ଭୁବନେଶ୍ୱର: ବିଏମ୍‌ସିରେ ଲାଗୁଥିବା ଗାଡ଼ି ଟେଣ୍ଡର ପାଇଁ କର୍ପୋରେସନରେ ଆଲୋଚନା ହୋଇନି। ସଂପୃକ୍ତ ଷ୍ଟାଣ୍ଡିଂ କମିଟି କିମ୍ବା କର୍ପୋରେସନରେ ମଞ୍ଜୁର ମଧ୍ୟ ହୋଇନାହିଁ। ଏ ସମ୍ପର୍କରେ ବିଏମ୍‌ସି ମେୟର ଓ କମିସନର ଜାଣିନାହାନ୍ତି ବୋଲି କହୁଛନ୍ତି। ହେଲେ ଜଣେ ଡେପୁଟି କମିସନର ନୂଆ ଟେଣ୍ଡର କାହା ସ୍ବାର୍ଥରେ ଡାକିଛନ୍ତି? ଫର୍ମ ଅଫ୍‌ କଣ୍ଟ୍ରାକ୍ଟରେ ସ୍ବାକ୍ଷର କରିବା ପାଇଁ ଡେପୁଟି କମିସନର ଅଧିକୃତ ନୁହନ୍ତି। କିନ୍ତୁ ‌ଓଡ଼ିଶା ମ୍ୟୁନିସିପାଲିଟି କର୍ପୋରେସନ ଆଇନ-୨୦୦୩କୁ ଉଲ୍ଲଂଘନ କରି ୧୦୦ ଟଙ୍କିଆ ‌ଷ୍ଟାମ୍ପପେପରରେ, ପୁଣି ପିଛିଲା ତାରିଖରେ, ଫର୍ମ ଅଫ୍‌ କଣ୍ଟ୍ରାକ୍ଟ ଚୁକ୍ତିନାମା ଡେପୁଟି କମିସନର ଉଦ୍ଦେଶ୍ୟମୂଳକ ଭାବେ କରିଛନ୍ତି। ତେଣୁ ଏବାବଦରେ ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ସହ ଟେଣ୍ଡର ବାତିଲ ହେଉ। ଆଜି ବିଏମ୍‌ସିର ୨୫ତମ ସାଧାରଣ ପରିଷଦ ବୈଠକରେ କର୍ପାରେଟରମାନେ ଏ ପ୍ରସଙ୍ଗରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଶ୍ନବାଣରେ ‌ଅଧିକାରୀଙ୍କୁ ଘାଇଲା କରିଛନ୍ତି।  

Advertisment

ଆଜିର ବୈଠକକୁ ପ୍ରାୟ ସବୁ କର୍ପୋରେଟର ଏକାଠି ପ୍ରବେଶ କରିଥିଲେ। ପୂର୍ବଭଳି ଆଜି ସେମାନଙ୍କ ଭିତରେ ମତଭେଦ ଥିବାଭଳି ଜଣା ପଡୁନଥିଲା। ସେମାନେ ମିଳିତ ଆକ୍ରମଣ କରିବାଭଳି ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଉଠାଇ ଅଧିକାରୀଙ୍କୁ ଘେରିଥିଲେ। ବୈଠକରେ ମୁଖ୍ୟତଃ ଗାଡ଼ି ଟେଣ୍ଡରକୁ ନେଇ ହୋହାଲ୍ଲା ହୋଇଥିଲା। ବିଏମ୍‌ସି କାର୍ଯ୍ୟାଳୟ ଆଗରେ ବିଏମ୍‌ସି ଗାଡ଼ି ମାଲିକ ସଂଘ ଆନ୍ଦୋଳନରେ ବସିଥିବା ବେଳେ କର୍ପୋରେଟର ନୃପେଶ ନାୟକ ଏ ପ୍ରସଙ୍ଗ ବୈଠକରେ ଉପସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଗାଡ଼ିର ଭଡ଼ା ଓ ଭଡ଼ା ଲଗାଇବାକୁ କ’ଣ ସର୍ତ୍ତ ରହିବ, ତାହା ସ୍ଥିର କରିଛନ୍ତି। ହେଲେ ଡେପୁଟି କମିସନର ନିଜ ସ୍ବାର୍ଥ ପାଇଁ କର୍ପୋରେସନକୁ ଅନ୍ଧାରରେ ରଖି ଟେଣ୍ଡର ଡାକିଛନ୍ତି। ନୂଆ ଟେଣ୍ଡର ଅନୁସାରେ ଲାଗୁଥିବା ଗାଡ଼ିର ଭଡ଼ା ଦୁଇଗୁଣ ବଢ଼ିଯିବ। ଏ ପ୍ରକାର ତ୍ରୁଟିପୂର୍ଣ୍ଣ ଓ ବେଆଇନ ଟେଣ୍ଡର ନିଗମକୁ କ୍ଷତି ପହଞ୍ଚାଇବ। ତେଣୁ ଏହି ଟେଣ୍ଡର ବାତିଲ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ତେବେ କମିସନର ଆସିବା ପରେ ଏ ସମ୍ପର୍କରେ ଚୂଡ଼ାନ୍ତ ଘୋଷଣା କରାଯିବ। 

ବିଏମ୍‌ସିର ୨୫ତମ ସାଧାରଣ ପରିଷଦ ବୈଠକ
ବାତିଲ ହେବ ବିଏମ୍‌ସି ଗାଡ଼ି ଟେଣ୍ଡର
ଭିଜିଲାନ୍ସ ତଦନ୍ତ ଦାବିକଲେ କର୍ପୋରେଟର

ଅନ୍ୟପଟେ କିଛି କର୍ପୋରେଟ ବିଏମ୍‌ସିର ଆୟ ଓ ବ୍ୟୟର ହିସାବ ମାଗି ଅଧିକାରୀଙ୍କୁ ଅକଳରେ ପକାଇଥିଲେ। ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ହେବାକୁ ବସିଥିବା ବେଳେ ଏଯାଏ ୨୦୨୩-୨୪ ଆର୍ଥିକ ବର୍ଷରେ ବିଭିନ୍ନ ୱାର୍ଡରେ ଉନ୍ନୟନମୂଳକ କାମ ପାଇଁ ହୋଇଥିବା ଟେଣ୍ଡର ଅନୁସାରେ କାମ ହୋଇ ପାରିନାହିଁ। ପ୍ରାୟ ସମସ୍ତ ୱାର୍ଡରେ ବିକାଶମୂଳକ କାମ ଠପ୍‌ ହୋଇଯାଇଛି। ବିଏମ୍‌ସି ପାଖରେ ଅର୍ଥ ନାହିଁ, ନା ଅଧିକାରୀ କାମ କରିବାକୁ ଚାହୁନାହାନ୍ତି। ଯଦି ଅର୍ଥର ଅଭାବ ଅଛି, ତେବେ ଆର୍ଥିକ ବର୍ଷରେ ସ୍ଥିର କରିଥିବା ଆୟ ଓ ବ୍ୟୟର ସବୁ ହିସାବ ଦିଆଯାଉ। ଆୟର କ’ଣ ଟାର୍ଗେଟ ଥିଲା, କେତେ ହେଲା ଏବଂ କେଉଁଥି ପାଇଁ, କେତେ ଟଙ୍କା ବ୍ୟୟ କରିଛ ତା’ର ହିସାବ ଦେବାକୁ କର୍ପାରେଟମାନେ ଅଡ଼ି ବସିଥିଲେ। ହେଲେ କମିସନର ନଥିବାରୁ ଏ ପ୍ରସଙ୍ଗ ଆସନ୍ତା ବୈଠକରେ ଆଲୋଚନା ହେବାକୁ ସ୍ଥିର କରାଯାଇଥିଲା। ସେହିପରି ଆଉ ମୁକୁଲା ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ପାଇଁ ପ୍ରାୟ ୧୦ କୋଟି ଟଙ୍କାର ଟେଣ୍ଡର ହୋଇଛି। ପୂର୍ବରୁ ୬ ଇଞ୍ଚ ସ୍ଲାବ୍‌ ପଡ଼ୁଥିବା ବେଳେ ଏବେ ୪ ଇଞ୍ଚ ପକାଇବାକୁ ଟେଣ୍ଡର ହୋଇଛି। ବିଏମ୍‌ସିରେ ୨ଟି ସଂସ୍ଥା ଏହି ପ୍ଲାବ୍‌ ପକାଇବାକୁ ଜାଣିଶୁଣି ଏଭଳି ଯୋଜନା କରାଯାଇଛି। ତେବେ ଏହାକୁ ବାତିଲ କରିବାକୁ ଦାବି ଉଠିଥିଲା। ବିଏମ୍ଓି ଅଞ୍ଚଳରେ ନିର୍ମାଣ ହେଉଥିବା ରାସ୍ତାର ରକ୍ଷଣାବେକ୍ଷଣ ଠିକାସଂସ୍ଥା‌ ୩ ବର୍ଷ ପର୍ଯ୍ୟନ୍ତ କରିବା କଥା। ହେଲେ କାହିଁକି ମରାମତି ପାଇଁ ଟେଣ୍ଡର କରାଯାଉଛି ବୋଲି ଅଭିଯୋଗ ଉଠିଥିଲା। 

ଏହି ବୈଠକ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଡେପୁଟି ମେୟର ମଂଜୁଲତା କହଁର, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଜୋନାଲ୍‌ କମିସନର କୈଳାଶ ଚନ୍ଦ୍ର ଦାସ, ସିଟି ଇଂଜିନିୟର ବିଳାସ କୁମାର ବେହେରା, ମୁଖ୍ୟ ବିତ୍ତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ନାୟକ ମଞ୍ଚାସୀନ ଥିଲେ। ସମସ୍ତ କର୍ପୋରେଟର, ବିଧାୟକ ଓ ସାଂସଦଙ୍କ ପ୍ରତିନିଧି, ବିଭିନ୍ନ ଉପବିଭାଗୀୟ ଅଧିକାରୀ ଓ ଲାଇନ ଅଧିକାରୀମାନେ ଉପସ୍ଥିତ ଥିଲେ। ସଭା ପରିଚାଳନା କରିଥିଲେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ। ଅତିରିକ୍ତ କମିଶନର ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବୈଠକ ସଂପର୍କରେ ସୂଚନା ଦେଇଥିଲେ। ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା। ବିଭିନ୍ନ ଟ୍ରାଫିକ୍‌ ଛକରେ ସ୍ଥାୟୀ ଛାତ ନିର୍ମାଣ କରାଯିବା ସହିତ ବିଡିଏର ସମସ୍ତ ପାର୍କ ବିଏମ୍‌ସି ଅଧୀନକୁ ଆସିବ। ଏହାର ସ୍ୱତନ୍ତ୍ର ପରିଚାଳନା ନୀତି ପ୍ରସ୍ତୁତ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ସ୍ୱଚ୍ଛସବୁଜ ଦୀପାବଳି ପାଳନ କରିବାକୁ ମେୟରଙ୍କ ସମେତ ସମସ୍ତ କର୍ପୋରେଟର ଓ ଟିମ୍‌ବିଏମ୍‌ସି ଶପଥ ନେଇଥିଲେ।

ଟେଣ୍ଡରରେ ଯାବତୀୟ ବିଶୃଙ୍ଖଳା ଓ ତ୍ରୁଟି ରହୁଥିବାରୁ ଟେଣ୍ଡର କମିଟିରେ ମେୟର ରହିବା ପାଇଁ ଦଳମତ ନିର୍ବିଶେଷରେ କର୍ପୋରେଟରଙ୍କ ପକ୍ଷରୁ ଦାବି ଉଠିଥିଲା। ‌ସେହିପରି ବିଏମ୍‌ସି ଅଞ୍ଚଳରେ ୧୦ଟି ନୂଆ କଲ୍ୟାଣମଣ୍ଡପ କରାଯିବ। ନିର୍ମାଣଧୀନ ୮ଟି କଲ୍ୟାଣମଣ୍ଡପ କାମ ତୁରନ୍ତ ଶେଷ କରାଯିବ ଏବଂ ଆଉ ୨ଟି ପାଇଁ ଜମି ଚିହ୍ନଟ ହେବ। ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପକୁ ଅତ୍ୟାଧୁନିକ କରାଯିବ। ସେଠାରେ  ତୋରକା ହୋଟେଲ୍‌ ଭଳି ସୁବିଧା ରହିବ। ପ୍ରତି ୱାର୍ଡରେ ନେବର୍‌ ହୁଡ୍‌ ମାର୍କେଟ କରାଯିବ। ଡ୍ରେନଗୁଡ଼ିକରେ କଭର୍‌ସ୍ଲାବକୁ ନିଶ୍ଚିତ କରାଯିବ। ଶେଷରେ ଗ୍ରୀଷ୍ମ ଜନିତ ସ୍ୱାସ୍ଥ୍ୟ ଓ ଜୀବନଧାରଣ ପ୍ରଣାଳୀ ସଂପର୍କରେ ଗବେଷଣା କରିବା ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇକନୋମିକ୍‌ ଗ୍ରୋଥ୍‌ ପକ୍ଷରୁ ଏକ ଉପସ୍ଥାପନା କରାଯାଇଥିଲା।