ଭୁବନେଶ୍ୱର: ଦୁଇ ଦିନ ଧରି ଭଞ୍ଜକଳା ମଣ୍ଡପରେ ଚାଲିଥିବା ଅଷ୍ଟମ ଆଉଟରିଚ୍ ଅନ୍ତର୍ଜାତୀୟ ରେଡିଓ ମେଳା ଆଜି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ, ବିଶିଷ୍ଟ ରେଡିଓ ବ୍ୟକ୍ତିତ୍ବ ଆର୍.ଜେ ପ୍ରବୀଣ, ଆଉଟ୍ରିଚ୍ର ମୁଖ୍ୟ ସୁବ୍ରତ ପତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅମ୍ରିତା ନାୟକଙ୍କୁ ଉପେନ୍ଦ୍ର କୁମାର ପାହାଡ଼ସିଂହ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଦୀପକ ସାମନ୍ତରାୟଙ୍କୁ ନଦିଆ ବିହାରୀ ମହାନ୍ତି ସ୍ମୃତି ସମ୍ମାନ ଏବଂ ଆର୍.ଜେ ସ୍ମୃତି, ଆର୍.ଜେ ପଦ୍ମ, ଆର୍.ଜେ ଅଭିରାମ, ଆର୍.ଜେ ଜୟଦେବଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା। କିଂବଦନ୍ତି ରେଡିଓ ବ୍ୟକ୍ତିତ୍ବ ଉପେନ୍ଦ୍ର ପାହାଡ଼ସିଂହଙ୍କ ଜୀବନ କାହାଣୀକୁ ନେଇ ଏକ ବୁକ୍ଲେଟ୍ ଉନ୍ମୋଚିତ ହୋଇଥିଲା।
ଅମ୍ରିତା ନାୟକଙ୍କୁ ଉପେନ୍ଦ୍ର କୁମାର ପାହାଡ଼ସିଂହ ସ୍ମୃତି ସମ୍ମାନ
ଦୀପକ ସାମନ୍ତରାୟଙ୍କୁ ନଦିଆ ବିହାରୀ ମହାନ୍ତି ସ୍ମୃତି ସମ୍ମାନ
ସନ୍ଧ୍ୟାରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସମିତି(ଓସଡମା) ପକ୍ଷରୁ ଓଡ୍ରାଫ୍ ଓ ହାମ୍ ରେଡିଓ ଅପରେଟର୍ମାନଙ୍କ ସହାୟତାରେ ଏକ ଷ୍ଟଲ୍ ଖୋଲାଯାଇଥିଲା। ବିଭିନ୍ନ ରାଜ୍ୟର ଲାଇସେନ୍ସପ୍ରାପ୍ତ ହାମ୍ ରେଡିଓ ଅପରେଟର୍ମାନଙ୍କ ଦ୍ବାରା ହାମ୍ ରେଡିଓ ସମେତ ଏମର୍ଜେନ୍ସି ରେଡିଓର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ପ୍ରଦର୍ଶନୀରେ ୪୦ଟି ଷ୍ଟଲ୍ରେ ୪ହଜାରରୁ ଊର୍ଧ୍ବ ପୁରୁଣା ରେଡିଓ ପ୍ରଦର୍ଶିତ ହୋଇଥିବା ବେଳେ ଲୋକଙ୍କୁ ସୁଲଭ ମୂଲ୍ୟରେ ରେଡିଓ ସେଟ୍ ବିକ୍ରି କରାଯାଇଥିଲା। ଏହାବ୍ୟତୀତ ଏକ ଫୁଡ୍କୋର୍ଟ, କମିସନରେଟ୍ ପୁଲିସ ପକ୍ଷରୁ ପୁଲିସ କମ୍ୟୁନିକେସନ୍ ଷ୍ଟଲ୍ ଖୋଲା ଯାଇଥିଲା। ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଟେଲିସ୍କୋପ୍ ଜରିଆରେ ସନ୍ଧ୍ୟା ଆକାଶ ଦେଖିବାର ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ମେଳାରେ ଏକ ଶ୍ରୋତା ସମ୍ମିଳନୀ କରାଯାଇଛି। ରେଡିଓରେ କ୍ୟାରିୟର କରିବାକୁ ଚାହୁଥିବା ୧୦୦ଜଣ ଛାତ୍ରଛାତ୍ରୀ ଏହି ଶିବିରରେ ପ୍ରଶିକ୍ଷଣ ନେଇଛନ୍ତି।
ପୁରୁଣା ସଙ୍ଗୀତ ପ୍ରେମରେ କଳାଚାନ୍ଦ
ଅନ୍ତର୍ଜାତୀୟ ରେଡିଓ ମେଳାକୁ ପ୍ରଥମଥର ଆସିଥିଲେ ରାଜକନିକା ହାଟସାହିରୁ କଳାଚାନ୍ଦ ବେଉରିଆ। ସେ ହେଉଛନ୍ତି ପ୍ରଖ୍ୟାତ ଭଜନ ଗାୟକ ଭିକାରୀ ବଳଙ୍କ ପୁତୁରା। ସେ ୧୯୩୬ ମସିହାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ବହୁ ଓଡ଼ିଆ, ହିନ୍ଦୀ, ଇଂରାଜୀ ଭାଷା ସମେତ ବହୁ ଭାଷାରେ ଗୀତମାନଙ୍କର ବିଭିନ୍ନ ଆଲବମ, ଫିଲ୍ମ ଗୀତର କ୍ୟାସେଟ, ପ୍ରୋଜେକ୍ଟର ରିଲ, ବ୍ଲୁ ରେ, ରସିଆନ ରେକର୍ଡ, ସ୍ପୁନ ରେକର୍ଡ, ଗ୍ରାମଫୋନ ଇତ୍ୟାଦି ତାଙ୍କ ଷ୍ଟଲରେ ପ୍ରଦର୍ଶିତ କରିଥିଲେ। ଲୋକମାନେ ମଧ୍ୟ ତାଙ୍କ ଷ୍ଟଲ ପାଖରେ ଘଡ଼ିଏ ଛିଡ଼ା ହୋଇ ନିଜ ମନ ପସନ୍ଦର ପୁରୁଣା ଲୋକପ୍ରିୟ ସଂଗୀତ ବରାଦ ଦେଇ ଶୁଣୁଥିଲେ। ଏହାସହ କଳାଚାନ୍ଦ କ୍ୟାସେଟ୍ ସହ ପୁରୁଣା ମୁଦ୍ରା, ନୋଟ୍ ଆଦି ସଂଗ୍ରହାଳୟ ନିଜ ଘରେ ରଖିଛନ୍ତି। ସେ କହିଛନ୍ତି, ତାଙ୍କ ପାଖରେ ପ୍ରାୟ ୨୫ହଜାରରୁ ଊର୍ଧ୍ବ ବିଭିନ୍ନ ଭାଷାର କ୍ୟାସେଟ୍ ରହିଥିବା ବେଳେ ୧୩ହଜାରରୁ ଅଧିକ ଓଡ଼ିଆ ସଂଗୀତ କ୍ୟାସେଟ୍ ରଖିଛନ୍ତି।