ଉଦ୍‌ଘାଟନୀ ଉପବନ ଉଦ୍‌ଘାଟିତ: ‘ସବୁଜ ଓୟୁଏଟି ଅଭିଯାନ’ ରେ ସମ୍ବାଦ ସାହିତ୍ୟଘର

୫ ହଜାରରୁ ଊର୍ଧ୍ବ ଗଛ ଲଗାଇବା ପାଇଁ ଲକ୍ଷ୍ୟ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ପରିସରକୁ ସବୁଜ, ସୁନ୍ଦର କରିବା ସହିତ ଜଳବାୟୁ ପରିବର୍ତ୍ତନ ବିରୋଧରେ ବାର୍ତ୍ତା ପ୍ରଦାନର ଲକ୍ଷ୍ୟ ରଖି ‘ସମ୍ବାଦ ସାହିତ୍ୟ ଘର’ ଓ ‘ସିଟି ଫରେଷ୍ଟ ଡିଭିଜନ’ ପ୍ରୟାସ ଆରମ୍ଭ କରିଛି। ୫ ହଜାରରୁ ଊର୍ଧ୍ବ ଗଛ ଲଗାଇ ‘ସବୁଜ ଓୟୁଏଟି’ ପ୍ରତିଷ୍ଠା ପାଇଁ ଅଭିଯାନ ଆରମ୍ଭ କରିସାରିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ। ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଥମ କରି ଏକକାଳୀନ ଏତେ ପରିମାଣରେ ଗଛ ଲଗାଯାଉଛି। ଶନିବାର ପୂର୍ବାହ୍ନ ସାଢ଼େ ୯ଟାରେ କୃଷି ବିଶ୍ବବିଦ୍ୟାଳୟ ପରିସରରେ ନୂତନ ଭାବରେ ନିର୍ମାଣ କରାଯାଇଥିବା ଉଦ୍‌ଘାଟନୀ ଉପବନରେ ଚାରା ରୋପଣ କରି ସବୁଜ ଓୟୁଏଟି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଏହି ଅବସରରେ କୁଳପତି ପ୍ରଫେସର ପ୍ରଭାତ ରାଉଳ, ଡିଏଫ୍‌ଓ ଅଜିତ ଶତପଥୀ, କୃଷି ଏବଂ ବନ ବିଜ୍ଞାନ କଲେଜ ଡିନ୍‌ ହୃଷୀକେଶ ପାତ୍ର, ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ବିଜ୍ଞାନ କଲେଜ କୁଳସଚିବ ଲୋପାମୁଦ୍ରା ମହାନ୍ତି ପ୍ରମୁଖ ଚାରା ପୋତି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଓୟୁଏଟି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଜୁଲାଇ ପ୍ରଥମ ସପ୍ତାହରୁ ଅଶୋକ, ଅର୍ଜୁନ, କରଞ୍ଜ, ନିମ ଭଳି ମୂଲ୍ୟବାନ ଗଛ ଲଗାଇ ଏହି ଅଭିଯାନର ଆରମ୍ଭ ହୋଇଥିଲା। ଏହାକୁ ଆଜି ବିଧିବଦ୍ଧ ଭାବରେ ଉଦ୍‌ଘାଟନ କରାଯାଇଛି। ବୈଷୟିକ କୃଷି ଫାର୍ମ ପରିସରରେ ୩ ହଜାର, ଆଗ୍ରୋନୋମି କ୍ଷେତ୍ରରେ ୫୭୦, ପ୍ରାଣୀଧନ ଫାର୍ମରେ ୮୦୦, ଗୋଲ୍‌ଡେନ୍‌ ଜୁବ୍‌ଲି ମହିଳା ଛାତ୍ରାବାସରେ ୧୫୦, ସିପିଜିଏସ୍‌ କଲେଜରେ ୫୦ ଗଛ ଲଗାଇବା ପାଇଁ ଲକ୍ଷ୍ୟ ରହିଛି। ଏଥିପାଇଁ ସମ୍ବାଦ ସାହିତ୍ୟଘର ପକ୍ଷରୁ ଓୟୁଏଟିକୁ ବିଭିନ୍ନ କିସମର ମୂଲ୍ୟବାନ ୩୦୦ ଚାରା ଦିଆଯାଇଛି। ଭୁବନେଶ୍ବର ପରିସର ସହିତ ଅନ୍ୟ ଜିଲ୍ଲାମାନଙ୍କରେ କ୍ୟାମ୍ପସଗୁଡ଼ିକରେ ବି ବୃକ୍ଷରୋପଣ କରାଯାଉଛି।

ଆଜିର କାର୍ଯ୍ୟକ୍ରମରେ ସମ୍ବାଦ ସିଜିଏମ୍‌(ନ୍ୟୁଜ୍‌) ଅରବିନ୍ଦ ଦାସ, ବିଭିନ୍ନ ବିଭାଗର ଓୟୁଏଟି ଡିନ୍‌ ଡ. ବିଜୟ ବେହେରା, ଡ. ବିଜୟ ମହାପାତ୍ର, ଡ. ପ୍ରସନ୍ନଜିତ ମିଶ୍ର, ଡ. ସଂଗ୍ରାମ କେଶରୀ ସ୍ବାଇଁ, ପ୍ରଫେସର ସୁଶେନ ପଣ୍ଡା, ପ୍ରଫେସର ସଞ୍ଜୟ ଦାସ, ପ୍ରଫେସର ନନ୍ଦିତା ସ୍ବାଇଁ, ବିଭିନ୍ନ ବିଭାଗର ଅଧ୍ୟାପକ ତନ୍ମୟ ଲଳିତେନ୍ଦୁ ମହାନ୍ତି, ପ୍ରଫେସର ଦେବରାଜ ଲେଙ୍କା, ଆଲୋକ ପାତ୍ର, ସୁବାସ ମହାପାତ୍ର, ରବି ରତନ ଦାସ, ଅରବିନ୍ଦ ଧଳ, ଡ. ଜୟନ୍ତ ମହାଳିକ, ନିରଞ୍ଜନ ଚିନାରା, ଡ. ସନତ ଦ୍ବିବେଦୀ, ଡ. ଦେବାଶିଷ ସ୍ବାଇଁ, ଡ. ସ୍ମିତା ନାୟାର, ସସ୍ମିତା ବେହେରା, ଦେବପ୍ରସାଦ ମଲ୍ଲିକ, ବିଳାସ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ବନ ମହାବିଦ୍ୟାଳୟ ବିଦ୍ୟାର୍ଥୀ ତୁଷାର ପାତ୍ର, ଶୁଭଶ୍ରୀ ବେହେରା, ଶାଶ୍ବତି ସାହୁ, ସୋନି ରେଡ୍ଡୀ, ଉତ୍କଳିକା ହୋତା, ବିଶ୍ବାସ ଠାକୁର, ଶ୍ରୀତମ ତାଣ୍ଡି ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ସୂଚନା ଅନୁଯାୟୀ, ବର୍ତ୍ତମାନ ଓୟୁଏଟି ଭୁବନେଶ୍ବରରେ ଯେତେ କାର୍ଯ୍ୟକ୍ରମର ଉଦ୍‌ଘାଟନ ହେବ, ଏହାର ସ୍ମାରକ ସ୍ବରୂପ ଚାରା ଉଦ୍‌ଘାଟନୀ ଉପବନରେ ଲଗାଯିବ। ସେଥିପାଇଁ ଏହାର ନିର୍ମାଣ କରାଯାଇଛି ବୋଲି ଡିନ୍‌ ପ୍ରଫେସର ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର