ସହର ସାରା ହାଟ। କେଉଁଠି ସାପ୍ତାହିକ ତ ଆଉ କେଉଁଠି ଦୈନିକ। ଉଭୟ ହୋଲସେଲ୍‌ ଓ ଖୁଚୁରା ବ୍ୟବସାୟୀଙ୍କୁ ନେଇ ହାଟ ଚାଲୁଥିଲେ ମଧ୍ୟ ସବୁଠି ସୁରକ୍ଷା ବ୍ୟବସ୍ଥା ଢ଼ିଲା। ନା ଅଛି ଅଗ୍ନି ନିର୍ବାପକ ବ୍ୟବସ୍ଥା ନା ପ୍ରଶାସନିକ କଟକଣା। ବିଏମ୍‌ସି ହିସାବରେ ଛୋଟ ବଡ଼ କରି ୨୦ଟି ହାଟ ରହିଛି। କିନ୍ତୁ ସଂଖ୍ୟା ଢେର ଅଧିକା। ପ୍ରତି ଅଞ୍ଚଳ‌ରେ ହାଟ ଗଢ଼ିଉଠୁଥିଲେ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ। ସଙ୍କୁଚିତ ରାସ୍ତା, ଜରି ପାଲ ତଳେ ଦୋକାନ, ଅସୁରକ୍ଷିତ ଭାବେ ଗ୍ରାହକ ଚଳପ୍ରଚଳ ହେଉଥିଲେ ମଧ୍ୟ କଟକଣା ଲାଗିପାରୁ ନାହିଁ। ତେଣୁ ଅଗ୍ନିକାଣ୍ଡ ଭଳି ସମୟରେ ଗ୍ରାହକ ଓ ବ୍ୟବସାୟୀଙ୍କ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଏକ ନମ୍ବର ହାଟରେ ଅଗ୍ନିକାଣ୍ତ ପରେ ସହରର ହାଟଗୁଡ଼ିକର ସ୍ଥିତି ନେଇ ସ୍ବତନ୍ତ୍ର ରିପୋର୍ଟ।

Advertisment
ଭୁବନେଶ୍ବର: ଭୁବନେଶ୍ବରର ଜଣାଶୁଣା ହାଟ ଭିତରେ ରସୁଲଗଡ଼ସ୍ଥିତ ମା’କୋଚିଳେଇ ହାଟ ଅନ୍ୟତମ। କିନ୍ତୁ ଏହି ହାଟ ଆଜି ପର୍ଯ୍ୟନ୍ତ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ଭେଣ୍ଡର ତାଲିକାଭୁକ୍ତ ହୋଇପାରିନି। ଏଠାରେ ବ୍ୟବସାୟ କରୁଥିବା ଦୋକାନୀମାନେ ବିଏମ୍‌ସିର ଭେଣ୍ଡର ତାଲିକାରେ ନାହାନ୍ତି। କାହାରି ପାଖରେ ଅଦ୍ୟାବଧି ଟ୍ରେଡ୍ ଲାଇସେନ୍ସ ବି ନାହିଁ। ଫଳରେ ବିଜୁଳି, ପାଣି, ଶୌଚାଳୟ, ପରିମଳ ଭଳି ମୌଳିକ ସୁବିଧାରୁ ଏମାନେ ବଞ୍ଚିତ ହୋଇ ଆସୁଛନ୍ତି। ଯାହା ବି ସୁବିଧା ଅଛି, ତାହା ବ୍ୟବସାୟୀମାନଙ୍କ ନିଜସ୍ବ ବ୍ୟବସ୍ଥାରେ ହୋଇଛି। ଚୁକ୍ତିପତ୍ର ହୋଇ ନ ଥିବାରୁ ହାଟର ବିକାଶ ବି ସମ୍ଭବପର ହୋଇପାରୁନି। ସବୁଠୁ ବଡ଼ ସମସ୍ୟା ହେଉଛି ହାଟର ସଂକୁଚିତ ରାସ୍ତା। ଠାକୁରାଣୀ ମା’ କୋଚିଳେଇଙ୍କ ନାମରେ ପରିଚୟ ପାଇଥିବା ମା’କୋଚିଳେଇ ହାଟ ବିଏମ୍‌ସିର ୩୧ ନମ୍ବର ୱାର୍ଡରେ ପ୍ରାୟ ୨ ଏକର ଜାଗାରେ ଠିଆ ହୋଇଛି। ବିଏମ୍‌ସି ତାଲିକା ଅନୁସାରେ ଏଠାରେ ୬୧୭ଜଣ ଦୋକାନୀ ବ୍ୟବସାୟ କରୁଛନ୍ତି। ଗ୍ରୋସରି, ପନିପରିବା, ଘରକରଣା ସାମଗ୍ରୀ, ପାଠ୍ୟପୁସ୍ତକ ଆଦି ବିକ୍ରି କରୁଛନ୍ତି। ସର୍ବଦା ଏହି ହାଟରେ ଗହଳଚହଳ ଲାଗି ରୁହେ। କିନ୍ତୁ ଏମାନେ ଭେଣ୍ଡର ତାଲିକାଭୁକ୍ତ ହୋଇନଥିବାରୁ ବିଏମ୍‌ସି ପକ୍ଷରୁ ଏଠାରେ ରାସ୍ତାଘାଟ ଦୂରର କଥା, ପାଣି, ବିଜୁଳି ଭଳି ମୌଳିକ ସୁବିଧା ବି ଦିଆଯାଇନି।
ଦୋକାନୀମାନେ ନିଜସ୍ବ ଉଦ୍ୟମରେ ଯାହା କିଛି ବିକାଶ କାମ କରି ଆସୁଛନ୍ତି। ହାଟ ରାସ୍ତା ଏତେ ସଂକୁଚିତ ଯେ ଅଗ୍ନିକାଣ୍ଡ ଘଟିଲେ ଅଗ୍ନିଶମ ଗାଡ଼ି ତ ଦୂରର କଥା ଦୁଇଟି ଦୁଇଚକିଆ ଅଟକିଗଲେ ଗମନାଗମନ ବାଟ ବନ୍ଦ ହୋଇଯାଉଛି। ଦୋକାନୀମାନେ ବି ଦୋକାନ ଆଗରେ ସାମଗ୍ରୀ ଗଦାଇ ରଖୁଛନ୍ତି। ଏଣୁ ଯଦି କୌଣସିଠାରେ ନିଆଁ ଲାଗେ ସବୁ ଦୋକାନ ଜଳି ପୋଡ଼ି ପାଉଁଶ ହୋଇଯିବାର ଆଶଙ୍କା ରହିଛି। ଅଗ୍ନିଶମ ଗାଡ଼ି ମାର୍କେଟ୍ ଭିତରେ ପଶି ପାରିବନି କି ନିଆଁ ଲିଭାଇପାରିବନି। ୩୧ ନମ୍ବର ୱାର୍ଡ କର୍ପୋରେଟର୍ କୁମରେନ୍ଦ୍ର ମହାପାତ୍ରଙ୍କ କହିବା କଥା, ବିଏମ୍‌ସି ସହକୋଚିଳେଇ ହାଟର ବ୍ୟବସାୟୀଙ୍କ ଚୁକ୍ତିପତ୍ର କରିବାକୁ ବହୁଦିନରୁ ଦାବି ହୋଇ ଆସୁଛି। ଯେବେ ପ୍ରସଙ୍ଗ ଉଠୁଛି, ବ୍ୟବସାୟୀଙ୍କୁ ବିଏମ୍‌ସି ନୋଟିସ୍ ଦେଇ ଦାୟିତ୍ବ ତୁଟାଇ ଦେଉଛି। ଦୋକାନୀମାନେ କିଭଳି ଚୁକ୍ତିପତ୍ର ସହ ଅମାନତ ରାଶି ଓ ଦୋକାନ ଭଡ଼ା ଦେବେ, ସେ ଦିଗରେ ଅଧିକାରୀମାନେ ଆନ୍ତରିକତା ଦେଖାଉନାହାନ୍ତି। ଦୋକାନୀଙ୍କ ଇଚ୍ଛା ଥିଲେ ବି ଅଧିକାରୀମାନେ ଆନ୍ତରିକତା ଦେଖାଉ ନ ଥିବାରୁ ବିକାଶ ହେଉ କି ମୌଳିକ ସୁବିଧା, ସବୁଥିରେ ହାଟକୁ ଅଣଦେଖା କରାଯାଉଛି।
ଅସ୍ତିତ୍ବ ଖୋଜୁଛି ରୁଚିକା ହାଟ
ଖଣ୍ଡଗିରି: ଏକଦା ସର୍ବାଧିକ ମହିଳା ଗ୍ରାହକ ଆସୁଥିବା ରୁଚିକା ହାଟ ବର୍ତ୍ତମାନ ନିଜର ଅସ୍ତିତ୍ବ ହରାଇ ବସିଛି। ଖାଲି ନାହିଁ ନାହିଁରେ ହାଟ ଚାଲିଛି। ସପ୍ତାହରେ ସୋମ, ବୁଧ ଓ ଶନିବାର ହାଟପାଳି ରହିଥିବା ରୁଚିକା ହାଟରେ ପ୍ରାୟ ୪୦୦ ପିଣ୍ଡି ରହିଛି। ମାତ୍ର ଅର୍ଦ୍ଧାଧିକ ପିଣ୍ଡି ଭାଙ୍ଗିଯାଇ ମାତ୍ର ୨୪୦ଟିରେ ବ୍ୟବସାୟୀ ବସୁଛନ୍ତି। ୧୯୯୦-୯୧ ମସିହାରେ ସ୍ଥାପିତ ଏହି ହାଟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ହୋଇନାହିଁ। ମୌଳିକ ସୁବିଧା ନଥିବା ଏହି ହାଟ ବର୍ତ୍ତମାନ ନିଶାଡ଼ିଙ୍କ ଚରାଭୂଇଁ ପାଲଟିଛି। ଏଠାରେ ତାଟି ପକାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦବେପାର ଚାଲୁଛି।
ଉଲ୍ଲେଖଯୋଗ୍ୟ ଯେ ରୁଚିକା ହାଟ ଉପରେ ବରମୁଣ୍ଡା, ଖଣ୍ଡଗିରି, ଭରତପୁର, ରେଣ୍ଟାଲ୍‌, ଡେଲ୍‌ଟା, ସିଆର୍‌ପି ଆଦି ଅଞ୍ଚଳର ଲୋକମାନେ ନିର୍ଭର କରନ୍ତି। ତେବେ ଏଠାରେ ପାନୀୟଜଳ, ଶୌଚାଳୟ, ପାର୍କିଂ, ବିଜୁଳି ଆଦି ସୁବିଧା ମିଳୁନାହିଁ। ୩୫ ବର୍ଷର ପୁରୁଣା ଏହି ହାଟ ବର୍ତ୍ତମାନ ସୁଦ୍ଧା ବିଏମ୍‌ସିର ସ୍ବୀକୃତି ପାଇପାରିନାହିଁ। ବ୍ୟବସାୟୀମାନେ ଦୈନିକ ୧୫ଟଙ୍କା ଲେଖାଏଁ ଦେଇ ପିଣ୍ଡିକୁ ବିଦ୍ୟୁତ୍‌ସଂଯୋଗ କରୁଛନ୍ତି। ଆଖପାଖରେ ଥିବା ଘର କିମ୍ବା ଦୋକାନଘରମାନଙ୍କରୁ ବ୍ୟବସାୟୀମାନେ ପାନୀୟଜଳ ଆଣି ପିଉଛନ୍ତି। ହାଟ ସରିବା ପରେ ପରିବାଚୋପା, ଅଳିଆ ପଡ଼ିରହୁଛି। ବ୍ୟବସାୟୀ ସଂଘ ପକ୍ଷରୁ ନିୟୋଜିତ ତିନିଜଣ ସଫେଇ କର୍ମଚାରୀ ଏହି ଆବର୍ଜନାକୁ ଏକତ୍ର କରିବା ପରେ ବିଏମ୍‌ସି ଆସି ଅଳିଆ ଉଠାଉଛି। ଏଥିପାଇଁ ବ୍ୟବସାୟୀ ପିଛା ୫ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ଏ ସମ୍ପର୍କରେ ରୁଚିକା ହାଟ ବ୍ୟବସାୟୀ ସଂଘର ସଦସ୍ୟ ପଞ୍ଚାନନ ବେହେରା କହନ୍ତି, ଏହି ପୁରୁଣା ହାଟର ଉନ୍ନତୀକରଣ ପ୍ରତି ଆଦୌ ଧ୍ୟାନ ଦିଆଯାଉନାହିଁ। ପ୍ରାୟ ୧୨ବର୍ଷ ହେବ ସଂଘର ପଦପଦବି ଫାଙ୍କା ପଡ଼ିଛି। ଯିଏ ଚାହୁଛି ଏଠାକୁ ଆସି ବ୍ୟବସାୟ କରୁଛନ୍ତି। ଶୌଚାଳୟ ଓ ଆବର୍ଜନା ଏହି ହାଟର ସବୁଠାରୁ ବଡ଼ ସମସ୍ୟା ପାଲଟିଛି। ଗ୍ରାହକମାନେ ମଧ୍ୟ ଏଠାକୁ ଆସିବା ବନ୍ଦ କରିଦେଲେଣି। ଗ୍ରାହକମାନେ ମଧ୍ୟ ଏଠାକୁ ଆସିବା ବନ୍ଦ କରିଦେଲେଣି। ରାତିରେ ନିଶାଡ଼ିମାନଙ୍କ ପ୍ରାଦୁର୍ଭାବ ମଧ୍ୟ ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି।

hfsfhhfxbv

ଅବହେଳିତ ସର୍ବପୁରାତନ ‘ଲିଙ୍ଗରାଜ ହାଟ’
ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ସର୍ବପୁରାତନ ଲିଙ୍ଗରାଜ ହାଟ ଏବେ ଅବହେଳିତ ଅବସ୍ଥାରେ। ଛାତ, ପାର୍କିଂ ବ୍ୟବସ୍ଥା, ଶୌଚାଳୟ ଭଳି ମୌଳିକ ସୁବିଧା ସୁଯୋଗ ନଥିବାରୁ ଏଠାରେ ଉଭୟ ଗ୍ରାହକ ଓ ବେପାରୀ ସବୁବେଳେ ହଟହଟା ହେଉଛନ୍ତି। ସେହିଭଳି ବିଦ୍ୟୁତ୍ ସେବା, ସଫେଇ ଆଦି ମଧ୍ୟ ଅବ୍ୟବସ୍ଥା ଘେରରେ ରହିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ସୌନ୍ଦର୍ଯ୍ୟୀକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ ବୋଲି ବେପାରୀମାନେ ଅଭିଯୋଗ କରିଛନ୍ତି।  ଐତିହ୍ୟ ହାଟ ଭାବେ ପରିଚିତ ‘ଲିଙ୍ଗରାଜ ହାଟ’କୁ ନେଇ ବ୍ୟବସାୟୀମାନେ ମନ୍ଦିର ପ୍ରଶାସନକୁ ଦାୟୀ କରୁଛନ୍ତି। ଐତିହ୍ୟ ହାଟ ଯୋଗୁ ଉପରେ ଛାତ ନଥିଲା। କେବଳ ପିଣ୍ଡି ଉପରେ ଜରିପାଲ ଟାଣି ବ୍ୟବସାୟୀମାନେ ବିକ୍ରି କରନ୍ତି।  ବର୍ଷା ପବନ ହେଲେ ଜରି ଆଉ ସୁରକ୍ଷା ଦେଇପାରେ ନାହିଁ । ସଉଦାପତ୍ର ଓ ପରିବା ପାଣିରେ ଭିଜିବା ସହ ବ୍ୟବସାୟୀ ଓ ଗ୍ରାହକ ହଇରାଣ ହେଉଛନ୍ତି। ସେହିପରି ପାର୍କିଂ ପାଇଁ ଠିକଣା ଭାବେ ବ୍ୟବସ୍ଥା ନାହିଁ। ପୁରୁଣା ସୁଭଦ୍ରା ମହତାବ ସ୍କୁଲ ସମ୍ମୁଖରେ ଖାଲି ସ୍ଥାନ ରହିଥିଲେ ମଧ୍ୟ ହାଟକୁ ଲାଗି ଥିବା ମୁଖ୍ୟ ରାସ୍ତାରେ ପାର୍କିଂ କରି ନିଲାମଧାରୀ ପଇସା ନିଏ। ଫଳରେ ଯିବା ଆସିବାକୁ ବଡ଼ ସମସ୍ୟା ସୃଷ୍ଟି କରେ। ଶ୍ରୀଲିଙ୍ଗରାଜ ମନ୍ଦିର ଦକ୍ଷିଣ ପାର୍ଶ୍ବରେ ଥିବା ଏହି ହାଟକୁ ଗତ କିଛି ବର୍ଷ ତଳେ ପର୍ଯ୍ୟଟନ ବିଭାଗ ସୌନ୍ଦର୍ଯ୍ୟୀକରଣ କରିଥିଲା। ପିଣ୍ଡିଗୁଡ଼ିକୁ ଚିକ୍କଣ ମାଙ୍କଡ଼ା ପଥରରେ ନିର୍ମାଣ କରାଯାଇଥିଲା। ସବୁ ପିଣ୍ଡିକୁ ଭୂତଳ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା।
ହାଟର ଦୁଇଟି ହାଇମାଷ୍ଟଲାଇଟ୍ ଲଗାଯାଇଥିଲା ଓ ହାଟ ଭିତରକୁ ଗୋରୁଗାଈ ପ୍ରବେଶ ଉପରେ ରୋକ୍ ଲଗାଇବାକୁ କାଓ କ୍ୟାଚର୍ ନିର୍ମାଣ କରାଯାଇଥିଲା। ପର୍ଯ୍ୟଟନ ବିଭାଗର ଏହି ସୁନ୍ଦର ପଦକ୍ଷେପରେ ବେପାରୀ ଓ ଗ୍ରାହକମାନେ ମଧ୍ୟ ଖୁସିଥିଲେ। ହାଟର ବିକାଶ ଦେଖି ମନ୍ଦିର ପ୍ରଶାସନ ପ୍ରତିବର୍ଷ ନିଲାମ ବ୍ୟବସ୍ଥା କରିଥିଲା। ହାଟକୁ ମନ୍ଦିର ପ୍ରଶାସନ ନିଲାମ କରି ପ୍ରତି ବ୍ୟବସାୟୀଙ୍କ ନିକଟରୁ ପାଳି ପିଛା ୬୦ଟଙ୍କା ଆଦାୟ କରୁଛି। ନିଲାମ ବାବଦ ଅର୍ଥ ମନ୍ଦିର ପ୍ରଶାସନ ଖାତାକୁ ଯାଉଥିଲେ ହେଁ ରକ୍ଷଣାବେକ୍ଷଣ କାମ ହେଉନାହିଁ ବୋଲି ବେପାରୀମାନେ ଅଭିଯୋଗ କରିଛନ୍ତି। ପ୍ରାୟ ୪ବର୍ଷ ହେଲା ହାଟରେ ଦହଗଞ୍ଜ ହେଉଛନ୍ତି ବ୍ୟବସାୟୀ।  ଅବଶ୍ୟ ଏବେ ଓଟିଡିସି ପକ୍ଷରୁ ପୁଣି ୨୫ରୁ ୩୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ହାଇମାଷ୍ଟ ଲାଇଟ୍ କେତେବେଳେ ଜଳୁଛି ତ କେତେବେଳେ ଅଚଳ ହୋଇରହୁଛି। ହାଟ ଭିତର ସଫା କରାଯାଉ ନଥିବାରୁ ଅଳିଆ ଆବର୍ଜନା ଗଦା ହୋଇ ରହିଛି। ସାମାନ୍ୟ ବର୍ଷା ହେଲେ ହାଟ ଭିତର କାଦୁଅ ପଚପଚ। ସେହିଭଳି କାଓକ୍ୟାଚର୍ ଭାଙ୍ଗିରୁଜି ଯାଇଥିବାରୁ ବୁଲା ଗୋରୁଗାଈ ଓ ଷଣ୍ଢ ହାଟ ଭିତରେ ଅବାଧରେ ପଶୁଛନ୍ତି।

ନାହିଁ ଆପାତକାଳୀନ ବ୍ୟବସ୍ଥା, ଡମଣା, ମା’ତାରିଣୀ ଓ ପଟିଆ ହାଟ

ଚନ୍ଦ୍ରଶେଖରପୁର: ଡମଣା ହାଟ ବସିଲା ମାତ୍ରେ ଶହ ଶହ ଗ୍ରାହକ ଭିତରକୁ ପ୍ରବେଶ କରୁଛନ୍ତି। କିଏ ପରିବାର ସହ ତ ଆଉ ସାଙ୍ଗସାଥୀଙ୍କ ସହ ମିଶି ଆସୁଛନ୍ତି। ପନିପରିବାଠାରୁ ତେଜରାତି ସାମଗ୍ରୀ ହେଉ ଅଥବା ଅନ୍ୟ କୌଣସି ଘରୋଇ ସରଞ୍ଜାମ, କିଣିବା ପାଇଁ ବିଭିନ୍ନ ପିଣ୍ଡି କିମ୍ବା ଦୋକାନରେ ଭିଡ଼ ଲଗାଇ ଦେଉଛନ୍ତି। ଏମିତିକି କିଛି ବ୍ୟବସାୟୀ ହାଟ ଭିତରେ ଜଳଖିଆ ଦୋକାନ ଖୋଲି ଗ୍ରାହକଙ୍କୁ ସେବା ଯୋଗାଉଛନ୍ତି। ଯେଉଁଥିପାଇଁ ନିର୍ଦ୍ଦିଷ୍ଟ କିଛି ସ୍ଥାନରେ ନାହିଁ ନଥିବା ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ସନ୍ଧ୍ୟା ହେବା କ୍ଷଣି ଜଳଖିଆ ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ସ୍ଥିତି ଏମିତି ହେଉଛି ଯେ ପିମ୍ପୁଡ଼ି ଗଳିବାକୁ ବାଟ ନାହିଁ। ଯଦି ଏଭଳି ସମୟରେ ଏକ ନମ୍ବର ହାଟରେ ନିଆଁ ଲାଗିବା ପରି କୌଣସି ଅଘଟଣ ଘଟେ, ତେବେ ହାଟ ଭିତରୁ ବାହାରିବା ଅସମ୍ଭବ ହୋଇପଡ଼ିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ‌ଯେ ସପ୍ତାହକୁ ତିନିଦିନ ଅର୍ଥାତ୍‌ରବିବାର, ମଙ୍ଗଳବାର ଓ ଗୁରୁବାର ବସୁଥିବା ସାପ୍ତାହିକ ହାଟ ଭିତରକୁ ଅଗ୍ନିଶମ ଗାଡ଼ି କିମ୍ବା ଉଦ୍ଧାରକାରୀ ଟିମ୍‌, ଉଦ୍ଧାର କରି ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ପଶିବାକୁ ବାଟ ନାହିଁ। ୨୫୦ରୁ ଅଧିକ ବ୍ୟବସାୟୀ ପିଣ୍ଡି ଓ ଦୋକାନରେ ବସୁଥିବା ବେଳେ କେତେକ ସ୍ଥାନରେ ୫ ଫୁଟ୍‌ରୁ କମ୍‌ଚଉଡ଼ାର ରାସ୍ତା ରହିଛି, ଯେଉଁଠି ଗୋଟିଏ ବାଇକ୍‌ଯିବା ହିଁ କେବଳ ସମ୍ଭବପର ହେଉଛି। 

ନୀଳାଦ୍ରିବିହାରଠାରେ ଥିବା ମା’ ତାରିଣୀ ଦୈନିକ ହାଟ ଅବସ୍ଥା ମଧ୍ୟ ସେଭଳି। ଗୋଟିଏ ସ୍ଥାନରେ ପନିପରିବାଠାରୁ ଗ୍ରୋସରି, ମାଛ, ମାଂସ ଦୋକାନ ରହିଥିବାରୁ ପ୍ରତିଦିନ ଏଠାରେ ହଜାରରୁ ଅଧିକ ଲୋକଙ୍କ ଚଳପ୍ରଚଳ ହେଉଛି। ଜରିପାଲ, ଟାଇଲ୍‌ପକାଇ ବ୍ୟବସାୟୀମାନେ ବେପାର କରୁଥିଲେ ମଧ୍ୟ ସୁରକ୍ଷା ନେଇ ସେଭଳି କୌଣସି ବ୍ୟବସ୍ଥା ହୋଇ ନଥିବା ଦେଖିବାକୁ ମିଳିଛି। ହାଟ ନିକଟକୁ ଦମକଳ ଯିବାରେ କୌଣସି ଅସୁବିଧା ନ ଥିଲେ ମଧ୍ୟ ବଡ଼ ଗାଡ଼ି ପଶିପାରିବ ନାହିଁ। କେବଳ ସେତିକି ନୁହେଁ, ପଟିଆ ସାପ୍ତାହିକ ହାଟରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳୁଛି। ହାଟ ଭିତରେ ଅଗ୍ନିକାଣ୍ଡ ମୁକାବିଲା କିମ୍ବା ଇନ୍ଧନ ବ୍ୟବହାର ସ୍ଥାନରେ ବାଲି, ପାଣି ଓ ନିଆଁଲିଭା ଗ୍ୟାସ୍ ରଖାଯାଉ ନାହିଁ। ଅଗ୍ନିକାଣ୍ଡ ଘଟିଲେ ଅଳ୍ପ ସମୟରେ ହାଟ ସାରା ଜଳିପୋଡ଼ି ଯିବାର ଆଶଙ୍କା ପ୍ରକାଶ ପାଉଛି। ଅଣଓସାରିଆ ରାସ୍ତା ସହ ଆବଶ୍ୟକତା ଠାରୁ ଅଧିକ ଦୋକାନ ଓ ମନଇଛା ଗାଡ଼ିଂ ପାର୍କିଂ, ବିପଦକୁ ଆହୁରି ବଢ଼ାଇ ଦେଉଛି। ତେଣୁ ହାଟଗୁଡ଼ିକୁ ପ୍ରଶାସନ ସୁଚାରୁ ଭାବେ ନିୟନ୍ତ୍ରଣ ଓ ନିର୍ମାଣ କରିବାକୁ ସାଧାରଣ ଲୋକେ ଦାବି କହିଛନ୍ତି।