ଭୁବନେଶ୍ବର: ଏଣିକି ବାର୍ ମାଲିକ ବାର୍ରେ ମନଇଚ୍ଛା ବାଉନ୍ସର୍ ରଖିପାରିବେ ନାହିଁ। ବାଉନ୍ସର୍ଙ୍କୁ ନିଯୁକ୍ତି ଦେବା ପୂର୍ବରୁ ସେମାନଙ୍କ ଚରିତ୍ର ଏବଂ ପୂର୍ବ ଆପରାଧିକ କାର୍ଯ୍ୟକଳାପ ଦିଗ ଉପରେ ଗୁରୁତ୍ବ ଦେବେ। ପୂର୍ବରୁ ସେମାନଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ରହିଛି ନା ନାହିଁ, ସେ ଦିଗକୁ ଯାଞ୍ଚ କରିବେ। ଯେଉଁ ବାଉନ୍ସରଙ୍କୁ ବାର୍ରେ ନିଯୁକ୍ତି ଦିଆଯିବ, ସେମାନଙ୍କ ସମସ୍ତ ତଥ୍ୟକୁ ବାର୍ ମାଲିକ ସ୍ଥାନୀୟ ଥାନାରେ ଦାଖଲ କରିବେ। କେବଳ ପିଏସ୍ଏଆର୍ଏ (ଘରୋଇ ସୁରକ୍ଷା ସଂସ୍ଥା ନିୟମ) ଦ୍ବାରା ପଞ୍ଜୀକୃତ ସଂସ୍ଥାର ବାଉନ୍ସରଙ୍କୁ ବାର୍ରେ ନିୟୋଜିତ କରାଯିବ। ବାର୍ରେ ନିଯୁକ୍ତ ବାଉନ୍ସରମାନେ ଆଇନ୍ ମୁତାବକ କାମ କରିବେ। ଅପ୍ରୀତିକର ପରିସ୍ଥିତି ବା କୌଣସି ପ୍ରକାର ସମସ୍ୟା ଉପୁଜିଲେ, ସେମାନେ ୧୧୨ରେ ଫୋନ୍ କରି ଅଭିଯୋଗ କରିବେ। କୌଣସି ପରିସ୍ଥିତିରେ ଗ୍ରାହକଙ୍କ କଥାରେ ମୁଣ୍ଡ ପୂରାଇବେ ନାହିଁ କି ଆଇନକୁ ହାତକୁ ନେବେ ନାହିଁ। ଏହି ନିୟମ ଚଳିତ ମାସ ୨ ତାରିଖରୁ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଆସନ୍ତା ୨ ମାସ ପାଇଁ ଲାଗୁ କରାଯାଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
କିଛି ଦିନ ହେବ ଛୋଟଛୋଟ କଥାକୁ ନେଇ ବାର୍ଗୁଡ଼ିକରେ ଗଣ୍ଡଗୋଳ ଦେଖାଦେଇଥିଲା। ବିଶେଷକରି ଗ୍ରାହକ ଓ ବାଉନ୍ସରଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ହଣାକଟା ପରିସ୍ଥିତି ଉତ୍ପନ୍ନ ହୋଇଥିଲା। ଏମିତିକି ବାର୍ରେ ଗଣ୍ଡଗୋଳରୁ ହତ୍ୟା ଭଳି ଅପରାଧ ଘଟିଥିବା କଥା ପଦାକୁ ଆସିଥିଲା। ତେଣୁ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ପୁଲିସ୍ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।