ ରହିବ ନାହିଁ। ଗବେଷଣା ପାଇଁ ସହାୟତା ରାଶି ୫ ଲକ୍ଷରୁ ୭ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଯଦି ଏହାଠାରୁ ଅଧିକ ଅର୍ଥରାଶି ଦରକାର ହୁଏ, ସେଥିପାଇଁ ମଧ୍ୟ ସରକାର ଅର୍ଥ ଯୋଗାଇଦେବେ ବୋଲି ଘୋଷଣା କରିଥିଲେ।

ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର୍‌ ଅଶୋକ ଦାସ ରାଜ୍ୟ ସରକାରଙ୍କ ବିଭିନ୍ନ ଗବେଷଣାତ୍ମକ ଯୋଜନା ଉପରେ ଆଲୋକପାତ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିଲେ। ଏହି ସମ୍ମେଳନରେ ବିଭିନ୍ନ ବିଶ୍ବବିଦ୍ୟାଳୟର ୧୭୧ଜଣ ଗବେଷକ ସେମାନଙ୍କ ଗବେଷଣାର ପୋଷ୍ଟର୍‌ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି, କୁଳସଚିବ, ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର