ଓଡ଼ିଆ ସମ୍ବାଦପତ୍ର ସ୍ବାଧୀନତା ସଂଗ୍ରାମୀଙ୍କୁ ପ୍ରେରଣା ଦେଉଥିଲା

ଭୁବନେଶ୍ୱର: ଓଡ଼ିଶା ସମ୍ବାଦପତ୍ର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ପ୍ରେରଣା ଦେଉଥିଲା। ରାଜ୍ୟ ଅଭିଲେଖାଗାରର ୫୪ତମ ସ୍ୱତନ୍ତ୍ର ସଂସ୍କୃତି ଚର୍ଚ୍ଚା ସମ୍ପାନ ୭୫ତମ ଆଜାଦୀ କା ଅମୃତ ମହୋତ୍ସବରେ ଅନୁଷ୍ଠିତ ‘ସ୍ବାଧୀନତା ସଂଗ୍ରାମରେ ଓଡ଼ିଶା ସମ୍ବାଦପତ୍ରମାନଙ୍କ ଭୂମିକା’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଏହା କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଲେ ଯେ ମୁକ୍ତି ସଂଗ୍ରାମକୁ ଶାଣିତ ଓ ଶକ୍ତିଶାଳୀ କରିବା କ୍ଷେତ୍ରରେ ସମ୍ବାଦପତ୍ର ପ୍ରମୁଖ ଅସ୍ତ୍ର ରୂପେ ଦାୟିତ୍ବ ସଂପାଦନ କରିଥିଲେ। ସ୍ବାଧୀନତା ସଂଗ୍ରାମର ଟିକିନିଖି ଖବର ରାଜ୍ୟର ପୂରପଲ୍ଲୀରେ ପହଞ୍ଚାଇବା ସଙ୍ଗେ ସଙ୍ଗେ ସଂଗ୍ରାମୀଙ୍କୁ ପ୍ରେରଣା ଯୋଗାଇବାରେ ଓଡ଼ିଆ ସମ୍ବାଦପତ୍ର ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। କେତେକ ନିର୍ଦ୍ଦିଷ୍ଟ ଓଡ଼ିଆ ସମ୍ବାଦପତ୍ର ନିର୍ଭୀକ ଭାବରେ ଲେଖନୀ ଚାଳନା କରି ଇଂରେଜ ସରକାରର କ୍ରୋଧର ଶିକାର ହେବା ସଙ୍ଗେ ସଙ୍ଗେ ଦଣ୍ଡିତ ହୋଇଥିଲେ ବୋଲି ସେ କହିଥିଲେ।

ସମ୍ପାନରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିସନର ତଥା ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ଓ ସଭାପତି ଭାବେ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ଯୋଗଦେଇ ସ୍ବାଧୀନତା ସଂଗ୍ରାମରେ ଜାତୀୟତାବାଦ ସୃଷ୍ଟି କରିଥିବା ବିଭିନ୍ନ ଓଡ଼ିଆ ସମ୍ବାଦପତ୍ର ବାବଦରେ ବିସ୍ତୃତ ଆଲୋଚନା କରିଥିଲେ। ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଭିଲେଖାଗାରର ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର