ଭୁବନେଶ୍ବର: ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଅଧିକ ଗବେଷଣା, ପ୍ରଚାର ଓ ପ୍ରସାର ପାଇଁ ଗଠନ କରାଯାଇଥିଲା ‘ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର’। ଏହି କେନ୍ଦ୍ରର ସୁପରିଚାଳନା ଓ ଏଠାରେ ସ୍ଥାୟୀ ମୁଖ୍ୟ ନିର୍ବାହୀ ନିଯୁକ୍ତି ଦେବାରେ ବାରମ୍ବାର ବିଫଳ ହୋଇଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ୨୦୨୨ ଜାନୁଆରି ମାସରୁ ଏଠାରେ ମୁଖ୍ୟ ନିର୍ବାହୀ ପଦବି ପୂରଣରେ ଅବ୍ୟବସ୍ଥା ଦେଖାଯାଇଛି। ଅବଶ୍ୟ ମଝିରେ ୨୦୨୩ ଅଗଷ୍ଟରୁ ନୃତ୍ୟଶିଳ୍ପୀ ସିକ୍‌ତା ଦାସଙ୍କୁ ମୁଖ୍ୟ ନିର୍ବାହୀ ଭାବେ ନିଯୁକ୍ତି ମିଳିଥିଲା। ହେଲେ ୩ ବର୍ଷ ବଦଳରେ ତାଙ୍କୁ ୧ ବର୍ଷ ପରେ ଅବସର ଦେଇ ଦିଆଗଲା। ଏହାପରେ ୧୪ ମାସ ବିତି ଯାଇଥିଲେ ବି ଓଡ଼ିଶୀ ଗବେଷଣା କେନ୍ଦ୍ର ସ୍ଥାୟୀ ମୁରବି ପାଇପାରିନାହିଁ।  

Advertisment

ସୂଚନା ମୁତାବକ, କେନ୍ଦ୍ରର ଶେଷ ପୂର୍ଣ୍ଣକାଳ ମୁଖ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁଙ୍କ କାର୍ଯ୍ୟକାଳ ୨୦୨୧ ଜୁନ୍‌ରେ ଶେଷ ହୋଇଥିବା ବେଳେ ଆଉ ୬ ମାସ ଅର୍ଥାତ୍‌ ଡିସେମ୍ବର ୩୧ ତାରିଖ ଯାଏ ତାଙ୍କ କାର୍ଯ୍ୟକାଳକୁ ବଢ଼ାଯାଇଥିଲା। ହେଲେ ଏହି ସମୟ ଅବଧି ମଧ୍ୟରେ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ପାରିନଥିଲା। ଫଳରେ ନୂଆ ମୁଖ୍ୟ ନିର୍ବାହୀ ନିଯୁକ୍ତ ହୋଇ ନଥିବା କାରଣରୁ ୨୦୨୨ରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକଙ୍କୁ ଓଡ଼ିଶୀ ଗବେଷଣା କେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ନିର୍ବାହୀ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା।
ଏହାପରେ ୨୦୨୩ ମସିହା ମାର୍ଚ୍ଚ ମାସରୁ ଗବେଷଣା କେନ୍ଦ୍ରକୁ ସ୍ଥାୟୀ ମୁଖ୍ୟ ନିର୍ବାହୀ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେ‌ ସମୟରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ପଦବି ପାଇଁ ୯ ଜଣ ଆବେଦନକାରୀ ଆବେଦନ କରିଥିଲେ। ଏକ ସର୍ଚ୍ଚ କମିଟି ଦ୍ବାରା ଆବଶ୍ୟକ ସାକ୍ଷାତକାର ପରେ ୨୦୨୩ ଅଗଷ୍ଟ ମାସରେ ନୃତ୍ୟଶିଳ୍ପୀ ସିକତା ଦାସଙ୍କୁ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଭାବେ ନିଯୁକ୍ତି ମିଳିଥିଲା। ସାଧାରଣତଃ ଏହି କାର୍ଯ୍ୟକାଳ ୩ ବର୍ଷ ପାଇଁ ହୋଇଥିବା ବେଳେ ସିକତା ଦାସଙ୍କ ନିଯୁକ୍ତି ଏକ ବର୍ଷ ପାଇଁ ହୋଇଥିଲା। ଏହା ପରେ ବିଭିନ୍ନ ପର୍ଯ୍ୟାୟରେ ସଂସ୍କୃତି ବିଭାଗର ଅଧିକାରୀମାନେ ଗବେଷଣା କେନ୍ଦ୍ରର ଅତିରିକ୍ତ ଦାୟିତ୍ବରେ ରହୁଛନ୍ତି ସିନା, ବର୍ଷେରୁ ଊର୍ଧ୍ବ ସମୟ ଧରି ଏହି କେନ୍ଦ୍ର ସ୍ଥାୟୀ ମୁରବି ପାଇପାରୁନାହିଁ। 

ଏନେଇ କେନ୍ଦ୍ରର ପୂର୍ବତନ ମୁଖ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁ କହିଛନ୍ତି, ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ଏନ୍ତୁଡ଼ିଶାଳ କରିବାର ଆବଶ୍ୟକତା ରହିଛି। ରାଜ୍ୟର ସବୁ କଳା ଅନୁଷ୍ଠାନ ଭିତରେ ଏହା ଶ୍ରେଷ୍ଠ ହେବା ଉଚିତ। ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତରେ ପିଏଚ୍‌ଡି ପାଇଁ ବ୍ୟାପକ ସୁବିଧା ସୁଯୋଗ ଓ କ୍ଷେତ୍ର ପ୍ରସ୍ତୁତ କରାଯିବା ଉଚିତ। ହେଲେ ଏସବୁ କରିବାକୁ ହେଲେ କେନ୍ଦ୍ରକୁ ଜଣେ ସ୍ଥାୟୀ ମୁରବିଙ୍କ ଆବଶ୍ୟକତା ରହିଛି। ଯିଏ କି ଉଭୟ କଳା ଓ ପରିଚାଳନା କ୍ଷେତ୍ରରେ ସିଦ୍ଧହସ୍ତ ହୋଇଥିବେ। ଓଡ଼ିଶୀ ସଙ୍ଗୀତ ଉପରେ ଅନେକ ଗବେଷଣା ହୋଇ ଏଠାରେ ପୁସ୍ତକ ଉପଲବ୍ଧ ରହିଛି। ଏହାକୁ ଆଗକୁ ନେବାର ବି ଆବଶ୍ୟକତା ରହିଛି। ଏଣୁ ସରକାର ତଥା ସଂସ୍କୃତି ଓ କଳାପ୍ରେମୀ ଏ ‌ଦିଗରେ ଅଧିକ ସଚେତନ ହେଲେ, ଓଡ଼ିଶୀ ଗବେଷଣା କେନ୍ଦ୍ର ଓଡ଼ିଶାର ଶ୍ରେଷ୍ଠ କଳା କେନ୍ଦ୍ର ହୋଇପାରନ୍ତା। 

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଶା ସାହିତ୍ୟ ଏକାଡେମୀରେ ସଭାପତି, ଉପସଭାପତି ନିଯୁକ୍ତି ଓ ସାଧାରଣ ପରିଷଦ ଗଠନ ହେଉ ନଥିବାରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଛି। କୋର୍ଟ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଯୁକ୍ତିଯୁକ୍ତ କାରଣ ନଥାଇ ୨୦୨୪ ମେ’ ମାସରୁ ଏଠାରେ ସଭାପତି ଓ ଉପସଭାପତି ନିଯୁକ୍ତି ଦିଆଯାଉନି। ଏହାକୁ ନେଇ ସରକାର ସମାଲୋଚିତ ହେଉଥିଲେ ବି କେଉଁ ଅଦୃଶ୍ୟ କାରଣ ପାଇଁ ହାତ ବାନ୍ଧି ବସିଛନ୍ତି, ତାହା ବୁଝାପଡ଼ୁ ନାହିଁ। ସରକାରଙ୍କ ଚରମ ଅବହେଳା ଯୋଗୁ ଶେଷରେ ଅଦାଲତି ଛାଟ ବି ବାଜିଲାଣି। ସେଥିରୁ ସରକାର ଶିକ୍ଷା ଲାଭ କରୁ ନାହାନ୍ତି କି ଓଡ଼ିଶୀ ଗବଷେଣା କେନ୍ଦ୍ର ପରି ସଂସ୍କୃତି ବିଭାଗର ଅନ୍ୟ ସଂସ୍ଥାଗୁଡ଼ିକରେ ମୁଖିଆମାନଙ୍କୁ ନିଯୁକ୍ତି ଦେଉ ନାହାନ୍ତି। ଏହାକୁ ବେଇ ବୁଦ୍ଧିଜୀବୀ ଓ ସାଂସ୍କୃତିକ ଜଗତରେ ଅସନ୍ତୋଷ ସୃଷ୍ଟି ହୋଇଛି।