ଭୁବନେଶ୍ୱର: ରାଜସ୍ଥାନର ରାଜବାଟୀ ସାଧାରଣତଃ ରାଜା ମହାରାଜଙ୍କ ଇତିହାସ ଓ ବୀରତ୍ୱର କାହାଣୀ ବର୍ଣ୍ଣନା କରିଥାଏ। ହେଲେ ଚଳିତ ବର୍ଷ ଚକେଇସିଆଣିରେ ଏହି ରାଜବାଟୀ ମା’ ଦୁର୍ଗତିନାଶିନୀଙ୍କ ଅଧର୍ମ ଉପରେ ଧର୍ମର ବିଜୟକୁ ବର୍ଣ୍ଣନା କରିବ। ମା’ଙ୍କର ୧୨ ଫୁଟ ଉଚ୍ଚର ମୃଣ୍ମୟୀ ମୂର୍ତ୍ତି ସହ ୧୫ ଫୁଟର ମେଢ଼ ଶୋଭା ପାଇବ। ମା’ ଓ ପାର୍ଶ୍ୱ ଦେବଦେବୀ ଚାନ୍ଦି ଅଳଙ୍କାର ପିନ୍ଧିବେ। ଚଳିତ ବର୍ଷ ଚକେଇସିଆଣି ଦୁର୍ଗାପୂଜା ସମିତି ଏହାର ରୌପ୍ୟଜୟନ୍ତୀ ପାଳନ ଅବସରରେ ଭକ୍ତମାନଙ୍କୁ ନିଶା ନିବାରଣ ଉପରେ ବାର୍ତ୍ତା ପ୍ରଦାନ କରିବ। ପୋଷ୍ଟର ମାରି ମାଦକ ଦ୍ରବ୍ୟ ସେବନ ନ କରିବାକୁ ସଚେତନ କରାଯିବ। ଏଥିସହିତ ପ୍ଲାଷ୍ଟିକ୍‌ ଦ୍ରବ୍ୟ ବ୍ୟବହାର ନକରିବା ପାଇଁ ମଧ୍ୟ ସଚେତନ କରାଯିବ। 

Advertisment

ଚଳିତ ବର୍ଷର ବଜେଟ୍‌ ୨୮ ଲକ୍ଷ ଟଙ୍କା ରହିଛି। ରାଜସ୍ଥାନ ରାଜବାଟୀ ତୋରଣର ଉଚ୍ଚତା ୬୫ ଫୁଟ ରହିଥିବା ବେଳେ ଓସାର ୫୫ ଫୁଟ ରହିବ। ପୂଜା ପାଇଁ ଅଞ୍ଚଳର ଛଅଟି ଲାଇଟ୍ ଗେଟ୍ ମଧ୍ୟ ଲଗାଯିବ। ଚକେଇସିଆଣି ଦୁର୍ଗାପୂଜା ମଣ୍ଡପଠାରୁ ହାଇସ୍କୁଲ ଛକ ଓ ମଞ୍ଚେଶ୍ୱର ପର୍ଯ୍ୟନ୍ତ ପାଖାପାଖି ସାଢ଼େ ୫ କିଲୋମିଟର ରାସ୍ତାକୁ ରଙ୍ଗୀନ ଆଲୋକମାଳାରେ ସଜାଯିବ। ଷଷ୍ଠିଠାରୁ ଦଶମୀ ପର୍ଯ୍ୟନ୍ତ ନୃତ୍ୟ ଓ ମେଲୋଡି କାର୍ଯ୍ୟକ୍ରମ ରହିଛି। ମହାଷ୍ଟମୀରେ ତିନି ହଜାର ଭକ୍ତ ପାଇଁ ପଣା ପ୍ରସ୍ତୁତ କରାଯିବ। ନବମୀରେ ପାଞ୍ଚ ହଜାର ଲୋକଙ୍କ ପାଇଁ ଖେଚୁଡ଼ି ଡାଲମା କରାଯିବ। ସେହିପରି ଦଶମୀରେ ମା’ଙ୍କ ପାଖରେ ଦହି ପଖାଳ ଭୋଗ ହେବ। ସିଂହ ବାଜା, ପଞ୍ଜାବୀ ବାଜା, ଘଣ୍ଟୁଆ ପରି ପାରମ୍ପରିକ ବାଦ୍ୟରେ ମା’ଙ୍କୁ ମେଲାଣି ଦିଆଯିବ। ପୂଜା ବୁଲିବା ପାଇଁ ଦିବ୍ୟାଙ୍ଗ ଓ ବୟସ୍କଙ୍କ ନିମନ୍ତେ ସ୍ବତନ୍ତ୍ର ହ୍ବିଲ୍‌ଚେୟାର୍‌ର ବ୍ୟବସ୍ଥା ରହିବ। ମହିଳାଙ୍କ ସୁରକ୍ଷା ଓ ସୁବିଧା ପାଇଁ ମହିଳା ସ୍ବେଚ୍ଛାସେବୀ ନିୟୋଜିତ ହେବେ। ପୂଜାମଣ୍ଡପର ସୁରକ୍ଷା ପାଇଁ ୬୦ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ୧୧ଟି ସିସିଟିଭି କ୍ୟାମେରା ଲାଗିବ। 

ପୂଜାରେ ଶୃଙ୍ଖଳା ଓ ନିଶା ନିବାରଣକୁ ଗୁରୁତ୍ୱ

ପୂଜାରେ ନିଶା ନିବାରଣ ଓ ଶୃଙ୍ଖଳାକୁ ଗୁରୁତ୍ୱ ଦିଆଯିବ। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱେଚ୍ଛାସେବୀଙ୍କ ସମେତ ସିସିଟିଭି କ୍ୟାମେରା ଲଗାଯାଇଛି। ସବୁ ଭକ୍ତ ଭଲରେ ମା’ଙ୍କୁ ଦର୍ଶନ କରିବେ ଏହା ହିଁ କାମନା।

ଚୈତନ୍ୟ ଚରଣ ଦାସ, ସଭାପତି 

ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ

ଚଳିତ ବର୍ଷ ଆମ ପୂଜା ମଣ୍ଡପ ଏହାର ରୌପ୍ୟ ଜୟନ୍ତୀ ପାଳନ କରୁଛି। ୨୦୦୧ ମସିହାରେ ମସିହାରେ ଅଳ୍ପ କିଛି ସଦସ୍ୟରୁ ଆରମ୍ଭ ହୋଇଥିବା ଏହି ପୂଜା ମଣ୍ଡପରେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ପାଖାପାଖି ୧୫୦ ହେଲାଣି। ଚଳିତ ବର୍ଷ ଭକ୍ତଙ୍କ ପାଇଁ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ହେବ। ଏତଦ୍‌ବ୍ୟତୀତ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ। 

ଦାଶରଥି ରାଉତ, ସମ୍ପାଦକ