ଘରେ ତାଲା ପକାଇ ଦେଲେ ହଷ୍ଟେଲ ମାଲିକ, ଥାନା ଦୁଆରେ ବସିଲେ ୧୨ ଯୁବତୀ

ଭୁବନେଶ୍ବର: କିଏ ମାର୍କେଟିଂ ଚାକିରି କରୁଥିଲା ତ ଆଉ କିଏ ସେଲ୍ସମ୍ୟାନ୍; ସମସ୍ତେ କର୍ମଜୀବୀ ମହିଳା। ଖାରବେଳନଗର ଅଞ୍ଚଳରେ ଏକ ହଷ୍ଟେଲରେ ରହୁଥିଲେ। ସବୁ ଦିନ ପରି ଆଜି ଅପରାହ୍‌ଣରେ ହଷ୍ଟେଲକୁ ଖାଇବା ପାଇଁ ଆସିଥିଲେ। କିନ୍ତୁ ଗେଟ୍‌ରେ ତାଲା ପଡ଼ିଥିଲା। ଯେତେ ଚେଷ୍ଟା କଲେ, ଡାକ ପକାଇଲେ ବି କୋଠାର ମାଲିକ ତାଲା ଫିଟାଇଲେ ନାହିଁ। ଫଳ‌ରେ ବାଧ୍ୟ ହୋଇ ଛାତ୍ରୀମାନେ ପୁଲିସର ଆଶ୍ରୟ ନେଇଥିଲେ। କିନ୍ତୁ ଏହା ଏକ ଦେୱାନୀ ମାମଲା ହୋଇଥିବାରୁ ପୁଲିସ୍‌ ବି ଯଥେଷ୍ଟ ହସ୍ତକ୍ଷେପ କରିପାରିନଥିଲା। ଫଳରେ ଛାତ୍ରୀମାନେ ରାତି ଅଧ ପର୍ଯ୍ୟନ୍ତ ଥାନା ଆଗରେ ବସି ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ମାଲିକ ଉକ୍ତ କୋଠାକୁ ଜଣେ ବ୍ୟକ୍ତିଙ୍କୁ ଭଡ଼ା ସୂତ୍ରରେ ଦେଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଆଉଜଣଙ୍କୁ ଦେଇଥିଲେ। ଉକ୍ତ ବ୍ୟକ୍ତିଜଣଙ୍କ ପ୍ରାୟ ୬ ବର୍ଷ ଧରି ସେଠାରେ ହଷ୍ଟେଲ ଚଳାଇ ଆସୁଥିଲେ। ସେହି ହଷ୍ଟେଲରେ ୧୨ ଜଣ ଯୁବତୀ ରହୁଥିଲେ। କୋଠାର ମାଲିକ ତୃତୀୟ ବ୍ୟକ୍ତିଙ୍କୁ ଘର ଖାଲି କରିବା ପାଇଁ ବାରମ୍ବାର କହୁଥିଲେ। ସେ କିନ୍ତୁ ଘର ଛାଡ଼ୁ ନ ଥିଲେ। ଏହି ବିବାଦ ଥାନାକୁ ମଧ୍ୟ ଆସିଥିଲା। ଘର ବିବାଦ ହୋଇଥିବାରୁ ପୁଲିସ ବିଶେଷ ହସ୍ତକ୍ଷେପ କରି ନଥିଲା। ହଷ୍ଟେଲ ଚଲାଉଥିବା ତୃତୀୟ ବ୍ୟକ୍ତି କିନ୍ତୁ ଘର ଛାଡ଼ି ନଥିଲେ। ଆଜି ଘର ମାଲିକ ଶେଷରେ ଘର ତାଲା ପକାଇ ଦେଇଥିଲେ। ପୁଲିସ ସେଠାକୁ ଯାଇ ଯେତେ କବାଟ ବାଡ଼େଇଥିଲେ ମଧ୍ୟ ସେ ଖୋଲି ନ ଥିଲେ।

ସମ୍ବନ୍ଧିତ ଖବର