ଓୟୁଏଟି ଫରେଷ୍ଟ୍ରି ଛାତ୍ରଙ୍କ ଆନ୍ଦୋଳନ ପଞ୍ଚମ ଦିନରେ, ଜୋତା ପଲିସ୍ ପରେ ରାସ୍ତାରେ ଝାଡ଼ୁ ମାରି‌ଲେ

ଭୁବନେଶ୍ବର: ଫରେଷ୍ଟ୍ରି ପାଠ୍ୟକ୍ରମ ଉପରେ ୪ ବର୍ଷିଆ ଡିଗ୍ରି କରିଥିବା ପିଲାଙ୍କୁ ଫରେଷ୍ଟ୍ରି ବିଭାଗ ଅନ୍ତର୍ଗତ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଦେବା ଦ‌‌ାବି କରି ଓୟୁଏଟି ବିଶ୍ବବିଦ୍ୟାଳୟର ଫରେଷ୍ଟ୍ରି ବିଭାଗର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି। ଗତକାଲି ଜୋତା ‌ପଲିସ୍‌ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିବା ଛାତ୍ରଛାତ୍ରୀମାନେ ଆଜି ରାସ୍ତାରେ ଝାଡ଼ୁ ମାରି ଭିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଫରେଷ୍ଟ୍ରି ବିଭାଗର ଅନ୍ତତଃ ଫରେଷ୍ଟ ରେଞ୍ଜ୍ ଅଫିସର୍, ଆସିଷ୍ଟାଣ୍ଟ କଞ୍ଜରଭେଟର ଅଫ୍ ଫରେଷ୍ଟ୍ସ, ଆସିଷ୍ଟାଣ୍ଟ ମ୍ୟାନେଜର ଅଫ୍ ଓଏଫ୍‌ଡିସି, ଜୁନିଅର ମ୍ୟାନେଜର ଅଫ୍ ଓଏଫ୍‌ଡିସି ପ୍ରମୁଖ ପଦବୀ ପାଇଁ ଏହି ନିୟମ ଲାଗୁ ହେଉ ବୋଲି ଦାବି କରିଥିଲେ।

ଚଳିତ ସପ୍ତାହ ସୋମବାରଠାରୁ ଆନ୍ଦୋଳନ ଆରମ୍ଭ କରିଥିବା ପିଲାମାନେ କଲେଜ୍ ସମ୍ମୁଖରେ ଧାରଣାରେ ବସିବା ସହିତ ବିଭିନ୍ନ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ। ଦ୍ବିତୀୟ ଦିନରୁ ଆନ୍ଦୋଳନକୁ ତୀବ୍ର କରିବାକୁ ଯାଇ ଭିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଅଭିନବ ଉପାୟରେ ପ୍ରତିବାଦ ଓ ବିକ୍ଷୋଭ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର