ଜେଲରେ ଖୋଲିଲା ‘ଗିରିଜା ଜ୍ଞାନ ଭଣ୍ଡାର ମୁକ୍ତ ପାଠାଗାର’, ପୁଅର ସ୍ମୃତିରେ ମାର ଏକ ଛୋଟ ପ୍ରୟାସ

ଭୁବନେଶ୍ବର: ଭୁବନେଶ୍ୱର ସ୍ୱତନ୍ତ୍ର ଝାରପଡ଼ା କାରାଗାରରେ ରହୁଥିବା ଅନ୍ତେବାସୀଙ୍କ ଜୀବନ ସୁଧାର ପାଇଁ ଜେଲ ତରଫରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ତେବାସୀମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ତଥା ନୈତିକ ଚେତନା ଜାଗୃତି ପାଇଁ ଚଣ୍ଡୀପ୍ରସାଦ ଫାଉଣ୍ଡେସନ୍‌ ଟ୍ରଷ୍ଟ ଓ ମାଷ୍ଟର୍‌ ଗିରିଜା ମେମୋରିଆଲ ରୋଡ୍ ସେଫଟି ଟ୍ରଷ୍ଟ ସହାୟତାରେ ‘‘ଗିରିଜା ଜ୍ଞାନଭଣ୍ଡାର’’ ନାମରେ ଏକ ପାଠାଗାର ଖୋଲା ଯାଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏକମାତ୍ର ପୁତ୍ର ସ୍ବର୍ଗତ ଗିରିଜାଙ୍କର ଜନ୍ମଦିନ ଅବସରରେ ମା’ ଅମିୟବାଳା ପରିଡ଼ାଙ୍କର ଏହା ଥିଲା ଏକ ଛୋଟ ପ୍ରୟାସ। ଟ୍ରଷ୍ଟ ତରଫରୁ ପାଠାଗାରକୁ ପ୍ରବନ୍ଧ, ଗଳ୍ପ, କବିତା, ଗୀତା, ଭାଗବତ, ରାମାୟଣ ଆଦି ଆଧ୍ୟାତ୍ମିକ ତଥା ନୈତିକ ପୁସ୍ତକ ସହିତ ବିଭିନ୍ନ ପତ୍ରପତ୍ରିକା ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ଅଧିକରୁ ଅଧିକ ଉପାଦେୟ ପୁସ୍ତକ ଯୋଗାଇ ଦିଆଯିବା ସହ ଓଡ଼ିଶାର ସମସ୍ତ କାରାଗାରରେ ଖୁବ୍‌ଶୀଘ୍ର ଗିରିଜା ପାଠାଗାର ଖୋଲାଯିବ ବୋଲି ସ୍ବର୍ଗତ ଗିରିଜାଙ୍କ ମା’ ତଥା ଟ୍ରଷ୍ଟର ଅଧ୍ୟକ୍ଷା ଅମୀୟବାଳା ପରିଡା ପ୍ରତିଶ୍ରୁତି ଦେଇଥିଲେ।

ପ୍ରକାଶ ଥାଉକି, ଏହା ପୂର୍ବରୁ ଚୌଦ୍ୱାର ମଣ୍ଡଳ କାରାଗାରରେ ମଧ୍ୟ ଗିରିଜା ପାଠାଗାର ଉନ୍ମୋଚିତ ହୋଇସାରିଛି। ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ, ଜେଲ୍‌ର ସନ୍ତୋଷିନୀ ଦାସ, ମଧୁରମୟୀ ଆଶ୍ରମ ଅଧିକାରୀ ନିରୋଜାଲକ୍ଷ୍ମୀ ମହାପାତ୍ର, ରାଜ୍ୟ ପରିବାର କଲ୍ୟାଣ ପରାମର୍ଶଦାତା ନରୋତ୍ତମ ଦାସ, ଟ୍ରଷ୍ଟର ନିର୍ଦ୍ଦେଶକ ମଳୟ ରାଉତରାୟ, ଆକାଶ ମୁନି, ରୋଟାରିଆନ୍‌ ମମତା ବାଜପେୟୀ, ସମାଜସେବୀ ସୋନାଲି ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଟ୍ରଷ୍ଟର ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଅବସରରେ ସ୍ବର୍ଗତ ଗିରିଜାଙ୍କ ଜନ୍ମଦିନ ଉପଲକ୍ଷେ ମଧୁରମୟୀ ଆଶ୍ରମର ଅନ୍ତେବାସୀମାନଙ୍କ ସହିତ ବସ୍ତ୍ରଦାନ ତଥା ଅନ୍ନଦାନ ଉତ୍ସବ ପାଳନ କରାଯାଇଥିଲା।

ସମ୍ବନ୍ଧିତ ଖବର