ଭୁବନେଶ୍ବର: ଆଜି ସକାଳେ ଶିଶୁଭବନ ଛକରେ ବିଏମ୍‌ସିର ସଫେଇ ଠିକା ସଂସ୍ଥା ଜାଗୃତିର କୋ-ଅର୍ଡିନେଟର ଦୀପ୍ତିରଂଜନ ବେହେରାଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି। ଚାକିରିରୁ ଛଟେଇ ହୋଇଥିବା ସଫେଇ କର୍ମଚାରୀ କେଦାରପଲ୍ଲୀ ବସ୍ତିର ସୁଶାନ୍ତ ନାୟକ(୨୮)କୁ ଏହି ଆକ୍ରମଣ କରିଥିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ତା’ଠାରୁ ଖଣ୍ଡା ଜବତ କରାଯାଇଛି।

Advertisment

ସୂଚନାନୁସାରେ ଅଭିଯୁକ୍ତ ସୁଶାନ୍ତ ପୂର୍ବରୁ ଜାଗୃତି ଅଧୀନରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲା। କିନ୍ତୁ କାମରେ ଅବହେଳା କରିବାରୁ କୋ-ଅର୍ଡିନେଟର ଦୀପ୍ତିରଂଜନ ତାକୁ ତାଗିଦ୍‌ କରିଥିଲେ। କିନ୍ତୁ ବାରମ୍ବାର ତାଗିଦ୍‌ ସତ୍ତ୍ବେ ସୁଶାନ୍ତ କାମରେ ଅବହେଳା କରିଚାଲିଲା। ତେଣୁ ଶେଷରେ ଦୀପ୍ତି ତାକୁ ଛଟେଇ କରିଦେଇଥିଲେ। ଏହି ରାଗରେ ସୁଶାନ୍ତ ଶିଶୁଭବନ ଛକସ୍ଥିତ ଓମ୍‌ଫେଡ୍‌ ବୁଥ୍‌ ନିକଟରେ ଛିଡ଼ା ହୋଇଥିବା ବେଳେ ଦୀପ୍ତିରଂଜନଙ୍କୁ ଖଣ୍ଡାରେ ହାଣି ପକାଇଥିଲା। ଫଳରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ସୁଶାନ୍ତକୁ କାବୁ କରିବାକୁ ଉଦ୍ୟମ କଲା ବେଳେ ସେ ଖଣ୍ଡା ବୁଲାଇ ସେଠାରୁ ଫେରାର୍ ହୋଇଯାଇଥିଲା। ଲୋକମାନେ ଆହତ ଦୀପ୍ତିରଂଜନଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ।