ଓୟୁଏଟିର ହୀରକ ଜୟନ୍ତୀ ଉତ୍ସବ ଉଦ୍‌ଘାଟିତ: ଚାଷୀ ଜ୍ଞାନକୌଶଳର ଅଧିକାରୀ ହେଲେ ବିଶ୍ବ କ୍ଷୁଧାମୁକ୍ତ ହେବ

ଖଣ୍ଡଗିରି: ସରକାର କୃଷି ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକାଶ କରିବାକୁ ବଦ୍ଧପରିକର। କିନ୍ତୁ ଅତ୍ୟାଧୁନିକ ଜ୍ଞାନକୌଶଳ କୃଷକ ନିକଟରେ ପହଞ୍ଚାଇବାକୁ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ନିରନ୍ତର ଉଦ୍ୟମ ଲୋଡ଼ା। କାରଣ ବିଶ୍ବକୁ କ୍ଷୁଧାମୁକ୍ତ କରିବାକୁ ହେଲେ କୃଷକକୁ ଅତ୍ୟାଧୁନିକ ଜ୍ଞାନକୌଶଳର ଅଧିକାରୀ କରାଇବାକୁ ପଡ଼ିବ। ଏଥିପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟା‌ଳୟ(ଓୟୁଏଟି)କୁ ଭାରତର ଶ୍ରେଷ୍ଠ ୫ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନିତ କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ତେଣୁ ସରକାର ୨୨୦ କୋଟି ଟଙ୍କା ବିନିଯୋଗ କରି ଏହି ବିଶ୍ବବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଜି ଓୟୁଏଟିର ୬୦ତମ ପ୍ରତିଷ୍ଠା ଦିବସ ତଥା ହୀରକ ଜୟନ୍ତୀ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ ଏହା କହିଛନ୍ତି।

ସେ କହିଥିଲେ ଯେ ବାଳକ ଆବାସ ଓ କୃଷକ ଆବାସ ନିର୍ମାଣ ପାଇଁ ସରକାର ୧୦୪ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଏହା ତୃଣମୂଳସ୍ତରରେ କୃଷି ଜ୍ଞାନକୌଶଳକୁ ପହଞ୍ଚାଇବ। ଅଧ୍ୟାପକମାନଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ ଗବେଷଣାଲବ୍‌ଧ ତଥ୍ୟକୁ ସାମାଜିକ ଗଣମାଧ୍ୟମରେ ପ୍ରସାର କଲେ କୃଷକମାନେ ଉପକୃତ ହେବେ। ସେହିଭଳି ଓୟୁଏଟିର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ‘ମୋ କଲେଜ’ ଯୋଜନା ବାବଦରେ ସୂଚନା ଦେଇ ସେମାନଙ୍କ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ତଥା ଭାରତ ସରକାରଙ୍କ ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ସଚିବ ଡ. ରେଣୁ ସ୍ବରୂପ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇ ଓୟୁଏଟିର ଗବେଷଣା ଭିତ୍ତିଭୂମି ତଥା ସଂପ୍ରସାରଣ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ। ୨୦୩୦ ମସିହା ସୁଦ୍ଧା ଭାରତକୁ ଦାରିଦ୍ର୍ୟ ଓ କ୍ଷୁଧାରୁ ମୁକ୍ତ କରିବା ପାଇଁ ଏକ ନୂତନ କୃଷି ବିପ୍ଳବ ଜରୁରୀ। କୃଷକମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ବାରା ମଜଭୁତ କରାଇବା ଏକାନ୍ତ ଆବଶ୍ୟକ ବୋଲି ସେ କହିଥିଲେ। ଗବେଷକ, କୃଷି ଉଦ୍ୟୋଗୀ ଏବଂ କୃଷି ଶିଳ୍ପ ମଧ୍ୟରେ ଏକ ନୂତନ ଯୋଗସୂତ୍ର ସ୍ଥାପନ ପାଇଁ ପ୍ରୟାସ କରିବା ଆବଶ୍ୟକ ବୋଲି ସେ ଦର୍ଶାଇଥିଲେ।

କୁଳପତି ଡ. ପୱନ କୁମାର ଅଗ୍ରୱାଲ୍‌ଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଅଗ୍ରୱାଲ ତାଙ୍କ ଅଭିଭାଷଣରେ ବିଶ୍ବବିଦ୍ୟାଳୟର ଶିକ୍ଷା, ଗବେଷଣା ଏବଂ ସଂପ୍ରସାରଣ କାର୍ଯ୍ୟକ୍ରମର ବିବରଣୀ ଦେଇଥିଲେ। ଏହି ଅବସରରେ ଓୟୁଏଟି ଦ୍ବାରା ପ୍ରତିଷ୍ଠା କରାଯାଇଥିବା ‘କୃଷି କଳିଙ୍ଗ ଅଭିନବୀକରଣ ପରିଷଦ’ର ଗଠନ ଓ ଏହାର କାର୍ଯ୍ୟକ୍ରମ ଉପରେ କୁଳପତି ଡ. ଅଗ୍ରୱାଲ୍ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ପାରିତୋଷ ବିଶ୍ବାସ, ବସନ୍ତ ସାହୁ, ଗଗନ ବିହାରୀ ମାହୁନ୍ତ, ରାଜକିଶୋର ଗିରିଙ୍କୁ ଶ୍ରେଷ୍ଠ କୃଷକ, ପ୍ରଦୀପ ନାୟକ, ଉଷାରାଣୀ ନାୟକ, ଡ. ପ୍ରଭାସିନୀ ବେହେରାଙ୍କୁ ଶ୍ରେଷ୍ଠ କୃଷି ଉଦ୍ୟୋଗୀ ଏବଂ ଡ. ଭରତ ଚନ୍ଦ୍ର ସାହୁ, ଡ. ଲିପିସ୍ମିତା ସାହୁ, ଡ. ଜ୍ୟୋତିର୍ମୟୀ ଉଦ୍‌ଗାତା, ଡ. ସଞ୍ଜୟ ମହାନ୍ତିଙ୍କୁ ଶ୍ରେଷ୍ଠ ଶିକ୍ଷକ, ଶ୍ରେଷ୍ଠ ଗବେଷକ, ଶ୍ରେଷ୍ଠ ମହିଳା ବୈଜ୍ଞାନିକ, ଶ୍ରେଷ୍ଠ ସଂପ୍ରସାରଣ ବୈଜ୍ଞାନିକ ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା। କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କୁମ୍ଭକର୍ଣ୍ଣ ରାଉତ ସ୍ବାଗତ ଭାଷଣ ଓ କୁଳସଚିବ ଲୋପାମୁଦ୍ରା ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର